ଯୋଡ଼ା ମହିଳା ଡାକ୍ତର ମୃତ୍ୟୁ ମାମଲା; ଆସିଲା ବ୍ୟବଚ୍ଛେଦ ରିପୋର୍ଟ, ବିଷକ୍ରିୟାରୁ ହୋଇଛି ମୃତ୍ୟୁ

ଭୁବନେଶ୍ୱର,୩/୧(ସତ୍ୟପାଠ ବ୍ୟୁରୋ): ଗତ ରବିବାର ଦିନ ଯୋଡ଼ା ମହିଳା ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ ଘଟଣା ଚର୍ଚ୍ଚାରେ ଥିବାବେଳେ ବର୍ତ୍ତମାନ ତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ବିଷକ୍ରିୟାରୁ ହୋଇଛି ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ ହୋଇଥିବା ନେଇ ବ୍ୟବଚ୍ଛେଦ ରିପୋର୍ଟରେ ଆସିଥିବା ସ୍ପଷ୍ଟ କରିଛନ୍ତି କେନ୍ଦୁଝର ସିଡିଏମଓ। ତେବେ ଅତ୍ୟଧିକ ଯାଞ୍ଚ ପାଇଁ ପୁଲିସ୍‌ ଜବତ କରିଥିବା ବିଷ ବୋତଲ ଓ ଶୁଭ୍ରଶ୍ରୀଙ୍କ ଭିସେରା ରିପୋର୍ଟକୁ ଭୁବନେଶ୍ୱରସ୍ଥିତ ଫରେନସିକ୍‌ ଲ୍ୟାବକୁ ପଠାଯିବ ।ସପ୍ତାହେ ପରେ ଫରେନସିକ ରିପୋର୍ଟ ଆସିଲେ ଘଟଣା ଉପରୁ ଆହୁରି ପରଦା ଉଠି ପାରିବ ବୋଲି କହିଛନ୍ତି ସିଡିଏମ୍‌ଓ । ଶୁଭଶ୍ରୀଙ୍କ ଶବ ବ୍ୟବଚ୍ଛେଦ କରିଥିବା ୨ ଜଣିଆ ଡାକ୍ତରି ଟିମ୍ ଆଜି ସନ୍ଧ୍ୟାରେ ସିଡିଏମ୍‌ଓଙ୍କୁ ଲିଖିତ ବ୍ୟବଚ୍ଛେଦ ରିପୋର୍ଟ ପ୍ରଦାନ କରିବେ ବୋଲି ଜଣାଯାଇଛି।

ତେବେ ଗତ ଡିସେମ୍ବର ୩୧ ତାରିଖ ରାତିରେ ନିଜ ସହକର୍ମୀଙ୍କ ସହ ନାଚଗୀତ କରି ଜିରୋ ନାଇଟ ସେଲିବ୍ରେସନ କରିଥିବା ଶୁଭଶ୍ରୀଙ୍କ ମୃତଦେହ ନୂଆବର୍ଷ ଦିନ ନିଜ ସରକାରୀ ବାସଭବନରୁ ଉଦ୍ଧାର ହୋଇଥିଲା। ମୃତଦେହ ନିକଟର ଏକ ବିଷ ବୋତଲ ଜବତ ହୋଇଥିଲା। ତେବେ ଶୁଭଶ୍ରୀଙ୍କ ମୃତ୍ୟୁ ଉକ୍ତ ବୋତଲର ବିଷ ଯୋଗୁ ହୋଇଛି ନା ଅନ୍ୟ କିଛି ବିଷକ୍ରିୟା ହୋଇଛି ତାହା ସ୍ପଷ୍ଟ କରିବା ନିମନ୍ତେ ଉକ୍ତ ବୋତଲକୁ ଭୁବନେଶ୍ୱର ପଠାଯାଇଛି।

ଏକ ପୁଲିସ୍‌ ଟିମ୍‌ ଉକ୍ତ ବୋତଲ ସମେତ ଶୁଭଶ୍ରୀଙ୍କ ଭିସେରା ରିପୋର୍ଟ ଧରି ଆଜି ଭୁବନେଶ୍ୱର ଅଭିମୁଖେ ଯାଇଛନ୍ତି। ପ୍ରାୟ ସପ୍ତାହେ ପରେ ଉକ୍ତ ରିପୋର୍ଟ ଆସିଲେ ପ୍ରକୃତ ଘଟଣା ଉପରୁ ପରଦା ହଟିବ ବୋଲି ସିଡିଏମ୍‌ଓ କହିଛନ୍ତି।

ପ୍ରେମରେ ପ୍ରତାରଣା ପରେ ଶୁଭଶ୍ରୀ ଏପରି ପଦକ୍ଷେପ ଉଠାଇଥିବା ତାଙ୍କ ଏତଲାରୁ ସ୍ପଷ୍ଟ ହୋଇଛି। ମୃତ୍ୟୁର ୧୦ ଦିନ ପୂର୍ବରୁ ଅର୍ଥାତ ଗତ ୨୦ ତାରିଖରେ ଶୁଭଶ୍ରୀ ଯୋଡ଼ା ଥାନାରେ ଡାକ୍ତର ଦିବ୍ୟରଞ୍ଜନ ମାଝୀଙ୍କ ନାମରେ ଦେଇଥିବା ଏତଲାରୁ ଏହା ସ୍ପଷ୍ଟ ହୋଇଛି। ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଡାକ୍ତର ଦିବ୍ୟରଞ୍ଜନ ମାଝୀ ପରେ ବିବାହ ପାଇଁ ମନା କରିଦେବାରୁ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ତ ହୋଇଥିଲେ ଡାକ୍ତର ଶୁଭଶ୍ରୀ କର ।

ଗତ ୨୦ ତାରିଖରେ ଶୁଭଶ୍ରୀ ଯୋଡ଼ା ଥାନାରେ ଦିବ୍ୟରଞ୍ଜନଙ୍କ ନାମରେ ଏତଲା ଦେଇଥିବା ବେଳେ ଉକ୍ତ ଦିନ ହିଁ ଇସ୍ତଫା ଦେଇ ପଳାଇଛନ୍ତି ଦିବ୍ୟରଞ୍ଜନ। ତାଙ୍କ ଫୋନ୍‌ ସୁଇଚ ଅଫ ଆସୁଥିବା ବେଳେ ସେ ଏବେ କେଉଁଠି ସେ ନେଇ ସୂଚନା ମିଳୁନି। ଅପରପକ୍ଷେ, ପୁଲିସ୍‌ ଏଯାଏ ଡାକ୍ତର ଦିବ୍ୟରଞ୍ଜନଙ୍କୁ ପଚରାଉଚରା କରି ନ ଥିବା ବେଳେ ଶୁଭଶ୍ରୀଙ୍କ ମୃତ୍ୟୁ ପଛରେ ତାଙ୍କ ଭୂମିକାକୁ ନେଇ ସସ୍‌ପେନ୍ସ ସୃଷ୍ଟି ହୋଇଛି।

Related Posts