ଦ୍ବିତୀୟ ଦିନରେ ବିବିସି କାର୍ଯ୍ୟାଳୟରେ ଆୟକର ଚଢ଼ଉ ଜାରି; କର୍ମଚାରୀଙ୍କୁ ଘରୁ କାମ କରିବାକୁ ନିର୍ଦେଶ ଦେଲା ବିବିସି

ଭୁବନେଶ୍ୱର,୧୫/୨(ସତ୍ୟପାଠ ବ୍ୟୁରୋ): ଆଜି ଦ୍ବିତୀୟ ଦିନରେ ମଧ୍ୟ ଆୟକର ଅଧିକାରୀମାନେ ‘ବିବିସି’ର ଦିଲ୍ଲୀ ଓ ମୁମ୍ବାଇ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରଖିଛନ୍ତି। ତେଣୁ ପ୍ରସାରଣ ବିଭାଗକୁ ଛାଡ଼ି ବାକି ସମସ୍ତ କର୍ମଚାରୀଙ୍କୁ ଘରୁ କାମ କରିବା ପାଇଁ ‘ବିବିସି’ ଇ-ମେଲ୍‌ କରି କହିଛି। ସମସ୍ତ କର୍ମଚାରୀଙ୍କୁ ପଠାଇଥିବା ଇ-ମେଲ୍‌ରେ ‘ବ୍ରିଟିସ୍‌ ବ୍ରଡ୍‌କାଷ୍ଟିଙ୍ଗ୍‌ କର୍ପୋରେସନ୍‌’ ଏହା ମଧ୍ୟ କହିଛି ଯେ, ଯଦି ଆୟକର ବିଭାଗ ପକ୍ଷରୁ ବ୍ୟକ୍ତିଗତ ଆୟ ବିଷୟରେ ପଚରାଯାଏ ତା’ହେଲେ କର୍ମଚାରୀମାନେ ଉତ୍ତର ନ ଦେଲେ ଚଳିବ। କିନ୍ତୁ, କର୍ମଚାରୀମାନେ ବେତନ ସମ୍ବନ୍ଧୀୟ ସମସ୍ତ ପ୍ରଶ୍ନର ଉତ୍ତର ଦେବା ଉଚିତ। ସମସ୍ତ ପ୍ରଶ୍ନର ସ୍ପଷ୍ଟ ଉତ୍ତର ଦେଇ ଆୟକର ଅଧିକାରୀମାନଙ୍କୁ ସହଯୋଗ କରିବା ଲାଗି ‘ବିବିସି’ ତା’ର କର୍ମଚାରୀଙ୍କୁ ପରାମର୍ଶ ଦେଇଛି।

ଉଲ୍ଲେଖଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ୨୦୦୨ର ଭୟବହ ଗୁଜରାଟ ଦଙ୍ଗା ଉପରେ ଆଧାରିତ ଏକ ବିବାଦୀୟ ଡକ୍ୟୁମେଣ୍ଟାରୀ ପ୍ରସାରଣ କରିବାର କିଛି ସପ୍ତାହ ପରେ ଭାରତୀୟ ଆୟକର ଅଧିକାରୀମାନେ ଭାରତରେ ଥିବା ‘ବିବିସି’ କାର୍ଯ୍ୟାଳୟରେ ମଙ୍ଗଳବାର ଦିନ ଚଢ଼ଉ କରିଥିଲେ।

ଏହି ଚଢ଼ଉ ଓ ତଲାସ ସନ୍ଦେହ ସୃଷ୍ଟି କରୁଥିବାବେଳେ ଏନେଇ ଯୁକ୍ତରାଷ୍ଟ୍ର ଆମେରିକା ବୈଦେଶିକ ବିଭାଗର ମୁଖପାତ୍ର ନେଡ୍‌ ପ୍ରାଇସ୍‌ କହିଛନ୍ତି, ବିଶ୍ବବ୍ୟାପୀ ଅବାଧ ସାମ୍ବାଦିକତା ପ୍ରତି ଆମର ସମର୍ଥନ ରହିଛି। ସମଗ୍ର ବିଶ୍ବରେ ଗଣତନ୍ତ୍ରକୁ ସୁଦୃଢ଼ କରୁଥିବା ମତବ୍ୟକ୍ତ ଅଧିକାର ଏବଂ ଧର୍ମ ବା ବିଶ୍ବାସ ଅଧିକାରର ଗୁରୁତ୍ବ ଉପରେ ଆମେ ପ୍ରାଧାନ୍ୟ ଦେବୁ। ଏହା ଏ ଦେଶର ଗଣତନ୍ତ୍ରକୁ ସୁଦୃଢ଼ କରିଛି। ଏହା ଭାରତର ଗଣତନ୍ତ୍ରକୁ ବି ସୁଦୃଢ଼ କରିଛି।

ତେବେ ମିଳିଥିବା ଖବର ଅନୁସାରେ ମଙ୍ଗଳବାର ସକାଳୁ ତଲାସ ଜାରି ରଖିଥିବା ଆୟକର ଅଧିକାରୀମାନେ ଆଜି ବିବିସିର ଆକାଉଣ୍ଟ୍‌ ଉପରେ ଧ୍ୟାନ ନିବେଶ କରି ‘ବିବିସି’ର ଉଚ୍ଚପଦସ୍ଥ ପରିଚାଳକମାନଙ୍କୁ ପଚରାଉଚରା କରିବେ।

Related Posts