ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଶେଷରେ ଇଡିକୁ ସମସ୍ତ ତଥ୍ୟ ଯୋଗାଇ ଦେଇଛି କମିସନରେଟ ପୁଲିସ। ଉଭୟ ଖଣ୍ଡଗିରି ଓ ନୂଆପଲ୍ଲୀ ଥାନାରେ ଅର୍ଚ୍ଚନା ନାଗଙ୍କ ନାଁରେ ହୋଇଥିବା ମାମଲାର ତଥ୍ୟ ସହିତ ଜବତ କରିଥିବା ମୋବାଇଲ ଫୋନ୍, ଲାପଟପ୍, ହାର୍ଡଡିସ୍କ, ଜମିବାଡ଼ି କାଗଜପତ୍ର, ୪ଟି ବ୍ୟାଙ୍କ ଡିଟେଲ୍ସ ଓ ସୁପ୍ରିମ କାର ବଜାର ବ୍ୟବସାୟ ସମ୍ପର୍କରେ ତଥ୍ୟ ଇଡିକୁ ପୋଲିସ ଦେଇଥିବା ସୂଚନା ମିଳିଛି।
ସେହିପରି ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ଗିରଫ କରିବା ବେଳେ ସେମାନଙ୍କ ବୟାନ ପୁଲିସ ନିକଟରେ କ’ଣ ଥିଲା। ଖଗେଶ୍ବରକୁ ପୁଲିସ ସେ ସମୟରେ କାହିଁକି ଗିରଫ କରି ନ ଥିଲା। ଖଗେଶ୍ବର ନିକଟରୁ ପୁଲିସ କ’ଣ ତଥ୍ୟ ପାଇଥିଲା। ଏ ସମ୍ପର୍କରେ ମଧ୍ୟ ସମସ୍ତ ତଥ୍ୟ ପ୍ରଦାନ କରିଛି କମିସନରେଟ ପୁଲିସ।
ଅର୍ଚ୍ଚନା ନାଗ ମାମଲା ପ୍ରଥମେ କମିସନରେଟ ପୁଲିସ ତଦନ୍ତ ଆରମ୍ଭ କରିଥିଲା। କିନ୍ତୁ ଏତିକି ବେଳେ ଇଡି ପକ୍ଷରୁ ଅର୍ଚ୍ଚନ ନାଗ ମାମଲାର ତଦନ୍ତ ଆରମ୍ଭ ହୋଇଥିଲା। ଖଗେଶ୍ବରକୁ ବାନ୍ଧି ନ ଥିବା କମିସନରେଟ ପୁଲିସ କିନ୍ତୁ ପରବର୍ତ୍ତୀ ସମୟରେ ଇଡ଼ି ଦ୍ବାରା ବନ୍ଧା ହୋଇଥିଲା। ଇଡି ତଦନ୍ତକୁ ଆଗକୁ ବଢ଼ାଇବା ପାଇଁ ଦୁଇ ଦୁଇ ଥର ଚିଠି ଲେଖି ଥିଲା। କିନ୍ତୁ ପରେ ଇଡିକୁ କମିସନରେଟ ପୁଲିସ ସହଯୋଗ କରୁନଥିବା ଅଭିଯୋଗ ହୋଇଥିଲା। ଶେଷରେ ଇଡିକୁ ସମସ୍ତ ତଥ୍ୟ ଯୋଗାଇ ଦେଇଛି କମିସନରେଟ ପୁଲିସ।
ଅନ୍ୟପକ୍ଷରେ ଇଡି ପକ୍ଷରୁ ଅର୍ଚ୍ଚନା ନାଗଙ୍କୁ କୋର୍ଟରେ ହାଜର କରାଇ ରିମାଣ୍ଡରେ ନେବାକୁ ଆବେଦନ ହୋଇଥିଲା। ଆଜି ଇଡିର ଏହି ଆବେଦନ ଉପରେ ଶୁଣାଣି ହେବ। ଯଦି ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦିଅନ୍ତି, କମିସନରେଟ ପୁଲିସ ଦେଇଥିବା ତଥ୍ୟକୁ ନେଇ ତାର ତଦନ୍ତକୁ ଜୋରଦାର କରିବ।