ତେଲେଙ୍ଗାନାରେ ନିର୍ବାଚନ ପୂର୍ବରୁ କଂଗ୍ରେସର ପ୍ରତିଶ୍ରୁତି ବର୍ଷା; ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର, ମାଗଣା ବିଜୁଳି, ବାହାଘରରେ ସୁନା ଉପହାର

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆସନ୍ତା ୩୦ରେ ତେଲେଙ୍ଗାନା ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ଏବେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ରାଜ୍ୟରେ ବର୍ଷୁଛି ମାଳମାଳ ପ୍ରତିଶ୍ରୁତି । ଯେନତେନ ପ୍ରକାର ଭୋଟ୍ ହାତେଇବାକୁ ଜୋରଦାର ପ୍ରଚାର କରୁଛନ୍ତି ରାଜନୈତିକ ଦଳ ।କଂଗ୍ରେସ ମଧ୍ୟ ନିର୍ବାଚନ ବୈତରଣୀ ପାର୍ ହେବାକୁ ଅନେକ ଲୋଭନୀୟ ପ୍ରତିଶ୍ରୁତି ଧରି ତେଲେଙ୍ଗାନାବାସୀଙ୍କ ପାଖକୁ ଆସିଛି | କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଆଜି ଏହି ଘୋଷଣା ପତ୍ର ଜାରି କରିଛନ୍ତି । ଯେଉଁଥିରେ ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଓ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ସହ ନବଜାତ ଶିଶୁକନ୍ୟାଙ୍କ ପାଇଁ ‘ଗୋଲ୍ଡେନ ମଦର’ ଯୋଜନା ମାଧ୍ୟମରେ ଆର୍ଥିକ ସହାୟତା, ଯୁବତୀଙ୍କୁ ବିବାହ କାଳୀନ ସହାୟତା ଆଦି ଅନ୍ତର୍ଭୁକ୍ତ ରହିଛି ।

ଘୋଷଣାପତ୍ର ଅନୁସାରେ, କଂଗ୍ରେସ ରାଜ୍ୟରେ କ୍ଷମତାକୁ ଆସିଲେ ଯୁବତୀଙ୍କୁ ବିବାହ କାଳୀନ ସହାୟତା ମିଳିବ । ବିବାହ ସମୟରେ ଯୁବତୀମାନଙ୍କୁ ୧ ଲକ୍ଷ ନଗଦ ଟଙ୍କା ସହିତ ୧୦ ଗ୍ରାମର ସୁନା ଅଳଙ୍କାର ପ୍ରଦାନ କରାଯିବ । ୧୮ ବର୍ଷରୁ ଊର୍ଦ୍ଧ୍ୱ ଛାତ୍ରୀଙ୍କୁ ମାଗଣାରେ ଇଲେକ୍ଟ୍ରିକ୍‌ ସ୍କୁଟି ଦିଆଯିବ । କୃଷି କାର୍ଯ୍ୟ ପାଇଁ ୨୪ ଘଣ୍ଟିଆ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ହେବ । ୬ ମାସ ମଧ୍ୟରେ ଖାଲିଥିବା ଶିକ୍ଷକ ପଦବୀ ପୂରଣ ହେବ । ସ୍ବତନ୍ତ୍ର ତେଲେଙ୍ଗାନା ରାଜ୍ୟ ଗଠନ ପାଇଁ ଆନ୍ଦୋଳନରେ ଶହୀଦଙ୍କ ପରିବାରକୁ ମାସିକ ୨୫ ହଜାର ଟଙ୍କା ପେନସନ ସହିତ ପରିବାରର ଜଣକୁ ସରକାରୀ ଚାକିରି ମିଳିବ । ସାମାଜିକ କର୍ମୀଙ୍କ ବିରୋଧରେ ଥିବା ମାମଲା ରବ୍ଦ କରାଯିବ ।

ସେହିପରି କୃଷକଙ୍କ ପାଇଁ ୨ ଲକ୍ଷ ଟଙ୍କାର ଫସଲ ଋଣ ଛାଡ ହେବ । ଏଥିସହ ବାର୍ଷିକ ୩ ଲକ୍ଷ ଟଙ୍କା ଯାଏଁ ସୁଧମୁକ୍ତ ଫସଲ ଋଣ ଯୋଗାଇ ଦିଆଯିବ । ଛାତ୍ରଛାତ୍ରୀଙ୍କୁ ମାଗଣା ଇଣ୍ଟରନେଟ୍ ସେବା ମିଳିବ । ରାଜ୍ୟ ବଜେଟରେ ଶିକ୍ଷା କ୍ଷେତ୍ର ପାଇଁ ୧୫ ପ୍ରତିଶତ ଆବଣ୍ଟନ କରାଯିବ । ସେହିପରି ସାଧାରଣ ଲୋକଙ୍କ ସମସ୍ୟା ଶୁଣିବା ପାଇଁ ପ୍ରତ୍ୟେକ ଦିନ କ୍ୟାମ୍ପ ଅଫିସରେ ମୁଖ୍ୟମନ୍ତ୍ରୀଙ୍କ ‘ପ୍ରଜା ଦରବାର’ ବସିବ । ବ୍ୟାପକ ଫସଲ କ୍ଷୟକ୍ଷତିର ଭରଣା ପାଇଁ ଫସଲ ବୀମା ଯୋଜନା ଆରମ୍ଭ ହେବ ।

ଅନ୍ୟପଟେ ରାଜ୍ୟର ପ୍ରତ୍ୟେକ ଅଟୋ ଡ୍ରାଇଭରଙ୍କ ଆକାଉଣ୍ଟରେ ବାର୍ଷିକ ୧୨ ହଜାର ଟଙ୍କା ଜମା କରାଯିବ । ଜାତିଭିତ୍ତିକ ଜନଗଣନା ପରେ ଜନସଂଖ୍ୟା ଆଧାରରେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦିଆଯିବ । ମେଷ ପାଳନ ପାଇଁ ଯାଦବ ଓ କୁରୁମା ସମ୍ପ୍ରଦାୟକୁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିବ । ଏସଏଚଜି ଗ୍ରୁପ ପାଇଁ ଲୋନ ଲିମିଟ୍ ୧୦ ଲକ୍ଷକୁ ବୃଦ୍ଧି କରାଯିବ । ରାସନ କାର୍ଡ ହିତାଧିକାରୀଙ୍କୁ ଉନ୍ନତ ମାନର ଚାଉଳ ଯୋଗାଇ ଦିଆଯିବ । ପ୍ରତ୍ୟେକ ଜିଲ୍ଲାରେ ଗୁରୁକୁଳ କ୍ରୀଡ଼ା ସ୍କୁଲ୍‌ର ନିର୍ମାଣ ହେବ । ହାଇଦ୍ରାବାଦରେ ଥିବା କେନାଲଗୁଡ଼ିକର ଆଧୁନିକୀକରଣ କରାଯିବ ବୋଲି କଂଗ୍ରେସ ପ୍ରତିଶୃତି ଦେଇଛି।

Related Posts