ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ବିବାଦୀୟ ଟ୍ୱିଟ ପ୍ରସଙ୍ଗ; ଉଦିତ ରାଜଙ୍କୁ ନୋଟିସ୍ ଜାରି କଲେ ଜାତୀୟ ମହିଳା କମିଶନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଆପତିଜନକ ମନ୍ତବ୍ୟ ଦେଇଛନ୍ତି କଂଗ୍ରେସ ନେତା ଉଦିତ ରାଜ। ତାଙ୍କର ଏହି ମନ୍ତବ୍ୟକୁ ଏବେ ଚାରିଆଡ଼େ ସମାଲୋଚନା କରାଯାଉଛି। ଏହି ପ୍ରସଙ୍ଗରେ କଂଗ୍ରେସ ନେତା ଉଦିତ ରାଜଙ୍କୁ ଜାତୀୟ ମହିଳା କମିଶନଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ଅନ୍ୟପଟେ ଏହି ପ୍ରସଙ୍ଗରେ ବିଜେପି ପକ୍ଷରୁ କଂଗ୍ରେସକୁ ଟାର୍ଗେଟ କରାଯାଇଛି ।

ତେବେ ନିକଟରେ ରାଷ୍ଟ୍ରପତି ଗୁଜରାଟ ଗସ୍ତରେ ଯାଇଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାବରମତୀ ଆଶ୍ରମ ଯିବା ପରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ ଗୁଜରାଟରେ ଦେଶର ୭୦ପ୍ରତିଶତ ଲୁଣ ପ୍ରସ୍ତୁତ କରାଯାଏ । ଏହା କୁହାଯାଇ ପାରିବ ଯେ ଦେଶବାସୀ ଗୁଜରାଟର ଲୁଣ ଖାଆନ୍ତି ।

ରାଷ୍ଟ୍ରପତିଙ୍କ ଏହି ମନ୍ତବ୍ୟକୁ ନେଇ ଆପତିଜନକ ମନ୍ତବ୍ୟ ଦେଇଛନ୍ତି କଂଗ୍ରେସ ନେତା ଉଦିତ ରାଜ । ସେ ଟ୍ୱିଟ କରି ଲେଖିଛନ୍ତି ଯେ, ଏପରି ରାଷ୍ଟ୍ରପତି ଆଉ କେଉଁ ଦେଶକୁ ନମିଳୁ । ଚାମଚାଗିରୀର ମଧ୍ୟ ଗୋଟିଏ ସୀମା ଥାଏ । ଦେଶର ୭୦ପ୍ରତିଶତ ଲୋକ ଗୁଜୁରାଟର ଲୁଣ ଖାଇ ବଂଚୁଛନ୍ତି, ନିଜେ ଲୁଣ ଖାଇ ଜୀବନ ବିତାଇଲେ ଜଣାପଡିବ ବୋଲି ଲେଖିଛନ୍ତି ଉଦିତ ରାଜ ।

ଏହାପରେ ସେ ଅନ୍ୟ ଏକ ଟ୍ୱିଟରେ ଲେଖିଛନ୍ତି ଯେ, ଏହି ମନ୍ତବ୍ୟ ତାଙ୍କର ବ୍ୟକ୍ତିଗତ ଏହା କଂଗ୍ରେସ ଦଳର ମନ୍ତବ୍ୟ ନୁହେଁ । ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିବା ପରେ ଆଦିବାସୀଙ୍କ ନାଁରେ ଭୋଟ୍ ମାଗିଲା ବିଜେପି । ରାଷ୍ଟ୍ରପତି ହେବା ପରେ ସେ କ’ଣ ଆଉ ଆଦିବାସୀ ନାହାନ୍ତି ? ସେ ଦେଶର ରାଷ୍ଟ୍ରପତି ଓ ଆଦିବାସୀଙ୍କ ପ୍ରତିନିଧି । ଦୁଃଖ ଲାଗେ ଯେତେବେଳେ ଆଦିବାସୀଙ୍କ ନାଁରେ ଭୋଟ୍ ମାଗି ଉଚ୍ଚ ପଦକୁ ଗଲା ପରେ ଲୋକେ ସବୁ ଭୁଲିଯାଆନ୍ତି ବୋଲି ଟ୍ୱିଟ କରି କଂଗ୍ରେସ ନେତା ଉଦିତ ରାଜ ଲେଖିଛନ୍ତି ।

Related Posts