ଅକ୍ଟୋବରରୁ ବଜାରକୁ ଆସିବ କୋଭାଭାକ୍ସ: ୨୦୨୨ରେ ଛୋଟ ପିଲାଙ୍କ ପାଇଁ ଉପଲବ୍ଧ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଭାରତକୁ ଖୁବଶୀଘ୍ର ମିଳିବ ଆଉ ଏକ କରୋନା ଟିକା । ଆମେରିକା ଫାର୍ମାସ୍ୟୁଟିକାଲ୍ସ ଫାର୍ମାର କରୋନା ଟିକା କୋଭାଭାକ୍ସ ଉଭୟ ପ୍ରାପ୍ତ ବୟସ୍କ ଓ ଶିଶୁଙ୍କ ପାଇଁ ଶୀଘ୍ର ଲଞ୍ଚ ହେବାକୁ ଯାଉଛି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ସିରମ ଇନଷ୍ଟିଚ୍ୟୁଟ ସିଇଓ ଅଦାର ପୁନାୱାଲା ।

ସେ କହିଛନ୍ତି ଯେ, କୋଭୋଭାକ୍ସ ଆସନ୍ତା ଅକ୍ଟୋବର ସୁଦ୍ଧା ପ୍ରାପ୍ତ ବୟସ୍କଙ୍କ ପାଇଁ ଉପଲବ୍ଧ ହେବ। କିନ୍ତୁ ଛୋଟ ପିଲାଙ୍କୁ କୋଭୋଭାକ୍ସ ଟିକା ୨୦୨୨ ମସିହା ଜାନୁଆରୀ କିମ୍ବା ଫେବୃଆରୀ ମିଳିବ। ତେବେ ଏହା ଭାରତୀୟ ଔଷଧ ନିୟାନ୍ତ୍ରକ ବା ଡିସିଜିଆଇଙ୍କ ଅନୁମତି ଉପରେ ନିର୍ଭର କରେ ବୋଲି ପୁନାୱାଲା କହିଛନ୍ତି ।

ଆମେରିକା ଫାର୍ମାସ୍ୟୁଟିକାଲ୍ସ ଫାର୍ମା ନୋଭାଭାକ୍ସ ଭାରତରେ କୋଭାଭାକ୍ସ ନାମରେ କରୋନା ଟିକା ଆଣିବାକୁ ଯାଉଛି । ଏହାକୁ ଭାରତ ପାଇଁ ପ୍ରସ୍ତୁତ କରିବାକୁ ଚୁକ୍ତିବଦ୍ଧ ହୋଇଛି ସିରମ ଇନଷ୍ଟିଚ୍ୟୁଟ । ପୁନାୱାଲା ଆହୁରି କହିଛନ୍ତି ଯେ ତାଙ୍କ କମ୍ପାନୀ ସବୁବେଳେ ଲୋକଙ୍କ ଚାହିଦାକୁ ମେଣ୍ଟାଇବା ପାଇଁ କୋଭିସିଲ୍ଡ ଟିକାର ଉତ୍ପାଦନ ବୃଦ୍ଧି କରିବାକୁ ପ୍ରୟାସ କରୁଛି।
ପୂର୍ବରୁ ସେପ୍ଟେମ୍ବର ସୁଦ୍ଧା କୋଭାଭାକ୍ସ ଟିକା ଭାରତରେ ଉପଲବ୍ଧ ହେବ ବୋଲି ଶୁଣାଯାଉଥିଲା ।

ସେ କହିଛନ୍ତି, ଛୋଟ ପିଲାମାନଙ୍କ ପାଇଁ କୋଭୋଭାକ୍ସ ଟିକା ଆସନ୍ତା ବର୍ଷ ପ୍ରଥମ କ୍ୱାର୍ଟରରେ ଲଞ୍ଚ ହେବ। ସମ୍ଭବତଃ ଜାନୁଆରୀ କିମ୍ବା ଫେବୃଆରୀରୁ ଏହା ମିଳିବ। ତେବେ ପ୍ରାପ୍ତ ବୟସ୍କଙ୍କ ପାଇଁ ଏହା ଅକ୍ଟୋବରରେ ଲଞ୍ଚ ହେବାର ସମ୍ଭାବନା ରହିଛି। ତଥାପି ସବୁ କିଛି ଡିସିଜିଆଇର ଅନୁମୋଦନ ଉପରେ ନିର୍ଭର କରୁଛି। ତେବେ କୋଭାଭାକ୍ସ ମଧ୍ୟ ଦୁଇ ଡୋଜ୍‌ ବିଶିଷ୍ଟ ଟିକା ହେବ ବୋଲି ସେ କହିଛନ୍ତି । ତେବେ ଏହାର ଦାମ ଲଞ୍ଚ ବେଳେ ହିଁ ଜଣାପଡ଼ିବ ବୋଲି ସେ ସୂଚନା ଦେଇଛନ୍ତି।

Related Posts