ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ୨୦୨୪ରେ ଲୋକସଭା ନିର୍ବାଚନ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ଲୋକସଭାରୁ ଲଢ଼ିବା ନେଇ ଇଚ୍ଛା କରିଥିବା ଖବର ସରବରାହ ସଂସ୍ଥା PTI ପକ୍ଷରୁ ସୂଚନା ଦିଆଯାଇଛି । ଖାଲି ସେତିକି ନୁହେଁ ସେ ଓଡ଼ିଶାରୁ ଲୋକସଭା ଲଢ଼ିବାକୁ ଇଚ୍ଛା କରିଥିବା ସୂଚନା ରହିଛି । ଏନେଇ ସୁଯୋଗ ଦେବାକୁ ସେ ଦଳକୁ ଜଣାଇଥିବା ମଧ୍ୟ କୁହାଯାଉଛି ।
ଏଭଳି ସୂଚନା ପରେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି । ଏନେଇ ଅନେକ ଦିନ ଧରି ଏଭଳି ଚର୍ଚ୍ଚା ଲାଗି ରହିଥିଲା । ହେଲେ ଏବେ ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ୍ ପଡ଼ିଛି । ଆଉ ନୂଆ ଆଲୋଚନା ଆରମ୍ଭ ହୋଇଛି । ଆଉ ତାହା ହେଲା, କେଉଁ ଆସନରୁ ଲଢ଼ିବେ ଧର୍ମେନ୍ଦ୍ର ? ଧର୍ମେନ୍ଦ୍ର ଢେଙ୍କାନାଳ କିମ୍ବା ସମ୍ବଲପୁର ଲୋକସଭା ଆସନରୁ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି । କିଛିଦିନ ହେଲା ଧର୍ମେନ୍ଦ୍ର ମଧ୍ୟ ଉଭୟ ଢେଙ୍କାନାଳ ଓ ସମ୍ବଲପୁରର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି |
ତେବେ ଦୀର୍ଘ 15 ବର୍ଷ ପରେ ସେ ପ୍ରତକ୍ଷ ରାଜନୀତିକୁ ଓଲ୍ହାଇବାକୁ ମନସ୍ଥ କରିଛନ୍ତି | ଏହା ପୂର୍ବରୁ ସେ ପାଳଲହଡାରୁ ବିଧାୟକ ଓ ଦେବଗଡ ଆସନରୁ ସାଂସଦ ମଧ୍ୟ ରହି ସାରିଛନ୍ତି | ଏବେ ସେ ରାଜ୍ୟସଭା ସାଂସଦ ଥିବାବେଳେ କେନ୍ଦ୍ର କ୍ୟାବିନେଟରେ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର ମନ୍ତ୍ରୀ ରହିଛନ୍ତି |