ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ୫ ରାଜ୍ୟରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଆଜି ମିଜୋରାମ ଓ ଛତିଶଗଡ଼ ରାଜ୍ୟରେ ମତଦାନ ଆରମ୍ଭ ହୋଇଛି। ଆଜି ମିଜୋରାମ ରାଜ୍ୟର ସମସ୍ତ ୪୦ଟି ଯାକ ଆସନରେ ମତଦାନ ହେଉଥିବା ବେଳେ ଛତିଶଗଡ଼ ରାଜ୍ୟର ମୋଟ ୯୦ ଆସନ ମଧ୍ୟରୁ ୨୦ଟି ଆସନରେ ମତ ଗ୍ରହଣ ଆରମ୍ଭ ହୋଇଛି। ଛତିଶଗଡ଼ର ମାଓ ପ୍ରବଣ ବସ୍ତର ଡିଭିଜନର ୭ ଜିଲ୍ଲାର ୧୨ଟି ଆସନ ସହ ଅନ୍ଯ ୪ଟି ଜିଲ୍ଲାର ୮ଟି ଆସନରେ ଭୋଟିଂ ଆରମ୍ଭ ହୋଇଛି। ମାଓପ୍ରବଣ ୧୦ଟି ଆସନରେ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିବ। ଅବଶିଷ୍ଟ ୧୦ଟି ଆସନରେ ମତଦାନ ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ପ୍ରଥମ ପର୍ଯ୍ୟାୟରେ ୨୨୩ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ସେଥି ମଧ୍ୟରେ ୨୫ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି। ଛତିଶଗଡ଼ ମୋଟ ୫୩୦୪ ମତଦାନ କେନ୍ଦ୍ରରେ ପ୍ରାୟ ୪୧ ଲକ୍ଷ ଭୋଟର ମତ ସାବ୍ୟସ୍ତ କରିବେ।
୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏବେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନକୁ ସେମିଫାଇନାଲ ଭାବେ ବିବେଚନା କରାଯାଉଛି। ଆଜି ମିଜୋରାମର ସମସ୍ତ ୪୦ଟି ଯାକ ଆସନରେ ମତଦାନ ହେବ। ଅନ୍ୟପକ୍ଷରେ ଛତିଶଗଡ଼ର ମୋଟ ୯୦ ଆସନ ମଧ୍ୟରୁ ୨୦ଟି ଆସନରେ ମତଦାନ ଆଜି ହେବ। ମୋଟ ୭ଟି ଜିଲ୍ଲାରେ ଏହି ନିର୍ବାଚନ ମଣ୍ଡଳୀଗୁଡ଼ିକ ରହିଛି। ମାଓବାଦୀ ପ୍ରଭାବିତ ବସ୍ତର ଡିଭିଜନ ସମେତ ଅନ୍ୟ ୪ଟି ଜିଲ୍ଲା ଯଥା ରାଜନନ୍ଦଗାଓଁ, ମୋହଲା-ମାନପୁର-ଅମ୍ବାଗଡ଼ଚୌକି, କବିରଧାମ ଏବଂ ଖୈରାଗଡ଼-ଛୁଇଖାଦନ-ଗଣ୍ଡାଇରେ ନିର୍ବାଚନ ହେବ। ମୋହଲା-ମାନପୁର, ଅନ୍ତଗଡ଼, ଭାନୁପ୍ରତାପପୁର, କାଙ୍କେର, କେଶକାଲ, କୋଣ୍ଡାଗାଓଁ, ନାରାୟଣପୁର, ଦାନ୍ତେୱାଡ଼ା, ବିଜାପୁର ଏବଂ କୋଣ୍ଟା (ଏସବୁ ଏସଟିମାନଙ୍କ ପାଇଁ ସଂରକ୍ଷିତ ଆସନ)ରେ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଚାଲିବ। ଅବଶିଷ୍ଟ ୧୦ଟି ଆସନରେ ମତଦାନ ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ପ୍ରଥମ ପର୍ଯ୍ୟାୟରେ ୨୨୩ ପ୍ରାର୍ଥୀ ଏଠାରେ ସେମାନଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି।