କ୍ଯାପିଟାଲ ଡାକ୍ତରଖାନାରେ ଅବ୍ୟବସ୍ଥା : ୱାର୍ଡରେ ରହୁନାହାନ୍ତି ଡାକ୍ତର, ରୋଗୀ ହନ୍ତସନ୍ତ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ରୋଗ ଏବେ ଚିନ୍ତା ବଢାଇଛି। ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କ୍ୟାପିଟାଲ ହସ୍ପିଟାଲରେ ଏବେ ଅସମ୍ଭାଳ ଭିଡ । ମେଡିସିନ୍‍ ୱାର୍ଡରେ ବେଡ୍ ଭର୍ତ୍ତିହୋଇଯାଇଥିବାରୁ ରୋଗୀ ଚଟାଣରେ ଶୋଇ ଚିକିତ୍ସିତ ହେଉଛନ୍ତି । ତେବେ ଏମିତି ଏକ ପରିସ୍ଥିତିରେ ଡ୍ୟୁଟିରେ ଥିବା ଡାକ୍ତରମାନେ ମେଡିସିନ ୱାର୍ଡରେ ନରହି କାଜୁଆଲିଟିରେ ଥିବା ଛୋଟ ଅଫିସ୍ ରେ ବସି ରହୁଥିବା କାରଣରୁ ଏବେ ରୋଗୀ ଓ କର୍ମଚାରୀମାନେ ହନ୍ତସନ୍ତ ହେଉଛନ୍ତି ।

ମେଡିସିନ ୱାର୍ଡ ଦାୟିତ୍ୱରେ ଥିବା ଡାକ୍ତରମାନଙ୍କ ପାଇଁ ସେଠାରେ ରୁମ୍ ରହିଛି । ରୋଗୀଙ୍କୁ ଦେଖିବା ପରେ ସେଠାରେ ବିଶ୍ରାମ ନେବା ସହିତ ଜରୁରୀ ପଡିଲେ ତୁରନ୍ତ ରୋଗୀଙ୍କୁ ଦେଖିଥାନ୍ତି । ଅଧିକାଂଶ ସମୟରେ ସେବିକାମାନେ ତୁରନ୍ତ ସେଠାରେ ଉପସ୍ଥିତ ଥିବା ଡାକ୍ତରଙ୍କୁ ପଚାରି ରୋଗୀଙ୍କ ଚିକିତ୍ସା କରିଥାନ୍ତି । ରୋଗୀଙ୍କ ସମ୍ପର୍କୀୟମାନେ ବି ଜରୁରୀ ସମୟରେ ସେହିଠାରେ ଡାକ୍ତରଙ୍କୁ ଭେଟିଥାନ୍ତି ।

ତେବେ ଅଭିଯୋଗ ମୁତାବକ ଗତ କିଛିଦିନ ହେବ ଏହି ବ୍ୟବସ୍ଥାରେ କିଛିଟା ଏପଟସେପଟ ହେଉଥିବା ଦେଖାଦେଉଛି। ମେଡିସିନ୍‍ ୱାର୍ଡ ଦାୟିତ୍ୱରେ ରହୁଥିବା କେତେଜଣ ଡାକ୍ତର ରାଉଣ୍ଡରୁ ଫେରି ସିଧାସଳଖ କାଜୁଆଲିଟି ନିକଟରେ ଥିବା କୋଠରୀରେ ଯାଇ ବସୁଛନ୍ତି । ଯଦି ବା କୌଣସି କାରଣରୁ ଡାକ୍ତରଙ୍କର ଆବଶ୍ୟକ ହେଲେ ଡାକ୍ତରଖାନା କର୍ମଚାରୀ କିମ୍ବା ରୋଗୀଙ୍କ ସମ୍ପର୍କୀୟ ସେଠାକୁ ଯାଉଛନ୍ତି ତେବେ ଖବର ପାଇଲାପରେ ଡାକ୍ତର ପୁର୍ନବାର ୱାର୍ଡକୁ ଆସୁଛନ୍ତି । ନିଜ ପାଇଁ ଉଦ୍ଦିଷ୍ଟ ଥିବା କୋଠରୀରେ କାହିଁକି ଡାକ୍ତର ବସୁନାହାନ୍ତି ତାକୁ ନେଇ ଏବେ ପ୍ରଶ୍ନ ଉଠୁଛି । କାଜୁଆଲିଟିରେ ରୋଗୀ ଦେଖୁନଥିଲେ ମଧ୍ୟରେ ସେଠାରେ ମେଡିସିନ୍‍ ୱାର୍ଡ ଦାୟିତ୍ୱରେ ଥିବା ଡାକ୍ତର କାହିଁକି ଆସୁ ନାହାନ୍ତି ? ତେବେ ସୁରକ୍ଷାକର୍ମୀ ମୁତୟନ ରହୁ ଥିବା କାରଣରୁ ରୋଗୀଙ୍କ ସମ୍ପର୍କୀୟମାନେ ତାଙ୍କୁ ସେଠାରେ ଭେଟିବା କାଠିକର ପାଠ ହୋଇପଡୁଛି ।

ସେହିଭଳି ଗତ କିଛିଦିନ ହେଲା ସକାଳ ବେଳା ରାଉଣ୍ଡରେ ଯାଉଥିବା ଡାକ୍ତରମାନେ ୱାର୍ଡରେ ଚିକିତ୍ସିତ ରୋଗୀଙ୍କ ଚିଠାରେ ଔଷଧର ନାମ ଲେଖିବା ବଦଳରେ ‘କଣ୍ଟିନିଉ’ ଲେଖି କାମସାରି ଦେଉଥିବା ଅଭିଯୋଗ ହୋଇଛି । ଏହା ଯୋଗୁ ରୋଗୀମାନେ ଆବଶ୍ୟକତା ଠାରୁ ଅଧିକ ଦିନ ଧରି ଔଷଧ ସେବନ କରୁଛନ୍ତି । ନିୟମ ଅନୁଯାୟୀ ପ୍ରତିଦିନ ସକାଳ ବେଳା ରାଉଣ୍ଡରେ ଯାଉଥିବା ଡାକ୍ତରମାନେ ରୋଗୀଙ୍କ ଚିଠାରେ ଔଷଧର ନାମ ଲେଖିବେ ଓ ଏହାପରେ ଯଦି ଆବଶ୍ୟକ ପଡେ ଉପରବେଳା କିମ୍ବା ସଂଧ୍ୟା ରାଉଣ୍ଡରେ ଯାଉଥିବା ଡାକ୍ତର ଅନ୍ୟ ମେଡିସିନ ଦେବେ । କିନ୍ତୁ ଏବେ କେତେକ ବିଭାଗରେ ସକାଳ ବେଳା ଔଷଧର ନାମ ଲେଖିବା ବଦଳରେ ଡାକ୍ତରମାନେ କେବଳ ‘କଣ୍ଟିନିଉ’ ଲେଖି କାମ ସାରିଦେଉଥିବା ଅଭିଯୋଗ ହେଉଛି । କ୍ୟାପିଟାଲ ହସ୍ପିଟାଲକୁ ରାଜ୍ୟର ଅନ୍ୟ ଅଞ୍ଚଳରୁ ଉନ୍ନତ ଚିକିତ୍ସାପାଇଁ ରୋଗୀମାନେ ରେଫର ହୋଇ ଆସୁଥିବାବେଳେ ଡାକ୍ତରମାନଙ୍କ ଏଭଳି ମନୋଭାବ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ।

Related Posts