ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଟିଡିପି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ୫୩ ଦିନ ପରେ ରାଜମୁନ୍ଦରି ସେଣ୍ଟ୍ରାଲ୍ ଜେଲରୁ ମୁକୁଳିଛନ୍ତି। ଆଜି ସନ୍ଧ୍ୟାରେ ନାଇଡୁ ଜେଲରୁ ମୁକୁଳିବାପରେ ତାଙ୍କ ଅନୁଗାମୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଜି ଦିନରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ନାଇଡୁଙ୍କୁ ୪ ସପ୍ତାହର ଅନ୍ତରୀଣ ଜାମିନ ମଂଜୁର କରିବାପରେ ସେ ଜେଲରୁ ମୁକୁଳିଛନ୍ତି।
ଚନ୍ଦ୍ରବାବୁ ନାଇଡୁ ଜେଲରୁ ମୁକୁଳିବା ପରେ ତାଙ୍କ ଦଳର ନେତା ଓ କର୍ମୀ ରାଜମୁନ୍ଦରି ଠାରୁ ଆରମ୍ଭ କରି ଆନ୍ଧ୍ର ପ୍ରଦେଶର ବିଭିନ୍ନ ସ୍ଥାନରେ ଖୁସି ମନାଇଛନ୍ତି। ସେହିପରି ତାଙ୍କ ପୁଅ ନାରା ଲୋକେଶ ବାପାଙ୍କ ମୁକ୍ତିକୁ ଗୋଟିଏ ବଡ଼ ବିଜୟ ବୋଲି ଅବିହିତ କରିଛନ୍ତି।
ଜେଲରୁ ବାହାରିବା ପରେ ଚନ୍ଦ୍ରବାବୁ ନାଇଡୁ ଏକ ଶୋଭାଯାତ୍ରାରେ ରାଜମୁନ୍ଦରି ଠାରୁ ଗୁଣ୍ଟୁରର ତାଡେପାଲ୍ଲି ଯାଏ ଯାଇଥିଲେ। ଏହି ସମୟରେ ସେ ନିଜ ସମର୍ଥକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, “ଯେତେବେଳେ ମୁଁ ସମସ୍ୟାରେ ପଡ଼ିଥିଲି, ଆପଣମାନେ ରାସ୍ତାକୁ ଓହ୍ଲାଇଥିଲେ ଓ ମୋ ପାଇଁ ପ୍ରାର୍ଥନା କରିଥିଲେ। ଆପଣମାନେ ମୋ ପ୍ରତି ଦେଖାଇଥିବା ଦରଦ ମୁଁ କେବେ ହେଲେ ଭୁଲିବି ନାହିଁ। କେବଳ ଆନ୍ଧ୍ର ପ୍ରଦେଶ ନୁହେଁ, ତେଲେଙ୍ଗାନା ଓ ବିଶ୍ୱର ସବୁ ସ୍ଥାନରୁ ମୋ ପାଖକୁ ଆସିଥିବା ଭଲ ପାଇବା ପାଇଁ ସମସ୍ତଙ୍କୁ ଧନ୍ୟବାଦ। “
ଉଲ୍ଲେଖଯୋଗ୍ୟ ଯେ, ନାଇଡୁ ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିଲେ।