ପୁଣି ତାଜ ମହଲକୁ ନେଇ ବିବାଦ: ଜୟପୁର ରାଜ ପରିବାରର ଦାୟଦ ରାଜ କୁମାରୀ ଦୀୟା କୁମାରୀଙ୍କ ଅଜବ ଦାବି

ଜୟପୁର: ପୁଣି ତାଜ ମହଲକୁ ନେଇ ମୁଣ୍ଡ ଟେକିଲା ବିବାଦ । ଭାରତୀୟ ଜନତା ପାର୍ଟିର ସାଂସଦ ତଥା ଜୟପୁର ରାଜ ପରିବାରର ଦାୟଦ ରାଜ କୁମାରୀ ଦୀୟା କୁମାରୀ ତାଜମହଲ କୁ ନେଇ ଅଜବ ଦାବି କରିଛନ୍ତି। ତାଜ ମହଲ ତିଆରି ହୋଇଥିବା ଜମିର ମାଲିକାନା ବାସ୍ତବରେ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ରହିଥିବା ସେ କହିଛନ୍ତି । ଏହି ଦାବିକୁ ପ୍ରମାଣ କରିବା ପାଇଁ ତାଙ୍କ ପାଖରେ ଉପଯୁକ୍ତ ଦସ୍ତାବିଜ ରହିଥିବା ମଧ୍ୟ ଦିୟା କୁମାରୀ କହିଛନ୍ତି।

ତାଜ ମହଲରେ ବନ୍ଦ ରହିଥିବା ୨୨ଟି ରୁମ୍‌ରେ ହିନ୍ଦୁ ଦେବଦେବୀଙ୍କ ମୂର୍ତ୍ତି ରହିଛି। ଏହାର ଯାଞ୍ଚ କରିବାକୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍‌ଆଇ)କୁ ନିର୍ଦ୍ଦେଶ ଦେବାକୁ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଗୋଟିଏ ଆବେଦନ କରାଯାଇଥିଲା। ଏହି ଆବେଦନ ପରେ ହିଁ ଦୀୟା କୁମାରୀ ତାଜ ମହଲ ତିଆରି ହୋଇଥିବା ଜମି ଉପରେ ନିଜର ମାଲିକାନା ଜାହିର କରିଛନ୍ତି।

ଏହି ଆବେଦନର ସମର୍ଥନରେ ମତ ରଖି ଦୀୟା କୁମାରୀ କହିଛନ୍ତି, “ତାଜ ମହଲ ଉକ୍ତ ଜମିରେ ତିଆରେ ହେବା ପୂର୍ବରୁ ସେଠାରେ କ’ଣ ଥିଲା, ତା’ର ତଦନ୍ତ ହେବା ଜରୁରୀ। କବର ଉପରେ ତିଆରି ହୋଇଥିବା ସ୍ମାରକୀ ବା ମକବରା ପୂର୍ବରୁ ବାସ୍ତବରେ ସେଠାରେ କ’ଣ ସବୁ ରହିଥିଲା, ତାହା ଜାଣିବାର ଅଧିକାର ଲୋକଙ୍କର ରହିଛି।

ମୋଗଲ ଶାସକ ଶାହ ଜାହାଜ ଏହି ଜମିର ମାଲିକାନା ବଳ ପୂର୍ବକ ହାସଲ କରିଥିଲେ। ଜମି ନେବାକୁ ଲୋକଙ୍କୁ ଟଙ୍କା ଯଚା ଯାଇଥିଲା। ହେଲେ କେତେ ଟଙ୍କା ଦିଆଯାଇଥିଲା? ଏହାକୁ କେହି ଗ୍ରହଣ କରିଛନ୍ତି କି ନାହିଁ? ସେକଥା ମୁଁ ଜାଣିନି। କାରଣ ସେ ରେକର୍ଡକୁ ମୁଁ ଭଲ ଭାବେ ପଢ଼ିନି। ଉକ୍ତ ଜମିର ମାଲିକାନା ଆମ ରାଜ ପରିବାର ପାଖରେ ଥିଲା। ଏହାର ରେକର୍ଡ ପୋଥିଖାନାରେ ରହିଛି। ଏହି ଜମି ଆମର ଥିଲା ଓ ଶାହ ଜାହାନ ଏହାକୁ ଆମ ଠାରୁ ନେଇଥିଲେ। ଜମି ନେବା ପରେ କୌଣସି ପ୍ରକାରର ଆବେଦନ ହୋଇ ନଥିଲା। କାରଣ ସେତେବେଳେ କୌଣସି ନ୍ୟାୟପାଳିକା ନଥିଲା। ସବୁ କିଛି ରେକର୍ଡ ଯାଞ୍ଚ କରିବା ପରେ ସ୍ପଷ୍ଟ ହୋଇଯିବ।”

ତାଜ ମହଲକୁ ମୋଗଲ ସମ୍ରାଟ ଶାହ ଜାହାନ ତାଙ୍କ ପତ୍ନୀ ମମତାଜଙ୍କ ସ୍ମୃତିରେ ତିଆରି କରିଥିଲେ। ୧୬୩୧ରେ ଏହି ସ୍ମାରକୀ ତିଆରି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହାର ବିଧିବଦ୍ଧ କାମ ଗୋଟିଏ ବର୍ଷ ପରେ ଆରମ୍ଭ ହୋଇଥିଲା। ୨୨,୦୦୦ ଶ୍ରମିକ ଦୀର୍ଘ ୨୨ ବର୍ଷ ପରିଶ୍ରମ କରି ଏହି ବିରାଟ ସ୍ମାରକୀ ତିଆରି କରିଥିଲେ। ଏହାର କାମ ୧୬୫୩ ମସିହାରେ ଶେଷ ହୋଇଥିଲା।

କିନ୍ତୁ ଏବେ ତାଜ ମହଲ ପୂର୍ବରୁ ସେଠାରେ ଶିବ ମନ୍ଦିର ଥିଲା ବୋଲି ବିଜେପି ନେତାମାନେ ଦାବି କରୁଛନ୍ତି।

Related Posts