(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ହାଟ୍ରିକ ବିଜୟ ପରେ ଦିଲ୍ଲୀ ଗସ୍ତରେ ଆସୁଛନ୍ତି ଟିଏମସି ମୁଖ୍ୟ ମମତା ବାନାର୍ଜୀ। ସୂଚନା ମୁତାବକ ଚଳିତ ମାସ ଶେଷ ସପ୍ତାହରେ ସେ ଦିଲ୍ଲୀ ଆସିବା ନେଇ ସୂଚନା ମିଳିଛି। ଗାନ୍ଧୀ ପରିବାର ସହ ପ୍ରଶାନ୍ତ କିଶୋରଙ୍କ ବୈଠକ ପରେ ଜାତୀୟ ରାଜନୀତି ସରଗରମ ହୋଇ ଉଠିଛି । ଆଉ ଏହା ମଧ୍ୟରେ ମମତାଙ୍କ ଦିଲ୍ଲୀ ଗସ୍ତ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସିଏନ୍ଏନ୍ ନ୍ୟୁଜ୍ 18 ଅନୁଯାୟୀ, ମମତା ବାନାର୍ଜୀ ଜୁଲାଇ 25 ରେ ଦିଲ୍ଲୀରେ ପହଞ୍ଚିବେ ଏବଂ ତିନିରୁ ଚାରି ଦିନ ଜାତୀୟ ରାଜଧାନୀରେ ରହିବାର ପ୍ରୋଗ୍ରାମ ରହିଛି । ଏହି ସମୟ ମଧ୍ୟରେ ସେ ବିରୋଧୀ ଦଳର ବରିଷ୍ଠ ନେତାଙ୍କୁ ଭେଟିବେ ବୋଲି ଆଶା କରାଯାଉଛି।
ଏନଡିଟିଭି ସୂତ୍ର ଅନୁଯାୟୀ, ବିରୋଧୀଦଳର ନେତାଙ୍କ ମଧ୍ୟରେ ସେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ସହ ମମତା ବାନାର୍ଜୀଙ୍କ ସାକ୍ଷାତ ହେବାର ସମ୍ଭାବନା ରହିଛି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତାଙ୍କ ଦଳର ବିପୁଳ ବିଜୟ ପରେ ମମତା ବାନାର୍ଜୀଙ୍କ ଏହା ହେଉଛି ପ୍ରଥମ ଦିଲ୍ଲୀ ଗସ୍ତ । ବିଜେପି ପାଇଁ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ମାନଙ୍କର ଧୁଆଁଧାର ପ୍ରଚାର ସତ୍ବେ ବିଜେପି ତୃଣମୂଳ କଂଗ୍ରେସକୁ ହରାଇବାରେ ବିଫଳ ହେଲା। ଟିଏମସିର ଏହି ବିଜୟ ପଛରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ଏକ ପ୍ରମୁଖ ଭୂମିକା ରହିଥିବା ବିଶେଷଜ୍ଞ ମାନେ ଆଲୋଚନା କରନ୍ତି।
ଅପରପକ୍ଷରେ ପିକେଙ୍କର ଗାନ୍ଧୀ ପରିବାର ସହ ବୈଠକ ଏବଂ ଏହା ପୂର୍ବରୁ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସହ ତାଙ୍କର ଅନେକ ବୈଠକକୁ ନେଇ ଏବେ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ୪୦ ଦିନରେ ପିକେଙ୍କ ସହ ପାୱାରଙ୍କର ୩ଟି ବୈଠକ ହୋଇଛି।
ବେଙ୍ଗଲ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ନିର୍ବାଚନ ରଣନୀତି ପ୍ରସ୍ତୁତ ନକରିବା ନେଇ ପିକେ ଘୋଷଣା କରିବା ସତ୍ତ୍ବେ ୨୦୨୪ ସାଧାରଣ ନିର୍ବାଚନରେ ବିରୋଧୀ ଗଠବନ୍ଧନ କରିବାରେ ସେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରନ୍ତି ବୋଲି କଳ୍ପନାଜଳ୍ପନା ଲାଗି ରହିଛି।
ଜୁନ୍ 22 ରେ ପୱାରଙ୍କ ସହ ତାଙ୍କର ସାକ୍ଷାତ ପରେ NDTV ସହିତ କଥାବାର୍ତ୍ତା ବେଳେ କିଶୋର ସୂଚାଇ ଦେଇଛନ୍ତି ଯେ ସେ ଏକ ବିରୋଧୀଙ୍କୁ ନେଇ କୌଣସି ଗଠବନ୍ଧନ କରିବେ ନାହିଁ। ପିକେ କହିଥିଲେ ଯେ ସେ ବିଶ୍ୱାସ କରନ୍ତି ନାହିଁ ଯେ କୌଣସି ତୃତୀୟ କିମ୍ବା ଚତୁର୍ଥ ସାମ୍ମୁଖ୍ୟ ମୋଦୀଙ୍କୁ ଟକ୍କର ଦେଇ ପାରିବେ।
ଉଲ୍ଲେଖଯୋଗ୍ୟ, ଜୁନ୍ 27 ରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଏନସିପି ମୁଖ୍ୟ ମଧ୍ୟ ପ୍ରଶାନ୍ତ କିଶୋରଙ୍କ କଥାରେ ସହମତି ଜଣାଇଥିଲେ । ଯଦି କୌଣସି ପ୍ରମୁଖ ବିରୋଧୀ ମେଣ୍ଟ ଗଠନ ହେବାକୁ ଯାଉଛି ତେବେ କଂଗ୍ରେସ ଏହାର ଅଂଶ ହେବା ଉଚିତ ବୋଲି ସେ କହିଥିଲେ। କଂଗ୍ରେସ ବିନା ମହାମେଣ୍ଟ କରିବା ସମ୍ଭବ ନୁହେଁ ବୋଲି ପାୱାର କହିଥିଲେ।