ମହାରାଷ୍ଟ୍ରରେ ତେଜୁଛି ମରାଠା ସଂରକ୍ଷଣ ଦାବି; ଏନସିପି ବିଧାୟକଙ୍କ ଘରେ ନିଆଁ ଲଗାଇଲେ ବିକ୍ଷୋଭକାରୀ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ରରେ ମରାଠା ସଂରକ୍ଷଣର ନିଆଁ କ୍ରମାଗତ ଭାବେ ଉଗ୍ର ରୂପ ଧାରଣ କରୁଛି। ମରାଠା ସଂରକ୍ଷଣ ଆନ୍ଦୋଳନ ଏବେ ହିଂସାତ୍ମକ ରୂପ ଗ୍ରହଣ କଲାଣି । ସଂରକ୍ଷଣ ଦାବିକରି ବିକ୍ଷୋଭକାରୀମାନେ ଏନସିପି ବିଧାୟକ ପ୍ରକାଶ ସୋଲାଙ୍କିଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି। ସେମାନେ ପ୍ରଥମେ ବିଧାୟକଙ୍କ ଘରେ ଭଙ୍ଗାରୁ୍ଜ୍ଜା କରିବା ପରେ ପରେ ସେଥିରେ ନିଆଁ ଲଗାଇଦେଇଥିଲେ । ନିଆଁ ଦେଖୁ ଦେଖୁ ସମଗ୍ର ଘରକୁ ବ୍ୟାପିଯାଇଥିଲା ଓ ଉପରକୁ କଳା ଧୂଆଁ ଉଠୁଥିବା ଦେଖାଯାଇଥିଲା ।

ଘର ଜଳିଯିବା ପରେ ପ୍ରକାଶ ସୋଲାଙ୍କିଙ୍କ ବୟାନ ସାମ୍ନାକୁ ଆସିଛି। ବିକ୍ଷୋଭକାରୀମାନେ ତାଙ୍କ ଘରେ ନିଆଁ ଲଗାଇଦେବା ସମୟରେ ସେ ଏବଂ ତାଙ୍କ ପରିବାର ଘର ଭିତରେ ଥିଲେ ବୋଲି ସେ କହିଛନ୍ତି। ସୌଭାଗ୍ୟବଶତଃ ତାଙ୍କ ପରିବାର ଏବଂ ଘରର ସମସ୍ତ କର୍ମଚାରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ବୋଲି ସେ କହିଛନ୍ତି। ଏହି ଘଟଣାରେ କେହି ଆହତ ହୋଇନଥିଲେ ବି ତାଙ୍କର ବହୁତ କ୍ଷତି ହୋଇଛି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ମରାଠା ସଂରକ୍ଷଣ ଦାବିରେ ସମଗ୍ର ମହାରାଷ୍ଟ୍ରରେ ଆନ୍ଦୋଳନ ବଢିବାରେ ଲାଗିଛି । ଗତ ରବିବାର ମହାରାଷ୍ଟ୍ରର ଲାଟୁର ସହରରେ ୯ଜଣ ମହିଳା ୭୦ ଫୁଟ ଉଚ୍ଚର ଏକ ପାଣି ଟାଙ୍କି ଉପରେ ଚଢିଯାଇଥିଲେ। ମରାଠା ସଂରକ୍ଷଣ ନ ଦେଲେ ସେମାନେ ଉପରୁ ଡେଇଁ ପଡ଼ିବେ ବୋଲି ଧମକ ଦେଇଥିଲେ ।

Related Posts