ନିଜକୁ ଆଫଗାନିସ୍ତାନର ରାଷ୍ଟ୍ରପତି ଘୋଷଣା କଲେ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେ, କହିଲେ – ‘ ତାଲିବାନ ଆଗରେ ମୁଣ୍ଡ ନୁଆଁଇବି ନାହିଁ’

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଆଫଗାନିସ୍ତାନରେ ତାଲିବାନ ଶାସନ ଫେରିବା ପରେ ଏବେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏପଟେ ରାଷ୍ଟ୍ରପତି ଅସରଫ ଗନି ଦେଶଛାଡ଼ି ପଳାଇ ଯାଇଥିବା ବେଳେ ତାଲିବାନ ବିରୋଧରେ ଲଢ଼େଇ ପାଇଁ ଅଣ୍ଟା ଭିଡିଛନ୍ତି ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେ । ସାଲେ ତାଲିବାନ ବିରୋଧରେ ସ୍ୱର ଉଠାଇବା ସହ ନିଜକୁ ସେ ଆଫଗାନିସ୍ତାନର ରାଷ୍ଟ୍ରପତି ଭାବେ ଘୋଷଣା କରିଛନ୍ତି । ଯେହେତୁ ରାଷ୍ଟ୍ରପତି ଅସରଫ ଗନି ଦେଶଛାଡ଼ି ପଳାଇ ଯାଇଛନ୍ତି ତେଣୁ ସମ୍ବିଧାନ ଅନୁସାରେ ସେ (ଅମରୁଲ୍ଲା ସାଲେ) ରାଷ୍ଟ୍ରପତି ହେବାକୁ ଯୋଗ୍ୟ ବୋଲି କହିଛନ୍ତି ।

ଏନେଇ ସେ ନିଜ ଟୁଇଟରରେ ଲେଖିଛନ୍ତି ଯେ, ଦେଶର ସମ୍ବିଧାନ ଅନୁସାରେ ରାଷ୍ଟ୍ରପତିଙ୍କ ଅନୁପସ୍ଥିତି, ପଳାୟନ, ଇସ୍ତଫା କିମ୍ବା ମୃତ୍ୟୁ ପରି ଘଟଣା ଘଟିଲେ ଉପରାଷ୍ଟ୍ରପତି ଦେଶର ଶାସନ ଭାର ନିଜ ହାତକୁ ନେବା କଥା। ଆଉ ଏହି ଆଧାରରେ ସେ ନିଜକୁ ରାଷ୍ଟ୍ରପତି ଭାବେ ଘୋଷଣା କରିଛନ୍ତି ବୋଲି ଅମରୁଲ୍ଲା ସାଲେ ଟ୍ବିଟ୍ କରି ସୂଚନା ଦେଇଛନ୍ତି । କେବଳ ଏତିକି ନୁହେଁ, ତାଲିବାନ ବିରୋଧରେ ଏକାଠି ହେବାକୁ ସେ ଅପିଲ କରିଛନ୍ତି । ଅମରୁଲ୍ଲା କହିଛନ୍ତି, ଆଫଗାନିସ୍ତାନ ଭିଏତନାମ ନୁହେଁ, ଆମେ ମନୋବଳ ହରାଇନାହୁଁ ଏବଂ କେବେ ମଧ୍ୟ ତାଲିବାନ ଆଗରେ ମୁଣ୍ଡ ନୁଆଁଇବୁ ନାହିଁ  ବୋଲି ଅମରୁଲ୍ଲା ସାଲେ ଟ୍ୱିଟ୍‌ କରି ଲେଖିଛନ୍ତି ।

Related Posts