(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନା ମହାମାରୀ ଯୋଗୁଁ ରାଜ୍ୟ ସରକାର ଜାରି କରିଥିବା ପାର୍ବଣ ଗାଇଡଲାଇନକୁ ବିରୋଧ ବଢ଼ିବାରେ ଲାଗିଛି। ପାର୍ବଣରେ ୪ ଫୁଟ୍ ମୂର୍ତ୍ତି ଓ ମଣ୍ଡପରେ ପରଦା ଟାଣି ପୂଜା ପାଇଁ ସରକାରଙ୍କ ନିର୍ଦ୍ଦେଶନାମା ବିରୋଧରେ କଟକରେ ବିରୋଧ ପ୍ରଦର୍ଶନ ବଢିବାରେ ଲାଗିଛି । ଗତ କିଛିଦିନ ତଳେ କଟକ ସହରବାସୀ ବର୍ଷାରେ ଭିଜି ଭିଜି ରାସ୍ତାରେ ଆଣ୍ଠେଇ ପାର୍ବଣ ଋତୁ ଗାଇଡଲାଇନ ବିରୋଧରେ ଅଭିନବ ପ୍ରତିବାଦ କରିଥିଲେ। ବର୍ତ୍ତମାନ ଏହି ପ୍ରସଙ୍ଗରେ ବିଜେପି ପକ୍ଷରୁ କଟକ ବନ୍ଦ ଡାକରା ଦିଆଯାଇଛି।
ଗଣେଶ ପୂଜା ସମୟରେ ବିଭିନ୍ନ ପୂଜା ମଣ୍ଡପରେ ମୃଣ୍ମୟୀ ମୂର୍ତ୍ତିଙ୍କ ମୂର୍ତ୍ତି ଗଢା ପ୍ରକ୍ରିୟାର ଶୁଭାରମ୍ଭ ହୋଇଥାଏ। ତେଣୁ ସରକାର ତା ପୂର୍ବରୁ ଏହି କଟକଣା ହଟାନ୍ତୁ ନଚେତ ଆସନ୍ତା ୧୩ ତାରିଖରେ ପ୍ରତିବାଦ ସ୍ବରୂପ କଟକ ବନ୍ଦ ରହିବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି।
ଏକ ସାମ୍ବାଦିକ ସମ୍ମିଳନୀରେ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ, ବରିଷ୍ଠ ନେତା ବିନୋଦ ଦାସ, ଲକ୍ଷ୍ମୀଧର ପ୍ରଧାନ, ଦୟାନିଧି ଲେଙ୍କା, ଅକ୍ଷୟ ଆଚାର୍ଯ୍ୟ, ଗୀତା ଦାସ, ଲଲାଟେନ୍ଦୁ ଦାସ, ଜ୍ୟୋତିରଂଜନ ପଲାଇ, ସବିତାରଂଜନ ପଟ୍ଟନାୟକ, ଦେବାଶିଷ ରାୟ, ବିବେକାନନ୍ଦ ନାୟକ, ହରପ୍ରସନ୍ନ ଦାସ, ନରେଶ ସାହୁ, ସୁକାନ୍ତ କୁମାର ବିଶ୍ବାଳ ପ୍ରମୁଖ ରାଜ୍ୟ ସରକାରଙ୍କର ଏହି ନିଷ୍ପତ୍ତିକୁ ଦୃଢ ନିନ୍ଦା କରିଥିଲେ। ବିଜେପି ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ ସମୟରେ ସରକାର ପ୍ରାୟ ସବୁ କଟକଣାକୁ ବହୁମାତ୍ରାରେ କୋହଳ କରି ସାରିଛନ୍ତି।
ସମସ୍ତ ଧର୍ମାନୁଷ୍ଠାନ, ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ, ସିନେମା ହଲ୍, ଯାତ୍ରା ଇତ୍ୟାଦି ଖୋଲି ସାରିଛି। ଏଭଳି ସ୍ଥିତିରେ କେଉଁ ଆଧାରରେ ସରକାର ମୂର୍ତ୍ତିର ଉଚ୍ଚତା ୪ ଫୁଟ ଧାର୍ଯ୍ୟ କରିଛନ୍ତି ଆଉ ମଣ୍ଡପରେ ପରଦା ଟାଣି ପୂଜା କରିବାକୁ କହୁଛନ୍ତି। ସରକାରଙ୍କ ଏଭଳି ନିଷ୍ପତ୍ତି ପଛର କାରଣ ବୁଝା ପଡୁ ନାହିଁ।
ବିଭିନ୍ନ ପୂଜା କମିଟି, ଶାନ୍ତି କମିଟି, ସାମାଜିକ ସଂଗଠନ ଏହାକୁ ବିରୋଧ କରି ଚାଲିଥିଲେ ବି ସରକାର ନିଜ ଜିଦରେ ଅଟଳ ଅଛନ୍ତି। ଲୋକେ ସମସ୍ତ କଟକଣାକୁ ସମ୍ମାନ ଜଣାଇବା ସହିତ କୋଭିଡ୍ ଗାଇଡଲାଇନକୁ ମଧ୍ୟ ସ୍ବାଗତ କରୁଛନ୍ତି। କିନ୍ତୁ ଏଭଳି କଟକଣା ଧାର୍ମିକ ଭାବନା ପ୍ରତି କୁଠାରଘାତ କରୁଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି।