ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣା; ଶନିବାର ନିମାପଡ଼ାର ୧୦୦ଟି ଛକରେ ସମୀର ଦାସଙ୍କ କୁଶପୁତ୍ତଳିକା ଦାହ କରିବ ବିଜେପି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁରୀ ଜିଲ୍ଲା ନିମାପଡା ବ୍ଲକ୍ ୧୧ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ବିବାଦରେ ରହିଛନ୍ତି। ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁରେ ସିଧାସଳଖ ମନ୍ତ୍ରୀଙ୍କ ନାମ ଥିବାରୁ ବିରୋଧୀମାନେ ଏନେଇ ଆନ୍ଦୋଳନ ଓ ପ୍ରତିବାଦ ମଧ୍ୟ ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କ ନେତୃତ୍ବରେ ଏକ ଟିମ୍ ପୁରୀ ଜିଲ୍ଲାପାଳଙ୍କୁ ଭେଟିଛି।

ଅନ୍ୟପଟେ ଆସନ୍ତାକାଲି ବା ଶନିବାର ବିଜେଡି ୩୦ ହଜାର ମହିଳାଙ୍କୁ ନେଇ ନିମାପଡ଼ାରେ ଏକ ସମାବେଶ କରିବାକୁ ଯାଉଛି। ଏହି ସମାବେଶରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ଦଳୀୟ ପତାକା ଧରାଇବା ସହ ସେମାନେ ଦଳୀୟ ରଙ୍ଗର ଶାଢୀ ପିନ୍ଧିବେ ବୋଲି କୁହାଯାଇଛି।

ତେବେ ଏହାକୁ ବିଜେପି ବିରୋଧ କରିବା ସହ ପୁରୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡିର ଏହି ସମାବେଶକୁ ଟାର୍ଗେଟ୍‌ କରିଛି। ଏହି ସମାବେଶ ନିମାପଡ଼ାରେ କରାଯାଇ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରୁ ଧ୍ୟାନ ହଟାଇବାକୁ ଚେଷ୍ଟା କରାଯାଉଛି ବୋଲି ବିଜେପି କହିଥିବା ବେଳେ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଦଳୀୟ କର୍ମୀ ଭାବେ ବ୍ୟବହାର କରାଯାଉଥିବା ଦଳ ଅଭିଯୋଗ କରିଛି। ସେପଟେ ଆସନ୍ତାକାଲି ବିଜେପି ପକ୍ଷରୁ ନିମାପଡ଼ାର ୧୦୦ଟି ଛକରେ ମନ୍ତ୍ରୀ ସମୀର ଦାସଙ୍କ କୁଶପୁତ୍ତଳିକା ଦାହ କରାଯିବ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ପକ୍ଷରୁ ଘୋଷଣା କରାଯାଇଛି।

ଏହି ସାମ୍ବାଦିକ ସମ୍ମିଳନୀରେ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସେକ୍ସ ସ୍କାଣ୍ଡାଲରେ ସଂପୃକ୍ତ ଥିବାନେଇ ବିଜେପି ଅଭିଯୋଗ ଆଣିଛି। ଦଳର ଉପସଭାନେତ୍ରୀ ପ୍ରଭାତି ପରିଡା ଏନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ।ସେକ୍ସ ସ୍କାଣ୍ଡାଲରେ ସମ୍ପୃକ୍ତ ରହିଥିବା ବ୍ୟକ୍ତି ମନ୍ତ୍ରୀ ରହିବା ଠିକ ନୁହେଁ, ସେ ଗିରଫ ହେବା ଦରକାର ବୋଲି ପ୍ରଭାତି ପରିଡା ଦାବି କରିଛନ୍ତି ।

Related Posts