ଚଣ୍ଡିଗଡ ବିଶ୍ୱବିଦ୍ୟାଳୟ ଏମଏମଏସ୍ ଲିକ୍ ଘଟଣା; ୨ ୱାର୍ଡେନ ନିଲମ୍ବିତ, ୬ ଦିନ ପାଇଁ କ୍ୟାମ୍ପସ ବନ୍ଦ୍

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଚଣ୍ଡିଗଡ ବିଶ୍ୱବିଦ୍ୟାଳୟର ଏମଏମଏସ୍ ଲିକ୍ ମାମଲା ଧୀରେ ଧୀରେ ତୀବ୍ର ହେବାରେ ଲାଗିଛି। କୌଣସି ପ୍ରକାର ପ୍ରତିକୂଳ ସ୍ଥିତିକୁ ଏଡାଇ ଦେବାପାଇଁ ବିଶ୍ଵବିଦ୍ୟାଳୟ କ୍ୟାମ୍ପସକୁ ୬ ଦିନ ପାଇଁ ବନ୍ଦ ରଖାଯିବା ସହ ବାଳିକା ହଷ୍ଟେଲରେ ୨ଜଣ ୱାର୍ଡେନଙ୍କୁ ନିଲମ୍ବନ କରାଯାଇଛି ।ମୋହାଲି ଚଣ୍ଡିଗଡ ୟୁନିଭର୍ସିଟିରେ ୬୦ ଛାତ୍ରୀଙ୍କ ଏମଏମଏସ୍ ଲିକ୍ ଘଟଣାରେ ୟୁନିଭର୍ସିଟି ପ୍ରଶାସନ ୨ ୱାର୍ଡେନଙ୍କୁ ସସପେଣ୍ଡ୍ କରିଛନ୍ତି। ଭାଇରାଲ ହୋଇଥିବା ଏକ ଭିଡିଓରେ ଏମାନଙ୍କ ମଧ୍ୟରୁ ଜଣେ ୱାର୍ଡେନଙ୍କୁ ଦେଖାଯାଇଛି । ଯେଉଁଥିରେ ସେ ଅଭିଯୁକ୍ତ ଛାତ୍ରୀଙ୍କୁ ତାଗିତ କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ଭାଇରାଲ ହେବା ପରେ ୟୁନିଭର୍ସିଟି ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ଦେଖାଯାଇଥିଲା । ଫଳରେ ୬ ଦିନ ପାଇଁ କ୍ୟାମ୍ପସକୁ ବନ୍ଦ କରିଦିଆଯାଇଛି ।

ସୂଚନା ଅନୁଯାୟୀ, ଅଭିଯୁକ୍ତ ଛାତ୍ରୀ ସେ ରହୁଥିବା ବାଳିକା ହେଷ୍ଟେଲର ପାଖାପାଖି ୬୦ଜଣ ଛାତ୍ରୀ ଗାଧୋଇବା ସମୟର ଭିଡିଓ ରେକର୍ଡ କରି ସିମଲାରେ ଥିବା ତାର ପୁରୁଷ ବନ୍ଧୁକୁ ପଠାଉଥିଲା । ଯୁବକ ଜଣକ ଏହି ଭିଡିଓ ସବୁକୁ ସୋସିଆଲ ମିଡିଆରେ ଅପଲୋଡ କରିବା ପରେ ଘଟଣା ଜଣାପଡିଥିଲା । ଇଣ୍ଟରନେଟରେ ନିଜ ନିଜ ଭିଡିଓ ଦେଖିବା ପରେ ଛାତ୍ରୀଙ୍କ ମଧ୍ୟରୁ ୮ଜଣ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଉଚ୍ଚସ୍ତରୀୟ ଯାଞ୍ଚ କରି ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେବା ପରେ ପୋଲିସ ସିମଲାରୁ ସମ୍ପୃକ୍ତ ଯୁବକକୁ ଗିରଫ କରିଥିବା ସୂଚନା ମିଳିଛି ।

Related Posts