(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଶନିବାର ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ସମ୍ବଲପୁରର ପ୍ରତିଷ୍ଠିତ ମା’ ସମଲେଶ୍ୱରୀ ମନ୍ଦିରରେ ଲାଇଟ୍ ଆଣ୍ଡ ସାଉଣ୍ଡ୍ ଶୋ’କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ। ତେବେ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିବା ବେଳେ ଏହାର ନିର୍ଦ୍ଦିଷ୍ଟ କେତେକ ଦୃଶ୍ୟକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି।
ବଜରଙ୍ଗ ଦଳ ପ୍ରାନ୍ତ ସଂଯୋଜକ ସୁଧୀର ରଞ୍ଜନ ବହିଦାର ଅଭିଯୋଗ କରିଛନ୍ତି ଯେ , ‘ ସରକାରଙ୍କ ଏହି ସୋ’ ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ ଅଟେ। କିନ୍ତୁ, ଆମର ଅଧିଷ୍ଠାତ୍ରୀ ଦେବୀ ମା’ଙ୍କ ମନ୍ଦିର ଉପରେ ଯୋତାର ଛବି ଦେଖିବା ବହୁତ ଦୁଃଖଦାୟକ ଘଟଣା। ଏହା ଆମର ଦେବୀ ମା’ଙ୍କ ପବିତ୍ରତା ଆଉ ଆଧ୍ୟତ୍ମିକତାକୁ ନଷ୍ଟ କରୁଥିବାରୁ ବଜରଙ୍ଗ ଦଳ ଏହାର ବିରୋଧ କରିଛି। ଯଥାଶୀଘ୍ର ଲାଇଟ୍ ଆଣ୍ଡ ସାଉଣ୍ଡ୍ ଶୋ’ରୁ ଯୋତାର ଛବିକୁ ହଟାଇବାକୁ ସେ ଦାବି କରିଛନ୍ତି। ନଚେତ, ଆଗାମୀ ଦିନରେ ସୋ’କୁ ମନ୍ଦିରରେ ଚଳାଇବାକୁ ଦିଆଯିବ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ” ଆମର ମାଁ’ଙ୍କ ଅସମ୍ମାନ ହେବାକୁ ଦେବୁ ନାହିଁ । ” ସେହିପରି କବି ତଥା ଐତିହାସିକ ଡ. ଶଶାଙ୍କ ଶେଖର ପଣ୍ଡା ଏହି କାର୍ଯ୍ୟକ୍ରମର କେତେକ ଦୃଶ୍ୟକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ମାଁ ସମେଲଶ୍ବରୀଙ୍କ ମନ୍ଦିର ଶିଖରରେ ଏବଂ ଜଗମୋହନ ହଲ୍ ଉପରେ ରଂଗୀନ ଆଲୋକ ମାଧ୍ୟମରେ ପ୍ରଦର୍ଶନ କରି ଏକ ଦୃଶ୍ୟରେ ଜଣେ ବାଦ୍ଶାହାଙ୍କର ଦରବାରୀ ରାଜପୋଷାକ ପିନ୍ଧି ବସିଥିବାର ଏବଂ ତାଙ୍କ ପଛରେ ଅମୀର ଖୁସ୍ରୁ ଭଳି ଜଣେ ଦରବାରୀ ମୋଗଲ ଶାସନ ସମୟର ଗୋଲାକାର ପଗଡ଼ି ପିନ୍ଧିଥିବାର ଦୃଶ୍ୟ ପଶ୍ଚିମ ଓଡ଼ିଶାବାସୀଙ୍କ ଧର୍ମଭାବନା ଉପରେ କୁଠାରାଘାତ ବୋଲି ସେ କହିଛନ୍ତି। ଓଡ଼ିଶା ସରକାର ଏହି ବିବାଦାସ୍ପଦ ଧର୍ମବିରୋଧୀ ଦୃଶ୍ୟକୁ ନହଟାଇଲେ ଭବିଷ୍ୟତରେ ଏହା ବିପଦ ସୃଷ୍ଟି କରିପାରେ ବୋଲି ଡ.ପଣ୍ଡା କହିଛନ୍ତି।
ସୂଚନାଯୋଗ୍ୟ ଯେ, ପ୍ରାୟ ସାଢ଼େ ୭କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ଏହି ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’ କରାଯାଇଛି। ୩୭ମିନିଟର ଏହି ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’କୁ ଉଭୟ ଓଡ଼ିଆ ଓ ହିନ୍ଦି ଭାଷାରେ ଅନୁଭବ କରିହେବ।