ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ୋ ଯାତ୍ରା ଏବେ ଆନ୍ଧ୍ରପ୍ରଦେଶରେ ପ୍ରବେଶ କରିଛି। ଆସନ୍ତା ନଭେମ୍ବର ମାସରେ ଏହି ଯାତ୍ରା ମହାରାଷ୍ଟ୍ରରେ ପ୍ରବେଶ କରିବ। ରାହୁଲ ଗାନ୍ଧି ଏହି ପଦଯାତ୍ରାର ନେତୃତ୍ୱ ନେଉଥିବା ବେଳେ ବର୍ତ୍ତମାନ ଏହା ଜୋରଦାର ଜନସମର୍ଥନ ପାଇ ଆଗକୁ ମାଡ଼ି ଚାଲିଛି। ଏ ସବୁ ଭିତରେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେବାକୁ ଶିବସେନା ନେତା ଉଦ୍ଧବ ଠାକରେ ଓ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ନିମନ୍ତ୍ରଣ ମିଳିଛି। କଂଗ୍ରେସ ଦଳ ପକ୍ଷରୁ ଏକ ପ୍ରତିନିଧି ଦଳ ଆଜି ଉଭୟ ନେତାଙ୍କୁ ଭେଟି ପଦଯାତ୍ରାରେ ସାମିଲ ହେବାକୁ ନିମନ୍ତ୍ରଣ ଦେଇଛନ୍ତି।
ଏହି ପ୍ରତିନିଧି ମଣ୍ଡଳରେ ମହାରାଷ୍ଟ୍ରର କଂଗ୍ରେସ ପ୍ରଭାରୀ ଏଚକେ ପାଟିଲ, ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ, ପୂର୍ବତନ କଂଗ୍ରେସର ରାଜ୍ୟ ମୁଖ୍ୟ ବାଲାସାହେବ ଥୋରାଟ, ମୁମ୍ବାଇ କଂଗ୍ରେସ ମୁଖ୍ୟ ଭାଇ ଜଗତପ ଓ ଦଳୀୟ ନେତା ବିଶ୍ୱଜିତ କଦମ, ଅମର ରାଜୁରକର, ନଶୀମ ଖାନ ଓ ସନ୍ଦୀପ ତାମ୍ବେ ରହିଥିଲେ।
କଂଗ୍ରେସ ଦେଶରେ ବଢ଼ିଥିବା ସାଂପ୍ରଦାୟିକ ହିଂସା, ଦରଦାମ ବୃଦ୍ଧି ଓ କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ଭାରତ ଯୋଡ଼ୋ ପଦଯାତ୍ରା ଆରମ୍ଭ କରିଛି। ସେପ୍ଟେମ୍ବର ୭ରୁ ତାମିଲନାଡୁର କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ଜମ୍ମୁ-କଶ୍ମୀରରେ ଶେଷ ହେବ। ୩,୫୭୦ କିମି ରାସ୍ତାକୁ ୧୫୦ ଦିନରେ ଚାଲିଚାଲି ଶେଷ କରିବାକୁ କଂଗ୍ରେସ ଲକ୍ଷ୍ୟ ରଖିଛି।
ବର୍ତ୍ତମାନ ସୁଦ୍ଧା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଚାଲିଥିବା ଏହି ପଦଯାତ୍ରା ତାମିଲନାଡୁ, କେରଳ, କର୍ଣ୍ଣାଟକା ଓ ଆନ୍ଧ୍ର ପ୍ରଦେଶକୁ ଅତିକ୍ରମ କରି ସାରିଲାଣି। ଆସନ୍ତା ୭ ତାରିଖରେ ଏହା ମହାରାଷ୍ଟ୍ରରେ ପ୍ରବେଶ କରିବ।