ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଚଳିତ ବର୍ଷ ଶେଷ ଆଡ଼କୁ ଗୁଜରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ଅଖିଆଗରେ ରଖି ଆମ୍ ଆଦମୀ ପାର୍ଟି (ଆପ୍)ର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କ୍ରମାଗତ ଭାବେ ରାଜ୍ୟକୁ ଗସ୍ତ କରୁଛନ୍ତି। ପଞ୍ଜାବ ପରେ ଗୁଜରାଟ ହାତେଇବା ପାଇଁ ଆମ୍ ଆଦମୀ ପାର୍ଟି ନୂଆ ନୂଆ ପ୍ରତିଶ୍ରୁତି ଦେଉଥିବାବେଳେ କେଜ୍ରିୱାଲ ପ୍ରମାଣ କରିବାକୁ ଚେଷ୍ଟା କରୁଛନ୍ତି ଯେ ଶାସକ ଦଳ ବିଜେପି ସହ ଆପ ଲଢ଼େଇ କରୁଛି। ଏହା ସହ କଂଗ୍ରେସ ଏହି ଲଢ଼େରେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ ହସି ହସି କହିଛନ୍ତି ଯେ, କଂଗ୍ରେସ ଗୁଜୁରାଟରେ ଶେଷ ହୋଇ ଯାଇଛି। ମଙ୍ଗଳବାର ଦିନ କେଜ୍ରିୱାଲ ଅହମଦାବାଦରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ ଜଣେ ସାମ୍ବାଦିକ ତାଙ୍କୁ ପ୍ରଶ୍ନ କରିଥିଲେ, କଂଗ୍ରେସ ନେତା ଅଜୟ କୁମାର ଅଭିଯୋଗ କରିଛନ୍ତି ଯେ, ପଞ୍ଜାବରେ ଆପ୍ ସରକାରଙ୍କର ଦରମା ଦେବାକୁ ଅର୍ଥ ନାହିଁ, କିନ୍ତୁ ପଞ୍ଜାବ ସରକାର ଗୁଜରାଟରେ ବିଜ୍ଞାପନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏ ଆରୋପ ବିଷୟରେ ଶୁଣି କେଜ୍ରିୱାଲ ହସିବା ସହ କହିଥିଲେ, କଂଗ୍ରେସ ଗୁଜୁରାଟ ରେ ଶେଷ ହୋଇ ଯାଇଛି। ଆପଣ ବର୍ତ୍ତମାନ ସେମାନଙ୍କର ପ୍ରଶ୍ନ ପଚାରିବା ବନ୍ଦ କରନ୍ତୁ। ସେମାନଙ୍କ ପ୍ରଶ୍ନ ବିଷୟରେ ଆଉ ଚିନ୍ତା କରନ୍ତୁ ନାହିଁ। ଜନସାଧାରଣ ଆମ ସହିତ ଅଛନ୍ତି। ଲୋକଙ୍କ ମନରେ କୌଣସି ପ୍ରଶ୍ନ ନାହିଁ, ଲୋକମାନେ ଖୁସି ଅଛନ୍ତି। ଏହି ନିର୍ବାଚନରେ ଆମର ଲଢ଼େଇ ସିଧାସଳଖ ବିଜେପି ସହ ଚାଲିଛି ବୋଲି କେଜ୍ରିୱାଲ କହିଛନ୍ତି।