ଦିଲ୍ଲୀ ହିଂସା ନେଲାଣି ୨୮ ଜୀବନ Published Date: February 27, 2020 (ସତ୍ୟପାଠ ବ୍ୟୁରୋ) ନୂଆଦିଲ୍ଲୀ: ନାଗରିକତା ଆଇନକୁ ବିରୋଧ କରି ପୂର୍ବ ଦିଲ୍ଲୀରେ ଚାଲିଥିବା ହିଂସାରେ ଏଯାଏ ଗଲାଣି ୨୮ ଲୋକଙ୍କ ଜୀବନ। ଆହତଙ୍କ ସଂଖ୍ୟା ୧୨୦ରୁ ଅଧିକ, ଅନେକ ଲୋକ ଏବେ ବି ହସ୍ପିଟାଲରେ ହେଉଛନ୍ତି ଚିକିତ୍ସିତ । ସେପଟେ ହିଂସା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ନିୟନ୍ତ୍ରଣ ଥିବା କହିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ଗୃହମନ୍ତ୍ରୀ ଅମିତ ଶାହ ନିଜ ତିରୁବନ୍ନ୍ତପୁରମ ଗସ୍ତ ରଦ୍ଦ କରି, ଦିଲ୍ଲୀରେ ରହି ପରିସ୍ଥିତି ଉପରେ ପୂରା ନଜର ରଖିଛନ୍ତି । ଦିଲ୍ଲରୀର ବିଭିନ୍ନ ଅଞ୍ଚଳରେ କର୍ଫ୍ୟୁ ଲାଗିଛି । ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି ମାରିବାକୁ ରହିଛି କଡ଼ା ନିର୍ଦ୍ଦେଶ । ଦିଲ୍ଲୀ ହିଂସାରେ ୨୮ ମୃତ, ଶତାଧିକ ଆହତ ସହରର ବିଭିନ୍ନ ସ୍ଥାନରେ କର୍ଫ୍ୟୁ ଜାରି ହିଂସାଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ NSA ଅଜିତ ଡୋଭାଲ ଦିଲ୍ଲୀ ହିଂସାରେ ବଢ଼ି ଚାଲିଛି ମୃତ୍ୟୁ ସଂଖ୍ୟା ହିଂସାକାଣ୍ଡରେ ଆହତଙ୍କ ସଂଖ୍ୟା ୧୨୦ରୁ ଅଧିକ ମୌଜପୁର,ଜାଫରାବାଦ, ଚାନ୍ଦବାଗ ଓ କରାବଲନଗରରେ କର୍ଫ୍ୟୁ ଜାରି ହିଂସାଗ୍ରସ୍ତ ଅଞ୍ଚଳରେ ଲାଗୁ ହୋଇଛି ୧୪୪ ଧାରା ହିଂସାରେ ସାମିଲ ଲୋକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ହିଂସା ପ୍ରଭାବିତ ଅଞ୍ଚଳରେ ସୁରକ୍ଷାବଳ ମୁତୟନ କଡ଼ା କାର୍ଯ୍ୟାନୁଷ୍ଠାନ ସତ୍ତ୍ବେ ଘଟି ଚାଲିଛି ଛୋଟ ଛୋଟ ଘଟଣା ସିବିଏସ୍ଇ ବୋର୍ଡ ପରୀକ୍ଷା ମଧ୍ୟ ବାତିଲ ଅନେକ ସ୍ଥାନରେ ବନ୍ଦ ରହିଛି ସ୍କୁଲ-କଲେଜ ଉତ୍ତର-ପୂର୍ବ ଦିଲ୍ଲୀରେ ନାଗରିକତା ଆଇନକୁ ନେଇ ବ୍ୟାପିଛି ହିଂସା । ଲଗାତର ତିନି ଦିନ ହେଲାଣି ଏ ଅଞ୍ଚଳରେ ହୋଇଥିବା ହିଂସାକାଣ୍ଡରେ ବଢ଼ି ଚାଲିଛି ମୃତ୍ୟୁ ସଂଖ୍ୟା । ସେପଟେ ପୂରା ଦିଲ୍ଲୀ ପ୍ରଶାସନ ପରିସ୍ଥିତି ଉପରେ ନିୟନ୍ତ୍ରଣ ଲାଗି ଚଳାଇଛି ଜୋରଦାର ଉଦ୍ୟମ । ନିଜେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି । ଏପଟେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ବୁଲି ଦେଖିଛନ୍ତି ହିଂସା ସ୍ଥିତିଗ୍ରସ୍ତ ଅଞ୍ଚଳ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ହିଂସାରେ ଆହତ ଡିସିପି ଅମିତ ଶର୍ମାଙ୍କ ପରିବାର ଲୋକଙ୍କ ସହ କଥା ହୋଇଛନ୍ତି । ଦିଲ୍ଲୀ ହିଂସା ପରେ ରାଜନୈତିକ ନେତାମାନେ ମଧ୍ୟ ଶାନ୍ତି ବଜାୟ ରଖିବା ଲାଗି ଲୋକଙ୍କୁ ନିବେଦନ କରିଛନ୍ତି । ସେହପରି ପୋଲିସ ମଧ୍ୟ ହିଂସା ସଂପର୍କରେ ଗୁଜବ ଉପରେ ବିଶ୍ବାସ ନ କରିବାକୁ ପରାମର୍ଶ ଦେଇଛି । ଶନିବାର ସନ୍ଧ୍ୟାରୁ ହିଁ ଉତ୍ତର-ପୂର୍ବ ଦିଲ୍ଲୀରେ ଦୁଇ ଗୋଷ୍ଠୀ ମଧ୍ୟରେ ଆରମ୍ଭ ହୋଇଥିଲା ମୁହାଁମୁହିଁ ପରିସ୍ଥିତି । ପ୍ରଦର୍ଶନକାରୀ ସାହିନବାଗ, ଜାଫରାବାଦ ଓ ମୌଜପୁରରେ ଧାରଣାରୁ ହଟିବା ଲାଗି ଚାହିଁ ନଥିଲେ । ଏହା ସହ କିଛି ନେତାଙ୍କ ଉଗ୍ର ବୟାନବାଜି, ନିଆଁରେ ଘିଅ ଭଳି କାମ ଦେଲା । ସେପଟେ ଗୃହ ମନ୍ତ୍ରାଳୟର କହିବା କଥା, ଏହି ହିଂସା ପଛରେ ରହିଛି ଭିନ୍ନ କାରଣ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗସ୍ତ ସମୟରେ ଭାରତର ଛବି ଖରାପ କରିବା ଲାଗି ଷଡ଼ଯନ୍ତ୍ର କାମ କରୁଛି ।