ଯମୁନା ଏକ୍ସପ୍ରେସୱେ ନିକଟରେ ସୁଟକେସ ଭିତରୁ ଯୁବତୀଙ୍କ ମୃତ ଦେହ ଉଦ୍ଧାର ଘଟଣା: ନିଜବାପା କରିଛି ହତ୍ୟା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମଥୁରାର ଯମୁନା ଏକ୍ସପ୍ରେସୱେ ନିକଟରୁ ଏକ ସୁଟକେସ ଭିତରୁ ଜଣେ ଯୁବତୀଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା । ଦିଲ୍ଲୀର ଜଣେ ୨୨ ବର୍ଷୀୟ ଯୁବତୀଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା। ତେବେ ସମ୍ପୃକ୍ତ ଯୁବତୀଙ୍କୁ ନିଜ ବାପା ହତ୍ୟା କରି ସୁଟକେଶ ଭିତରେ ଭର୍ତ୍ତି କରି ଫିଙ୍ଗି ଥିବା ପୁଲିସ କହିଛି।

ମଥୁରା ପୁଲିସ ଅଧୀକ୍ଷକଙ୍କ ଅନୁଯାୟୀ ମୃତ ଆୟୁଷୀ ଚୌଧୁରୀଙ୍କ ପିତାମାତାଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରାଯାଇଛି। ନୀତେଶ ଯାଦବ ନାମକ ଜଣେ ବ୍ୟକ୍ତି ତାଙ୍କ ଝିଅ ଆୟୁଷୀଙ୍କୁ ଗୁଳି କରି ହତ୍ୟା କରିଥିବା ପୁଲିସ କହିଛି। ଆୟୁଷୀ ଭିନ୍ନ ଜାତିର ପୁଅକୁ ବିବାହ କରିବାରୁ ଏଭଳି ପରିଣାମର ସୂତ୍ରପାତ ହୋଇଥିଲା । ତେବେ ବିବାହ ପୂର୍ବରୁ ସମ୍ପର୍କକୁ ବାପା ନୀତେଶ ଝିଅକୁ ବାରଣ କରିଥିଲେ। କିନ୍ତୁ ସେ ଶୁଣି ନଥିଲେ।

ଆୟୁଷୀ ଅନେକ ସମୟରେ ବିଳମ୍ବିତ ରାତିରେ ଘରକୁ ଫେରୁଥିଲେ। ଦକ୍ଷିଣ ଦିଲ୍ଲୀର ବଦରପୁରରେ ରହୁଥିବା ବାପା ମୃତଦେହକୁ ଚିହ୍ନଟ କରିବାକୁ ଯାଇଥିବା ବେଳେ ପୁଲିସ ତାଙ୍କୁ ପଚରାଉଚରା କରିବା ପରେ ଗିରଫ କରିଥିଲା। ହତ୍ୟାରେ ବ୍ୟବହୃତ ଅସ୍ତ୍ର ଖୋଜିବା ପାଇଁ ଏକ ପୁଲିସ ଟିମକୁ ନିୟୋଜିତ କରାଯାଇଛି। ପୁଲିସ ସୂତ୍ର ଅନୁସାରେ, ଆୟୁଷୀ ନିଜ ପରିବାରକୁ ନଜଣାଇ ଛତ୍ରପାଲ ନାମକ ଜଣେ ଯୁବକଙ୍କକୁ ବିବାହ କରିଥିଲେ।

ଏଥିରେ ତାଙ୍କ ପାରିବାର ସମ୍ମାନରେ ଆଞ୍ଚ ଆସିଥିଲା। ଫଳରେ ନୀତେଶଙ୍କ ପାଖରେ ଥିବା ଏକ ଲାଇସେନ୍ସପ୍ରାପ୍ତ ବନ୍ଧୁକରେ ଝିଅ ଆୟୁଷୀଙ୍କୁ ଗୁଳି କରି ହତ୍ୟା କରିଥିଲେ । ପରେ ତାଙ୍କ ମୃତଦେହକୁ ନୀତୀଶ ଯାଦବ ଏକ ସୁଟକେସରେ ପ୍ୟାକ୍ କରି ମଥୁରାରେ ପକାଇ ଦେଇଥିବା ପୁଲିସ କହିଛି। ଗତ ଶୁକ୍ରବାର ମଥୁରାର ଯମୁନା ଏକ୍ସପ୍ରେସୱେ ନିକଟରେ ଏକ ପ୍ଲାଷ୍ଟିକ ଆବୃତ ବଡ଼ ନାଲି ସୁଟକେସରେ ଆୟୁଷୀଙ୍କ ମୃତଦେହ ମିଳିଥିଲା। ତାଙ୍କ ମୁହଁ ଏବଂ ମୁଣ୍ଡରେ ରକ୍ତ ଛିଟା ଥିଲା । ଶରୀରରେ ମଧ୍ୟ ଆଘାତ ଚିହ୍ନ ରହିଥିଲା ​​ବୋଲି ପୁଲିସ କହିଛି। ସ୍ଥାନୀୟ ଶ୍ରମିକମାନେ ଏହି ସୁଟକେସକୁ ଦେଖି ପୁଳିସକୁ ଡାକି ଖବର ଦେଇଥିଲେ ।

Related Posts