(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ନକଲି ଶିକ୍ଷକଙ୍କୁ ନେଇ ପ୍ରଶାସନର ତାଗିଦ୍ । ନକଲି ଶିକ୍ଷକଙ୍କ ତଥ୍ୟ ଦେବା ପାଇଁ ଚାରି ଚାରି ଥର ଚିଠି ଲେଖିବା ପରେ ମଧ୍ୟ ଅଭିଯୋଗ ଆସିଥିବା ନକଲି ଶିକ୍ଷକଙ୍କ ସାର୍ଟିଫିକେଟ୍ ଯାଞ୍ଚ ହେଉ ନାହିଁ। ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀ ମାନେ କୌଣସି ପଦକ୍ଷେପ ଗ୍ରହଣ କରୁ ନାହାନ୍ତି। ଜିଲ୍ଲା ପ୍ରକଳ୍ପ ସଂଯୋଜକ(ଡିପିସି) ମାନେ ବି ପ୍ରାଥମିକ ଶିକ୍ଷା ନିର୍ଦେଶାଳୟର ଚିଠିକୁ ନଜର ଅନ୍ଦାଜ କରୁଛନ୍ତି । ଅଗଷ୍ଟ ୩୧ ସୁଦ୍ଧା ଡିଇଓ, ଡିପିସି ଓ ବିଇଓମାନେ ନକଲି ଶିକ୍ଷକଙ୍କ ତାଲିକା ନପଠାଇଲେ, ସେମାନଙ୍କ ଦରମା ବନ୍ଦ କରି ଦିଆଯିବ ବୋଲି କୁହାଯାଇଛି । ବାରମ୍ବାର ଚିଠି ପରେ ବି ନକଲି ଶିକ୍ଷକଙ୍କ ବାବଦରେ ଅଧିକାରୀମାନେ ତଥ୍ୟ ଦାଖଲ କରୁ ନ ଥିବାରୁ ପ୍ରାଥମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଚେତାବନୀ ଦିଆଯାଇଛି।
ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଅଭିଯୋଗ ଅନୁଯାୟୀ ଗତ କିଛି ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍କୁଲରୁ ୮୯ ଜଣ ନକଲି ଶିକ୍ଷକ ଧରାପଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ୨୦ରୁ ଅଧିକ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନକଲି ସାର୍ଟିଫିକେଟ୍ ଦେଇ ଚାକିରୀ ପାଇଥିବା ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳର ଜଣେ ଶିକ୍ଷକ ଗିରଫ ହୋଇଥିବା ବେଳେ ୪ ଜଣଙ୍କ ବିରୋଧରେ ମାମଲା ଦାୟର କରାଯାଇଛି। ୧୧ ଜଣଙ୍କୁ ଗଣଶିକ୍ଷା ବିଭାଗ ପକ୍ଷରୁ ବହିଷ୍କାର କରାଯାଇଥିବା ବେଳେ ୩ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଦୁଇ ଜଣ ଶିକ୍ଷକ ଜାଲ୍ ଓଟିଇଟି ସାର୍ଟିଫିକେଟ୍ ଦେଇଥିବା ମଧ୍ୟ ନଜରକୁ ଆସିଛି।
ଅଭିଯୋଗ ଆସିଥିବା ୮୯ ନକଲି ଶିକ୍ଷକଙ୍କ ସାର୍ଟିଫିକେଟ୍, ମାର୍କସିଟ୍, ଟ୍ରେନିଂ ସାର୍ଟିଫିକେଟ୍, ମାଇଗ୍ରେସନ, ପରୀକ୍ଷା ଫଳ ପ୍ରକାଶନ ତାରିଖ, ଜାତି ପ୍ରମାଣପତ୍ର, ସର୍ଭିସ୍ ରେକର୍ଡ ଯାଞ୍ଚ କରିବାକୁ ୨୦୨୦ ଡିସେମ୍ବର ୧, ଅକ୍ଟୋବର ୨୯, ୨୦୨୧ ଜାନୁଆରି ୨୧, ଅଗଷ୍ଟ ୧୯ରେ ନିର୍ଦେଶାଳୟ ପକ୍ଷରୁ ଚିଠି ଲେଖାଯାଇଥିଲା।
ବିଡମ୍ବନାର କଥା ହେଉଛି ଏହାପରେ ମଧ୍ୟ ତଥ୍ୟ ଦାଖଲ କରାଯାଇ ପାରି ନାହିଁ। ଯେଉଁ କାରଣରୁ ୨୩ ଜିଲ୍ଲା ଯଥା ଯାଜପୁର, କଟକ, ଗଞ୍ଜାମ, ନୟାଗଡ଼, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ବର, କନ୍ଧମାଳ, ଖୋର୍ଧା, ଢେଙ୍କାନାଳ, ନବରଙ୍ଗପୁର, ସୁନ୍ଦରଗଡ଼, ରାୟଗଡ଼ା, ନୟାଗଡ଼, ମୟୂରଭଞ୍ଜ, ବଲାଙ୍ଗୀର, ସମ୍ବଲପୁର, ଝାରସୁଗୁଡ଼ା, ପୁରୀ, ଗଜପତି, ଭବାନୀପାଟଣା, କେନ୍ଦୁଝର, କଳାହାଣ୍ଡି ଡିଓଇ ଓ ଡିପିସି ଏବଂ ୬୯ ଜଣ ବିଇଓଙ୍କୁ ଗତ ୨୮ ତାରିଖରେ ପୁଣିଥରେ ଚିଠି ପଠାଯାଇଛି। ଅଗଷ୍ଟ ୩୧ ସୁଦ୍ଧା ନକଲି ଶିକ୍ଷକଙ୍କ ତାଲିକା ଦେବାକୁ କୁହାଯାଇଛି।
ନକଲି ଶିକ୍ଷକ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଥିଲେ ମଧ୍ୟ ଠିକ୍ ସମୟରେ ତଥ୍ୟ ନ ମିଳୁଥିବାରୁ ନିର୍ଦେଶାଳୟକୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ପଦକ୍ଷେପ ନ ହେଲେ ପରବର୍ତୀ ଆଦେଶ ପର୍ଯ୍ୟନ୍ତ ଦରମା ବନ୍ଦ କରି ଦିଆଯିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।