ଜେଲ୍ ଗଲେ ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀ

ଦେବଗଡ: ଜେଲ୍ ଗଲେ ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀ। ତିଳେଇବଣି ବିଡିଓଙ୍କୁ ମାଡ ମାରିବା ଅଭିଯୋଗରେ ଜେଲ୍ ଗଲେ ବିଧାୟକ ସୁବାସ ପାଣିଗ୍ରାହୀ। ତାଙ୍କ ଜାମିନ ଆବେଦନ ଖାରଜ ହେବାରୁ ବିଧାୟକଙ୍କୁ ସାତ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ସିଜେଏମ କୋର୍ଟରେ ହାଜର ପରେ ବିଧାୟକଙ୍କୁ ଜେଲ୍ ପଠାଯାଇଛି।

ଏଥିସହ ବିଧାୟକଙ୍କ ଦୁଇ ସହଯୋଗୀ ଅକାଳୁ ଧଳ ଏବଂ କୁଳମଣି ସାହୁଙ୍କୁ ମଧ୍ୟ ଜେଲ୍ ପଠାଯାଇଛି। ଆସନ୍ତା ୭ରେ ମାମଲାର ପରବର୍ତ୍ତୀ ଶୁଣାଣି।

ଅନ୍ୟପଟେ ବିଧାୟକ ଗିରଫ ପ୍ରତିବାଦରେ ଆସନ୍ତାକାଲି ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ ଡାକରା ଦେଇଛି ବିଜେପି l ସକାଳ ୬ ରୁ ସନ୍ଧ୍ୟା ୬ ପର୍ଯନ୍ତ ବନ୍ଦ ରହିବ ଦେବଗଡ଼। ପିଲାଙ୍କ ପରୀକ୍ଷା ଓ ଜରୁରୀକାଳୀନ ସେବାକୁ ବାଦ ଦେଇ ସମସ୍ତ ଦୋକାନ ବଜାର ସହ ଅଖ ଚକ ବନ୍ଦ ରହିବ। ଏଥିସହ ତିଳେଇବଣି ବିଡିଓଙ୍କ ଗିରଫ ଦାବି କରିଛି ଦଳ। ବନ୍ଦ ଡାକରା ସୂଚନା ଦେଇଛନ୍ତି ବିଜେପି ମୁଖ୍ୟ ସଚେତକ ମୋହନ ମାଝୀ।

ଆଜି ବିଧାୟକଙ୍କୁ ଭୁବନେଶ୍ଵରରୁ ଗିରଫ କରାଯାଇ ଦେବଗଡ ଅଣାଯାଇଥିଲା। ତେବେ ବାଟରେ ବିଧାୟକ ସୁବାସ ପାଣିଗ୍ରାହୀ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ରିଆମାଳ ବ୍ଲକ ଅନ୍ତର୍ଗତ ଛତାବର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଟିକେ ସୁସ୍ଥ ଅନୁଭବ କରିବା ପରେ ପୋଲିସ ତାଙ୍କୁ ଧରି ଦେବଗଡ ଜିଲ୍ଲା ଦୌରାଜଜଙ୍କ ଅଦାଲତରେ ହାଜର କରାଯାଇଥିଲା। ବିଧାୟକ ଏବଂ ବିଡିଓ ବିବାଦ ରାଜ୍ୟ ରାଜନୀତିକୁ ଉଷ୍ମ କରିଛି। ପୋଲିସର କାର୍ଯ୍ୟାନୁଷ୍ଠାନ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ବିଧାୟକଙ୍କ ଗିରଫଦାରୀ ପ୍ରତିବାଦରେ ଦେବଗଡ ଆଦର୍ଶ ଥାନା ସମ୍ମୁଖରେ ବିଜେପିର କର୍ମୀ, ନେତା ଏବଂ ବିଧାୟକ ଧାରଣା ଦେଇଛନ୍ତି। ଏଥିରେ ୩ ବିଧାୟକ ଏବଂ ଜଣେ ପୂର୍ବତନ ବିଧାୟକ ସାମିଲ୍ ହୋଇଛନ୍ତି। ବିଧାୟକଙ୍କ ମଧ୍ୟରେ ଅଛନ୍ତି କେନ୍ଦୁଝର ବିଧାୟକ ମୋହନ ମାଝୀ, ସୁନ୍ଦରଗଡ ବିଧାୟକ କୁସୁମ ଟେଟେ, ତଲସରା ବିଧାୟକ ଭବାନୀ ଭୋଇ ଏବଂ କୁଚିଣ୍ଡା ପୂର୍ବତନ ବିଧାୟକ ରବିନାରାୟଣ ନାୟକ। ତିଳେଇବଣି ବିଡିଓଙ୍କ ଗିରଫ ଦାବି କରିଛି ବିଜେପି ।

Related Posts