ବାଲିଯାତ୍ରାକୁ ନେଇ ବିବାଦ; ସଂପୂର୍ଣ୍ଣ ଆୟବ୍ୟୟର ସ୍ପେସାଲ ଅଡିଟ କରିବାକୁ ଦାବି କଲେ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ

ଭୁବନେଶ୍ଵର ( ସତ୍ୟପାଠ ବ୍ୟୁରୋ ): ୨ବର୍ଷ ପରେ ଆୟୋଜିତ ହୋଇଥିବା କଟକର ଐତିହାସିକ ବାଲିଯାତ୍ରା କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇ ୧୦ ଦିନ ଚାଲିବ ପରେ ଗତକାଲି ଉଦଯାପିତ ହୋଇଛି। ତେବେ ବର୍ତ୍ତମାନ ବାଲିଯାତ୍ରାକୁ ନେଇ ବିବାଦ ଉଠିଛି। ବାଲିଯାତ୍ରାରେ ଜିଲ୍ଲା ପ୍ରଶାସନର ମନମୁଖୀ କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଉଭୟ ମହାନଗର ପୂଜା କମିଟି ଓ ଶାନ୍ତି କମିଟି। ମହାନଗର ପୂଜା କମିଟି ସମ୍ପାଦକ ତଥା ବାଙ୍କୀ ର ପୂର୍ବତନ ବିଜେଡି ବିଧାୟକ ପ୍ରଭାତ ତ୍ରିପାଠୀ କହିଛନ୍ତି ଯେ, ସମ୍ପୂର୍ଣ୍ଣ ବାଲିଯାତ୍ରାକୁ ସ୍ପେସାଲ ଅଡିଟ କରାଯାଉ। ଏଥର ବାଲିଯାତ୍ରାରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ଓ କେତେ ଆୟ ହୋଇଛି ତାହା ସର୍ବସମ୍ମୁଖକୁ ଆସିବା ଦରକାର ବୋଲି ପ୍ରଭାତ କହିଛନ୍ତି।

କାରଣ ଗୋଟିଏ ପଟେ ବ୍ୟବସାୟ ଅନ୍ୟପଟେ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହା ସମସ୍ତେ ଜାଣିବାର ଅଧିକାର ରହିଛି ବୋଲି କହିଛନ୍ତି ମହାନଗର ପୂଜା କମିଟି ସମ୍ପାଦକ। ଏହାସହ ନିମନ୍ତ୍ରଣ କରାଯାଇଥିବା ଅତିଥି ଚୟନ, ନିମନ୍ତ୍ରଣ ପତ୍ର ବଣ୍ଟନରେ ବିଭ୍ରାଟ, ମଞ୍ଚର ନାମକରଣ, ଅଶ୍ଳୀଳ ସଙ୍ଗୀତ ପରିବେଷଣ କରାଯିବା ଘଟଣା ଘଟିଛି। ଏହା ରାଜ୍ୟବାସୀଙ୍କୁ ଶକ୍ତ ଆଘାତ ଦେଇଛି । ଏହାଛଡ଼ା ଉତ୍କଳ ଗୌରବ ମଧୁସଦନ ଦାସଙ୍କ ନାଁ ରେ ମଧୁମଞ୍ଚ କରିବା ପାଇଁ ବାଲିଯାତ୍ରାରେ ଜାଗା ଟିକେ ନ ମିଳିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ଏହାଛଡ଼ା ବାଲିଯାତ୍ର ମଞ୍ଚ ଉପରୁ ‘ନବୀନ ବାବୁ ଆମେ ତୁମ ଫ୍ୟାନ’ ଗୀତ ଗାଇବା ଉପରେ ଉଠିଥିବା ବିବାଦ ଉପରେ ମଧ୍ୟ ପ୍ରଭାତ ପ୍ରଶ୍ନ ଉଠାଇଛନ୍ତି। ଓଡ଼ିଶା ଐତିହ୍ୟ ବହନ କରୁଥିବା ବାଲିଯାତ୍ରା ଭଳି ମଞ୍ଚ ଉପରୁ ନବୀନ ବନ୍ଦନା ଗାନ ଠିକ୍ ହୋଇନାହିଁ ବୋଲି ପ୍ରଭାତ କହିଛନ୍ତି।

ଏହା ବ୍ୟତୀତ କଟକ ଇନ କଟକ, ଦୋକାନ ବଜାର, ମଧ୍ୟରେ ଅହଂକାର ଭରି ରହିଥିଲା ବୋଲି କହିଛି ମହାନଗର ପୂଜା କମିଟି। ଗୋଟିଏ ପଟେ ବାଲିଯାତ୍ରା କୁ ଜାତୀୟ ସ୍ତରୀୟ ମାନ୍ୟତା ଦେବା ଲାଗି ସବୁ ପ୍ରୟାସ ଜାରି ରହିଛି। ହେଲେ ଏପରି ବିଭ୍ରାଟ କେବେ ବି ଗ୍ରହଣୀୟ ନୁହେଁ। ତେଣୁ ବାଲିଯାତ୍ରା ପରିଚାଳନା ଦାୟିତ୍ୱ ଓ ନିଷ୍ପତ୍ତି ନେବାର ଅଧିକାର ପ୍ରତ୍ୟକ୍ଷ ଭାବରେ ରାଜ୍ୟ ସରକାର ନିଅନ୍ତୁ ବୋଲି ମହାନଗର ପୂଜା କମିଟି ଓ ଶାନ୍ତି କମିଟି ପକ୍ଷରୁ ଦାବି କରାଯାଇଛି।

Related Posts