(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଝାଡ଼ଖଣ୍ଡର ଧନବାଦ ଠାରେ ବିଚାରପତି ଉତ୍ତମ ଆନନ୍ଦ ମର୍ଣ୍ଣିଂ ୱାର୍କ କରୁଥିବା ସମୟରେ ଅଟୋ ଚଢ଼ାଇ ହତ୍ୟା କରିବା ଘଟଣାରେ ରାଜ୍ୟ ସରକାର କଡା ପଦକ୍ଷେପ ନେଇଛନ୍ତି। ହେମନ୍ତ ସୋରେନ ସରକାର ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି।
ଜଜଙ୍କ ମୃତ୍ୟୁ ଘଟଣାରେ ଝାଡଖଣ୍ଡର ପଠାର୍ଡି ପୋଲିସ ଷ୍ଟେସନର ଅଧିକାରୀ ଉମେଶ ମଞ୍ଝୀଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଛି। ଠିକ ସମୟରେ ଏଫଆଇଆର ରୁଜୁ ନକରିବା କାରଣରୁ ତାଙ୍କୁ ସରକାର ନିଲମ୍ବିତ କରିଛନ୍ତି। ଧାନବାଦ ଏସଏସପି ସଞ୍ଜୀବ କୁମାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ଫାଙ୍କା ରାସ୍ତାରେ ପ୍ରାତଃ ଭ୍ରମଣ କରୁଥିବା ବେଳେ ଝାଡଖଣ୍ଡର ଧନବାଦ ଠାରେ ହଠାତ୍ ଗୋଟିଏ ଅଟୋ ପଛପଟୁ ଆସି ତାଙ୍କୁ ଜାଣିଶୁଣି ଧକ୍କା ଦେଇଥିଲା। ଧକ୍କା ପରେ ସେ ରାସ୍ତା କଡ଼ରେ ଖସି ପଡ଼ିଥିଲେ। କିଛି ସମୟ ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ କିନ୍ତୁ ସେଠାରେ ଜଜ୍ ଙ୍କର ମୃତ୍ୟୁ ଘଟିଥିଲା। ପ୍ରଥମେ ଏହାକୁ ହିଟ୍ ଆଣ୍ଡ ରନ୍ କେସ୍ ବୋଲି ବିଚାର କରାଯାଉଥିଲା।
କିନ୍ତୁ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିବା ପରେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଥିଲା। ଉତ୍ତମ ଆନନ୍ଦ ଧନବାଦରେ ଘଟିଥିବା ଏକାଧିକ ହତ୍ୟାକାଣ୍ଡ ମାମଲାର ଶୁଣାଣି କରୁଥିଲେ। ନିକଟରେ ସେ ଦୁଇ ଜଣ ଗ୍ୟାଙ୍ଗଷ୍ଟରଙ୍କ ଜାମିନ ଆବେଦନ ମଧ୍ୟ ଖାରଜ କରିଦେଇଥିଲେ। ତେଣୁ ତାଙ୍କ ହତ୍ୟା ପଛରେ ସାଂଘାତିକ ଷଡ଼ଯନ୍ତ୍ର ହୋଇଥିବା ଆଶଙ୍କା କରାଯାଉଛି।
ଝାରଖଣ୍ଡର ହେମନ୍ତ ସୋରେନ ସରକାର ସିବିଆଇଙ୍କୁ ତଦନ୍ତ ଭାର ହସ୍ତାନ୍ତର କରିବାକୁ ସୁପାରିସ କରିଛନ୍ତି। ଏହି ଘଟଣାରେ ଦେଶବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସୁପ୍ରିମକୋର୍ଟ ମଧ୍ୟ ଉଦବେଗ ପ୍ରକାଶ କରିଥିଲେ। ପୂର୍ବରୁ ଝାଡ଼ଖଣ୍ଡ ସରକାର ଘଟଣାର ତଦନ୍ତ ପାଇଁ ଏସଆଇଟି ଗଠନ କରିଥିଲେ। ଏହି ଘଟଣାରେ ଏସଆଇଟି ୨ ଜଣଙ୍କୁ ଗିରଫ କରିଛି।