କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ; ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠାଇଲେ ୫ ସାଂସଦ, ଦଳର ନିର୍ବାଚନ ଅଧିକାରୀଙ୍କୁ ଲେଖିଲେ ଚିଠି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଖୁବଶିଘ୍ର କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ତାରିଖ ମଧ୍ୟ ଘୋଷଣା ସରିଛି। ଏହାରି ଭିତରେ କିନ୍ତୁ ଦଳୀୟ ନିର୍ବାଚନରେ ନିରପେକ୍ଷତା ଓ ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠିଛି। କଂଗ୍ରେସର ପାଞ୍ଚ ଜଣ ଲୋକସଭା ସାଂସଦ ଦଳର ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟାରେ ନିରପେକ୍ଷତା ଏବଂ ସ୍ୱଚ୍ଛତା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ ଦଳର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ (ସିଏଏ) ମୁଖ୍ୟ ତଥା ଦଳର ନିର୍ବାଚନ ଅଧିକାରୀ ମଧୁସୂଦନ ମିସ୍ତ୍ରୀଙ୍କୁ ନିର୍ବାଚନରେ ଅଂଶଗ୍ରହଣ କରିବାକୁ ‌ଥିବା ବ୍ୟକ୍ତି ତଥା ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ପ୍ରଦେଶ କଂଗ୍ରେସ କମିଟି (ପିସିସି) ର ତାଲିକା ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି।

ଦଳୀୟ ସାଂସଦ ଶଶି ଥରୁର, ମନୀଷ ତିୱାରୀ, କାର୍ତ୍ତି ଚିଦାମ୍ବରମ୍, ପ୍ରଦ୍ୟୁତ ବାରଦୋଲୋଇ ଏବଂ ଅବଦୁଲ ଖଲିକ୍ ଚିଠି ଲେଖି ମିସ୍ତ୍ରୀଙ୍କୁ ଏହା ଅନୁରୋଧ କରିଛନ୍ତି। କଂଗ୍ରେସ ‘ଭାରତ ଯୋଡ’ ଯାତ୍ରା ଆରମ୍ଭ କରିବାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ସେପ୍ଟେମ୍ବର ୬ ରେ ଏହି ଚିଠି ଲେଖାଯାଇଥିଲା। ଏହି ସାଂସଦମାନେ ପୂର୍ବରୁ ଏହି ତାଲିକା ସାର୍ବଜନୀନ କରିବାକୁ ଅନୁରୋଧ କରିଥିଲେ, ଯାହାକୁ ସମ୍ପୁର୍ଣ୍ଣ ଭାବରେ ଅଗ୍ରାହ୍ୟ କରିଦେଇଥିଲେ ମିସ୍ତ୍ରୀ। ବର୍ତ୍ତମାନ ଏହି ସାଂସଦମାନେ ସେମାନଙ୍କ ଚିଠିରେ କହିଛନ୍ତି ଯେ ‘ଆମେ ଏହା କହୁନାହୁଁ ଯେ, ଦଳର କୌଣସି ଆଭ୍ୟନ୍ତରୀଣ ଦଲିଲକୁ ଏପରି ଭାବରେ ଦିଆଯିବା ଉଚିତ ବୋଲି, ଯାହାଦ୍ବାରା କି ଏହାର ଅପବ୍ୟବହାର ହେବ। ଆମର କହିବା କଥା ହେଲା ଏହି ତାଲିକାକୁ ଦଳର ନିର୍ବାଚନରେ ଭାଗ ନେବାକୁ ଥିବା ପ୍ରାର୍ଥୀଙ୍କୁ ପୂର୍ବରୁ ଦେବା ଉଚିତ୍।’

ଏହି ଚିଠିରେ ଆହୁରି ଲେଖିଛନ୍ତି ଯେ, “ଆମେ ମତବ୍ୟକ୍ତ କରୁଛୁ ଯେ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ, ରାଜ୍ୟ କଂଗ୍ରେସ କମିଟିର ନିର୍ବାଚନୀ କାର୍ଯ୍ୟାଳୟ ଗୁଡ଼ିକରେ ଭୋଟର ତାଲିକା ଏବଂ ଭୋଟିଂରେ ଅଂଶଗ୍ରହଣ କରୁଥିବା ସମ୍ଭାବ୍ୟ ପ୍ରାର୍ଥୀମାନଙ୍କୁ ପ୍ରଦାନ କରାଯିବା ଉଚିତ୍।”

Related Posts