ଯୌତୁକ ପାଇଁ ପିଶାଚ ସ୍ୱାମୀର ଉନ୍ମତ୍ତକାଣ୍ଡ: ସ୍ତ୍ରୀକୁ ମାଡ଼ ମାରି କଲା ଲହୁ ଲୁହାଣ, ଗୁରୁତର ଅବସ୍ଥାରେ ଉଦ୍ଧାର

କାମାକ୍ଷାନଗର: ଯୌତୁକ ପାଇଁ ପୁଣି ଥରେ ଆଉ ଜଣେ ବନବବଧୂର ଜୀବନ ଯାଉ ଯାଉ ବଂଚିଯାଇଛି | ପିଶାଚ ସ୍ୱାମୀ ଯୌତୁକ ପାଇଁ ଘଟାଇଛି ଏହି ଉନ୍ମତ୍ତକାଣ୍ଡ | ପ୍ରଥମେ ସ୍ତ୍ରୀକୁ ମାଡ଼ ମାରି ଲହୁ ଲୁହାଣ କରିବା ସହ ଜୀଅନ୍ତା ପୋତିଦେବା ପାଇଁ କରିଛି ଉଦ୍ୟମ | ଏନେଇ ପୋଲିସ ଖବର ପାଇବା ପରେ ଘଟଣା ସ୍ଥଳରେ ପହଁଚି ତାଙ୍କୁ ଉଦ୍ଧାର କରିଛି | ଯୌତୁକ ସମସ୍ୟାକୁ ନେଇ ଏହି ଅମାନୁଷିକ କାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି |

ଖବର ଅନୁଯାୟୀ, କାମାକ୍ଷାନଗର ଥାନା ଶିତଳବସା ଗାଁର କୃଷ୍ଣ ସାହୁଙ୍କ ଝିଅ ସୁକାନ୍ତି ସାହୁକୁ ସେହି ଗ୍ରାମର ରଞ୍ଜନ ସାହୁଙ୍କୁ ଦୁଇବର୍ଷ ତଳେ ବୈଦିକ ରୀତିନୀତିରେ ବିବାହ ଦେଇଥିଲେ। ବାହାଘର ପରେ ଉଭୟ ସ୍ବାମି ସ୍ତ୍ରୀଙ୍କ ମଧ୍ୟରେ ବିଭିନ୍ନ ସମୟରେ ଝଗଡା ଲାଗି ରହୁଥିଲା। ଉଭୟ ପରିବାର ବୁଝା ସୁଝା କରି ସମାଧାନ କରିଥିଲେ। କିନ୍ତୁ ରବିବାର ରାତି ପ୍ରାୟ ୯ ଟା ବେଳକୁ ସ୍ବାମି ରଞ୍ଜନ ତା ସ୍ତ୍ରୀ ସୁକାନ୍ତିକୁ ଅତି ଅମାନୁଷିକ ଭାବେ ମାଡ଼ ମାରି ପଛ ପାଖ ବିଲକୁ ଫିଙ୍ଗି ଦେଇଥିଲା। ବାପା ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୁମୂର୍ଷ ଅବସ୍ଥାରେ ଝିଅକୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ । ତାଙ୍କ ମୁଣ୍ଡ ଏବଂ ଛାତିରେ ଗଭୀର ଆଘାତ ଲାଗିଛି।

ଏହାପରେ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ପହଞ୍ଚି ଘଟଣାସ୍ଥଳରେ ପହଞ୍ଚି ସୁକାନ୍ତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଅଭିଯୁକ୍ତ ସ୍ୱାମୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି | ପୋଲିସ ଅଭିଯୁକ୍ତକୁ ଖୋଜିବା ନେଇ ତଦନ୍ତ ଆରମ୍ଭ କରିଛି |

Related Posts