ପ୍ରଫେଟ୍‌ ମହମ୍ମଦଙ୍କ ବିରୋଧରେ ବିଜେପିର ନିଲମ୍ବିତ ନେତ୍ରୀ ଦେଇଥିବା ବିବାଦୀୟ ଟିପ୍ପଣୀ: ୧୬ ରାଷ୍ଟ୍ରଙ୍କ ନିନ୍ଦା

ନୂଆଦିଲ୍ଲୀ: ପ୍ରଫେଟ୍‌ ମହମ୍ମଦଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ ଦେବା ବିଜେପି ନେତ୍ରୀଙ୍କ ସମେତ ବିଜେପିକୁ ମଧ୍ୟ ମହଙ୍ଗା ପଡିଛି | ଦେଶ ବାହାରୁ ପ୍ରତିବାଦର ସ୍ୱର ଉଠିଛି | ପ୍ରଫେଟ୍‌ଙ୍କ ବିରୋଧରେ ଟିପ୍ପଣୀ ପାଇଁ ପ୍ରତିବାଦର ସ୍ବର ୧୬ ରାଷ୍ଟ୍ରକୁ ବ୍ୟାପିଲାଣି।

ଇରାକ, ଇରାନ, କୁଏତ, କତାର, ସାଉଦି ଆରବ, ଓମାନ, ୟୁଏଇ, ଜୋର୍ଡାନ୍‌, ଆଫଗାନିସ୍ତାନ, ପାକିସ୍ତାନ, ବାହରିନ, ମାଳଦ୍ବୀପ, ଲିବିୟା, ତୁର୍କୀ, ଇଣ୍ଡୋନେସିଆ ଏବଂ ମାଲେସିଆ ସମେତ ମୋଟ୍‌ ୧୬ରାଷ୍ଟ୍ର ଏହି ବିବାଦୀୟ ଟିପ୍ପଣୀ ପାଇଁ ଭାରତ ବିରୋଧରେ ପ୍ରତିବାଦ କରିଛନ୍ତି।

ଉପରୋକ୍ତ ରାଷ୍ଟ୍ରମାନେ ପ୍ରଫେଟ୍‌ଙ୍କ ବିରୋଧରେ ଟିପ୍ପଣୀକୁ କଡ଼ା ନିନ୍ଦା କରିବା ସହ ସେମାନଙ୍କ ଠାରୁ କ୍ଷମା ଦାବି କରିଛନ୍ତି। ଆଜି ମାଲେସିଆର ବିଦେଶ ମନ୍ତ୍ରାଳୟ ପକ୍ଷରୁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ସମନ କରାଯାଇଛି। ବିଦେଶ ସହ ଦେଶ ମଧ୍ୟରେ ବି ବିଜେପି ବିରୋଧରେ ପ୍ରତିବାଦର ସ୍ବର ବଢ଼ୁଛି। ବିରୋଧୀ ଦଳ ନେତାମାନେ କହିଛନ୍ତି, ବିଜେପି ନେତାଙ୍କ ଭୁଲ୍‌ ପାଇଁ ଭାରତ କାହିଁକି କ୍ଷମା ମାଗିବ। ବିଜେପି କ୍ଷମା ମାଗୁ।

ଅନ୍ୟପଟେ, ପ୍ରଫେଟ୍‌ ମହମ୍ମଦଙ୍କ ବିରୋଧରେ ଟିପ୍ପଣୀ ପାଇଁ ନୂପୁରଙ୍କୁ ହତ୍ୟା ଧମକ ମିଳିଛି | ଏନେଇ ସେ ଏତଲା ଦେବା ସହ ତାଙ୍କୁ ଓ ତାଙ୍କ ପରିବାର ସଦସ୍ୟଙ୍କୁ ସୁରକ୍ଷା ଦେବାପାଇଁ ପୁଲିସକୁ ଅନୁରୋଧ କରିଥିଲେ। ମେ’ ୨୮ରେ ତାଙ୍କୁ ହତ୍ୟା ଧମକ ମିଳିଥିବା ନେଇ ଅଭିଯୋଗ କରିଛନ୍ତି। ନୂପୁରଙ୍କ ଅଭିଯୋଗ ଆଧାରରେ ଆଇପିସିର ଧାରା ୫୦୬, ୫୦୭ ଏବଂ ୫୦୯ ଅଧୀନରେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। କିଛି ବ୍ୟକ୍ତି ଶତ୍ରୁତା ବଢ଼ାଉଛନ୍ତି ବୋଲି ଶର୍ମା ଅଭିଯୋଗ କରିଛନ୍ତି। ତେଣୁ ପୁଲିସ ନୂପୁରଙ୍କୁ ସୁରକ୍ଷା ଦେଇଛି। ଦଳୀୟ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ନୂପୁର ଆଜି କହିଛନ୍ତି ଯେ ଦଳ ଯେଉଁ ନିଷ୍ପତ୍ତି ନେଇଛି ତାହାକୁ ସେ ସମ୍ମାନ ଜଣାଉଛନ୍ତି।

ଅନ୍ୟପକ୍ଷେ ନୂପୁରଙ୍କ ବିରୋଧରେ ମହାରାଷ୍ଟ୍ରରେ ମାମଲା ରୁଜୁ ହୋଇଛି। ମହାରାଷ୍ଟ୍ର ଗୃହ ମନ୍ତ୍ରୀ ଦିଲୀପ ୱାଲ୍‌ସେ ପାଟିଲ କହିଛନ୍ତି, ନୂପୁରଙ୍କ ବିରୋଧରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ। ଅଲ୍‌ ଇଣ୍ଡିଆ ପ୍ରୋଗ୍ରେସିଭ ମୁସଲିମ ୱେଲଫେୟାର କମିଟି ନୂପୁରଙ୍କ ବିରୋଧରେ ଅମ୍ବରନାଥ ଥାନାରେ ଅଭିଯୋଗ କରିଛି। ମହାରାଷ୍ଟ୍ରର ମୁମ୍ବ୍ରା ପୁଲିସ ନୂପୁରଙ୍କ ବୟାନ ରେକର୍ଡ ପାଇଁ ତାଙ୍କୁ ଆସନ୍ତା ୨୨ ତାରିଖରେ ସମନ୍‌ କରିଛି। ନୂପୁର ଶର୍ମା ଏବଂ ନବୀନ କୁମାର ଜିନ୍ଦଲଙ୍କୁ ଗିରଫ ପାଇଁ ବିରୋଧୀ ନେତାଙ୍କ ଦାବି ଜୋର୍‌ ଧରିଛି।

Related Posts