ଆଜି ଓଡିଶା ଆସୁଛନ୍ତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର ( ସତ୍ୟପାଠ ବ୍ୟୁରୋ ) : ଶୁକ୍ରବାର ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ଦ୍ରୌପଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଉଭୟ ବିଜେଡି ଓ ବିଜେପିର ସାଂସଦ ଓ ବିଧାୟକମାନଙ୍କୁ ଭେଟି ନିଜପାଇଁ ସମର୍ଥନ ମଗିବେ। ହେଲେ ସେ କୌଣସି କଂଗ୍ରେସ ନେତା କି ବିଧାୟକ ଙ୍କୁ ଭେଟିବାର କାର୍ଯ୍ୟକ୍ରମ ନାହିଁ।


ଶ୍ରୀମତୀ ମୁର୍ମୁ ପ୍ରଥମେ ଭୁବନେଶ୍ବରରେ ପହଞ୍ଚିବା ପରେ ବିଧାନସଭାକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେଡି ସାଂସଦ ଓ ବିଧାୟକ/ବିଧାୟିକାମାନଙ୍କୁ ଭେଟିବେ। ଏହାପରେ ରାଜ୍ୟ ଅତିଥି ଭବନରେ ବିଜେପିର ସାଂସଦ ଓ ବିଧାୟକ/ବିଧାୟିକାମାନଙ୍କୁ ଭେଟିବେ। ରାଜ୍ୟ ଅତିଥି ଭବନରେ ତାଙ୍କର ମଧ୍ୟାହ୍ନଭୋଜନ ର ବ୍ୟବସ୍ଥା ହୋଇଥିବା ବେଳେ ସେ ଅପରାହ୍ନ ୧ଟା ୩୦ ସୁଦ୍ଧା ଭୁବନେଶ୍ବର ଛାଡ଼ିବେ।
ଦ୍ରୌପଦୀଙ୍କୁ ବିଜେଡି ସମର୍ଥନ ଜଣାଇଥିବାରୁ ନିର୍ବାଚନ ପୂର୍ବରୁ ତାଙ୍କର ଓଡ଼ିଶା ଗସ୍ତକୁ ସ୍ମରଣୀୟ କରିବାକୁ ସମସ୍ତ ପ୍ରସ୍ତୁତି କରିଛି। ବିମାନବନ୍ଦରର ସ୍ବାଗତ ସମ୍ବର୍ଦ୍ଧନା ଦେବା ପାଇଁ ଉଭୟ ବିଜେଡି ଓ ବିଜେପି ପକ୍ଷରୁ ଜୋରଦାର ପ୍ରସ୍ତୁତି ହୋଇଛି। ତାଙ୍କୁ ଓଡ଼ିଶାର ପାରମ୍ପାରିକ ନୃତ୍ୟ ଓ ବାଦ୍ୟ ର ଶୋଭାଯାତ୍ରାରେ ରାଜ୍ୟ ଅତିଥି ଭବନ ପର୍ଯ୍ୟନ୍ତ ଆଣିବା ପାଇଁ ଯୋଜନା ହୋଇଛି।
ସେହିପରି ଦ୍ରୌପଦୀଙ୍କ ଓଡ଼ିଶା ଗସ୍ତ କୁ ଆଖିଆଗରେ ରଖି ବିଜେଡି ପକ୍ଷରୁ ଶୁକ୍ରବାର ଦିନ ୧୦ଟା ୩୦ରେ ବିଧାନସଭାର ସମ୍ମିଳନୀ କକ୍ଷ ରେ ସ୍ବତନ୍ତ୍ର ବୈଠକ ଡକାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ଦଳର ସମସ୍ତ ସାଂସଦ, ବିଧାୟକ, ବିଧାୟିକାମାନେ ଯୋଗଦେବେ। ଏଠାରେ ମୁଖ୍ୟମନ୍ତ୍ରୀ ବି ଶ୍ରୀମତୀ ମୁର୍ମୁଙ୍କୁ ସମ୍ବର୍ଦ୍ଧନା ଦେବେ।

ତେବେ ଶ୍ରୀମତୀ ମୁର୍ମୁଙ୍କୁ କଂଗ୍ରେସର ସାଂସଦ କି କୌଣସି ବିଧାୟକ ଭେଟିବେନି। ଦ୍ରୌପଦୀଙ୍କୁ ଭେଟିବାର ଆମର କୌଣସି କାର୍ଯ୍ୟକ୍ରମ ‌ନାହିଁ ବୋଲି କଂଗ୍ରେସ ନେତା ଗଣେଶ୍ବର ବେହେରା କହିଛନ୍ତି।

ସୂଚନାଯୋଗ୍ୟ ଯେ ଦ୍ରୌପଦୀ ମୁର୍ମୁ ଓଡ଼ିଆ ହୋଇଥିବାରୁ ତାଙ୍କୁ ଓଡ଼ିଶାର ସମସ୍ତ ରାଜନୈତିକ ଦଳର ସାଂସଦ ଓ ବିଧାୟକ ସମର୍ଥନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପିଲ୍‌ କରିଥିଲେ। ଏପରିକି ଦଳର ବରିଷ୍ଠ ପଦାଧିକାରୀ ଓ ବିଧାୟକମାନେ ପିସିସି ସଭାପତି ଓ କଂଗ୍ରେସ ବିଧାୟକ ଦଳ ନେତାଙ୍କୁ ଭେଟି ସମର୍ଥନ ଲୋଡ଼ିଥିଲେ। ହେଲେ କଂଗ୍ରେସ ଯଶୋବନ୍ତ ସିହ୍ନା ଙ୍କୁ ସମର୍ଥନ କରିବ ଓ ପାର୍ଟି ନିଷ୍ପତି ହିଁ ସର୍ବମାନ୍ୟ ବୋଲି କହିଛି। ଅପରପକ୍ଷେ କେବଳ ରାୟଗଡ଼ାର ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି ଦ୍ରୌପଦୀ ଙ୍କୁ ସମର୍ଥନ ଘୋଷଣା କରିଛନ୍ତି।

Related Posts