ପାନୀୟଜଳ ପ୍ରକଳ୍ପ ନିର୍ମାଣକୁ ନେଇ ଗୃହରେ ଉଦ୍‌ବେଗ : ୭୨ ବିଧାୟକଙ୍କ ପ୍ରଶ୍ନ, ମନ୍ତ୍ରୀ ଦେଲେ ଉତ୍ତର – ‘ ରାଜ୍ୟରେ ଚାଲିଛି ୯୦ଟି ମେଗା ପାନୀୟ ଜଳ ପ୍ରକଳ୍ପ ‘

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ ପାନୀୟଜଳ ପ୍ରକଳ୍ପ ନିର୍ମାଣ ନେଇ ଆଜି ଗୃହରେ ଉଦବେଗ ପ୍ରକାଶ ପାଇଛି। ଏ ପ୍ରସଙ୍ଗରେ ବିଧାନସଭାରେ ସରଗରମ ଆଲୋଚନା ହୋଇଛି। ଉଭୟ ଶାସକ ଏବଂ ବିରୋଧୀ ଦଳର ବିଧାୟକ ମାନେ ଏ ପ୍ରସଙ୍ଗରେ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି। ପାନୀୟଜଳ ପ୍ରକଳ୍ପ ନିର୍ମାଣରେ ବିଳମ୍ବ ହେଉଥିବାରୁ ଉଭୟ ଶାସକ ଓ ବିରୋଧୀ ଦଳର ୭୨ ଜଣ ବିଧାୟକ ଏହି ବିଷୟରେ ଆଲୋଚନା ଚାହିଁଥିଲେ।  ସେମାନେ ଦାବି କରିଛନ୍ତି ଯେ, ପାନୀୟ ଜଳ ପ୍ରକଳ୍ପ ନିର୍ମାଣରେ ବିଳମ୍ବ ନ କରିବା ଓ ସମସ୍ତ ଘରେ ପାନୀୟ ଜଳ ପହଞ୍ଚିବା ଆବଶ୍ୟକ । ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କାହାକୁ ଦିଆଯାଉଛି ଆଉ କେଉଁ ସଂସ୍ଥା କିପରି ଏହି କାର୍ଯ୍ୟ କରୁଛନ୍ତି ସେ ନେଇ ବିଧାୟକମାନେ ପ୍ରଶ୍ନ କରିଥିଲେ ।

ଏବଂ ଏ ପ୍ରସଙ୍ଗରେ ପଞ୍ଚାୟତିରାଜ ମନ୍ତ୍ରୀ ଗୃହକୁ ସୂଚନା ଦେଇ କହିଛନ୍ତି, ରାଜ୍ୟରେ ୯୦ଟି ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଛି। କୌଣସି ପାନୀୟ ଜଳ ପ୍ରକଳ୍ପ କରିବା ପୂର୍ବରୁ ପ୍ରଥମେ RWSS କର୍ମଚାରୀମାନେ ଯାଇ ଏହାର ସର୍ଭେ କରିଥାନ୍ତି ଏବଂ ପରେ କୌଣସି ଏକ କନ୍ସଲ୍ଟାନସିକୁ ଷ୍ଟଡି କରିବାକୁ ଦିଆଯାଇଥାଏ। 

ଏହାପରେ ଆମେ ଅର୍ଥାତ୍ ପଞ୍ଚାୟତରାଜ ବିଭାଗ ଟେଣ୍ଡର କରି କାର୍ଯ୍ୟ ଆରମ୍ଭ କରିଥାନ୍ତୁ। ସବୁ ପ୍ରକଳ୍ପ ସ୍ୱଚ୍ଛତାର ସହ କାର୍ଯ୍ୟକାରୀ ହେଉଛି। କେଉଁଠି ଟିକିଏ ବିଳମ୍ବ ହେଉଛି, ଯାହାକି ମାତ୍ର ୪ରୁ ୫ ମାସ ସମୟ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏ ପ୍ରସଙ୍ଗରେ ଉଭୟ ଶାସକ ଓ ବିରୋଧୀ ଦଳର ୭୨ ଜଣ ସଦସ୍ୟ ଆଲୋଚନା ପାଇଁ ଚାହୁଁଥିବାରୁ ଯେଉଁଠି ଯାହା ସମସ୍ୟା ଅଛି, ତାର ସମାଧାନ କରାଯିବାକୁ ମନ୍ତ୍ରୀଙ୍କୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

Related Posts