(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ୨୦୧୮ରୁ ଠିକାରେ ଚାଲିଛି କଟକର ପରିମଳ ଦାୟିତ୍ବ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ବିବିଜି ସିଣ୍ଡିକେଟ୍ ପ୍ରାଇଭେଟ୍ ଲିମିଟେଡ୍ ପ୍ରତି ସିଏମସି କର୍ତ୍ତୃପକ୍ଷଙ୍କ ଏତେ ଅନୁକମ୍ପା କାହିଁକି ? କଟକର ପରିମଳ ମହାଦୁର୍ନୀତିକୁ ନେଇ ବାରମ୍ବାର ଅଭିଯୋଗ ଆସୁଛି। ଏହି ପ୍ରସଙ୍ଗ ବିଧାନସଭାରେ ମଧ୍ୟ ଉଠିଛି ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ସଚିବଙ୍କୁ ଚିଠି ପରେ ବି ସହରର ପରିମଳ ସ୍ଥିତି ସୁଧୁରୁ ନାହିଁ।
ପୂର୍ବରୁ ଟେଣ୍ଡର ମାଧ୍ୟମରେ କଟକର ପରିମଳ ବ୍ୟବସ୍ଥାର ପରିଚାଳନା ଦାୟିତ୍ବ ନେଇଥିବା ରାମ୍କିର ଅବଧି ୨୦୧୬ରେ ଶେଷ ହେବା ପରେ ମଧ୍ୟ ୨୦୧୮ ପର୍ଯ୍ୟନ୍ତ ସଂପୃକ୍ତ ସଂସ୍ଥା ଠିକାରେ କାର୍ଯ୍ୟ କରୁଥିଲା।
ଏହା ପରେ ୨୦୧୮ରୁ ବିବିଜି ସିଣ୍ଡିକେଟ୍ ଠିକାରେ ପରିମଳ ପରିଚାଳନା କାର୍ଯ୍ୟ ତୁଲାଇ ଆସୁଛି। ପରିମଳ ଟେଣ୍ଡର ଦୁର୍ନୀତି ମାମଲା ହାଇକୋର୍ଟରେ ଗଡୁଛି। ଏପଟେ ତ୍ରୁଟି ସୁଧାରି ସ୍ଥିତିକୁ ବ୍ୟବସ୍ଥିତ କରିବା ପରିବର୍ତ୍ତେ କର୍ତ୍ତୃପକ୍ଷ କୋର୍ଟ ଆଳରେ ଦେଖାଇ ନିରବ ଦ୍ରଷ୍ଟା ସାଜିଛନ୍ତି। ମାସକୁ ପରିମଳ ପରିଚାଳନା ବାବଦକୁ ହାରାହାରି ୨ କୋଟି ଟଙ୍କା ନେଉଥିବା ବିବିଜି ସିଣ୍ଡିକେଟ୍ ନିଜ ଇଚ୍ଛାରେ କାମ କରୁଥିବା ବେଳେ ସିଏମସି କର୍ତ୍ତୃପକ୍ଷଙ୍କ ନିରବତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏମିତିକି ୨୦୨୦ କରୋନା କାଳରେ ଚାରିଆଡ଼େ ତାଲାବନ୍ଦ ଥିବା ବେଳେ ଏହି ସଂସ୍ଥା ସାଧାରଣ ସମୟ ଠାରୁ ବି ଅଧିକ ଆବର୍ଜନା ଉଠାଉଥିବା ଦର୍ଶାଇ ବିଲ୍ କରିଥିବା ନେଇ ଆରଟିଆଇ ତଥ୍ୟରୁ ଜଣାପଡିଥିଲା। ଦୈନିକ ହାରାହାରି ସହରରୁ ୧୮୦ରୁ ୨୦୦ ମେଟ୍ରିକ ଟନ୍ ଆବର୍ଜନା ଉଠୁଥିବା ବେଳେ ଲକଡାଉନ୍ ସମୟରେ ହାରାହାରି ୧୩୬ ମେଟ୍ରିକ ଟନ୍ ଅଧିକ ଆବର୍ଜନା ଉଠିଛି ଦର୍ଶାଇ ବିଲ୍ କରାଯାଇଥିଲା।ବିଗତ ୭ ବର୍ଷ ହେବ ସତୀଚୌରାରେ ଥିବା ଓଜନ କଣ୍ଟା ଅଚଳ ହୋଇ ପଡିଥିବା ବେଳେ ଏଭଳି ହାରାହାରି ହିସାବରେ ଆବର୍ଜନା ପରିବହନ ବିଲ୍ କରି ଉକ୍ତ ସଂସ୍ଥାକୁ ପଇଠ କରାଯାଉଛି। ଗତ ଏପ୍ରିଲ ମାସରେ କଟକର ପରିମଳ ମହାଦୁର୍ନୀତି ମାମଲାରେ ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ।
ଶ୍ରୀ ମିଶ୍ର ଏହି ମହା ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବି କରିଥିଲେ। ପରବର୍ତ୍ତୀ ସମୟରେ କଟକର ବରିଷ୍ଠ ନେତା ଅଶୋକ ସାମଲ ମଧ୍ୟ ଏ ନେଇ ନଗର ଉନ୍ନୟନ ସଚିବଙ୍କୁ ଚିଠି ଲେଖି ଏହି ଦୁର୍ନୀତିର ତଦନ୍ତ ଦାବି କରିଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏ ଦିଗରେ କୌଣସି ପଦକ୍ଷେପ ନେଇ ନଥିବା ବେଳେ ମହାନଗରର ପରିମଳ ସ୍ଥିତି ଅଧିକରୁ ଅଧିକ ବିଗିଡିବାରେ ଲାଗିଛି। ଅନ୍ୟପକ୍ଷରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ନେଇ କଟକ ମହାନଗରବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ସିଏମସି କର୍ତ୍ତୃପକ୍ଷଙ୍କ ନିରବତାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି।