ଦୋଷ ମାନିଲା ଅଭିଯୁକ୍ତ; କହିଲା ଭଲ ଲାଗିଲାନି ତେଣୁ ଚୂଲି ଭାଙ୍ଗିଦେଲି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିର ଚୁଲି ଭଙ୍ଗା ଘଟଣା ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିଛି । ସେପଟେ ଏହି ଘଟଣାରେ ଜଣେ ଅଭିଯୁକ୍ତ ଗିରଫ ମଧ୍ୟ ହୋଇଛନ୍ତି । ଏହା ମଧ୍ୟରେ ଅଭିଯୁକ୍ତ ଜଣକ ନିଜ ଦୋଷ ମାନିବା ସହ ଏପରି କରିବାର କାରଣ କହିଛି ବୋଲି ସୂଚନା ମିଳିଛଇ । ତେବେ ପୁରୀ ଏସପି କନୱର ବିଶାଲ ସିଂହ ଅଭିଯୁକ୍ତ ବାବଦରେ ସମ୍ୟକ ସୂଚନା ଦେଇଛନ୍ତି । ତଦନ୍ତ ପ୍ରକ୍ରିୟାରେ ବାଧା ଉପୁଜିବାର ଆଶଙ୍କା ଥିବାରୁ ଅଭିଯୁକ୍ତର ପରିଚୟ ଓ ଠିକଣା ପୁଲିସ ପ୍ରକାଶ କରିନାହିଁ । କିନ୍ତୁ ଅଭିଯୁକ୍ତର ନାମ ଜେ.ମହାପାତ୍ର ବୋଲି ପୁଲିସ କହିଛି । ଜେ.ମହାପାତ୍ରଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳରେ ହୋଇଥିବାବେଳେ ତାଙ୍କ ବୟସ ୩୦ ବର୍ଷ ବୋଲି ପୁଲିସ କହିଛି । ତେବେ ଚୁଲି ଭାଙ୍ଗିବା ପଛର କାରଣ ବାବଦରେ ଏସପି କହିଛନ୍ତି ଯେ ଅଭିଯୁକ୍ତଙ୍କୁ ପଚରାଉଚୁରା କରାଯିବାରୁ ସେ କହିଥିଲା ଯେ ତାଙ୍କୁ ଭଲ ଲାଗିଲାନି ବୋଲି ଚୁଲି ଭାଙ୍ଗିଦେଇଥିଲେ ।

ଏସପି କହିଛନ୍ତି ଯେ ସିସିଟିଭି ଆଧାରରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ । ସେହିପରି ଆବଶ୍ୟକ ପଡିଲେ ରିମାଣ୍ଡରେ ଅଣାଯିବା ଏହା ମାନସିକ ବିଶେଷଜ୍ଞଙ୍କ ସହାୟତା ମଧ୍ୟ ନିଆଯିବ । ଅଭିଯୁକ୍ତ ଜଣକ ଘଟଣା ଦିନ ଶ୍ରୀମନ୍ଦିରକୁ ଆସିଥିଲା ଓ ବୁଲିଥିଲା। ଆଉ ନିଜକୁ ଭଲ ନ ଲାଗିବାରୁ ଚୁଲି ଭାଙ୍ଗିଦେଇଥିଲା ବୋଲି ଏସପି କହିଛନ୍ତି । ଅନ୍ୟପଟେ ଗତ ୨ ତାରିଖ ବିଳମ୍ବିତ ରାତିରେ ଶ୍ରୀମନ୍ଦିର ସୁରକ୍ଷା ବଳୟକୁ ଭେଦ କରି ଜଣେ ୬ ଫୁଟରୁ ଅଧିକ ଉଚ୍ଚତାର ହୃଷ୍ଟପୃଷ୍ଟ ବ୍ୟକ୍ତି ଜଣକ ଏକ ନୀଳ ରଙ୍ଗର ଜିନ୍ସ ପ୍ୟାଣ୍ଟ ଓ ଧଳା ସାର୍ଟ ପିନ୍ଧି ଶ୍ରୀମନ୍ଦିରରେ ପଶି ରୋଷଘରକୁ ଯାଇ ୪୩ଟି ଚୁଲିକୁ ଭାଙ୍ଗି ଦେଇଥିଲା।

Related Posts