
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଆଉ ଏକ ବଡ଼ ଆଶ୍ୱସ୍ତି ମିଳିଛି । ସୂଚନା ମୁତାବକ DLF ଲାଞ୍ଚ ମାମଲାରେ ସିବିଆଇ ଲାଲୁ ଯାଦବଙ୍କୁ କ୍ଲିନ୍ ଚିଟ୍ ଦେଇଛି । ସିବିଆଇର ବିଶେଷ ସୂତ୍ରରୁ ସୂଚନା ମିଳିଥିବା ନେଇ ଏନଡିଟିଭିରେ ରିପୋର୍ଟ ପ୍ରକାଶ ପାଇଛି। ଲାଲୁ ଯାଦବ କେନ୍ଦ୍ରରେ ରେଳ ମନ୍ତ୍ରୀ ଥିବା ବେଳେ ଡିଏଲଏଫ ଲାଞ୍ଚ କାରବାର ମାମଲାରେ ତାଙ୍କ ସମ୍ପୃକ୍ତି ନେଇ ସିବିଆଇ ତଦନ୍ତ ଆରମ୍ଭ ହୋଇଥିଲା। ସୂଚନାନୁଯାୟୀ, ୨୦୧୮ ଜାନୁଆରୀ ମାସରୁ ଲାଲୁଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଥିଲା। ଲାଲୁଙ୍କ ସହ ଡିଏଲଏଫ ଗ୍ରୁପ୍ ମଧ୍ୟରେ କ’ଣ ସବୁ କାରବାର ହୋଇଥିଲା ସେ ନେଇ ସିବିଆଇ ଖୋଳତାଡ଼ ଆରମ୍ଭ କରି ଥିଲା। ମୁମ୍ବାଇର ବାନ୍ଦ୍ରାରେ ରେଳ ପ୍ରକଳ୍ପ ଓ ନୂଆଦିଲ୍ଲୀ ରେଳ ଷ୍ଟେସନର ଉନ୍ନତୀକରଣ କାମ ହାତେଇବାକୁ ଡିଏଲଏଫ ଲାଲୁ ଯାଦବଙ୍କୁ ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଥିଲା। ୨୦୦୭ ଡିସେମ୍ବର ମାସରେ ସାଉଥ୍ ଦିଲ୍ଲୀର ନ୍ୟୁ ଫ୍ରେଣ୍ଡସ୍ କଲୋନୀରେ ଏବି ଏକ୍ସପର୍ଟ ପ୍ରାଇଭେଟ ଲିଃ ନାମକ ଗୋଟିଏ ଶେଲ କମ୍ପାନୀ ୫ କୋଟି ଟଙ୍କାରେ ଗୋଟିଏ ଜମି କିଣିଥିଲା। ଲେକ୍ସିସ ଇନଫୋଟେକ ପ୍ରାଇଭେଟ ଲିଃ ଓ ଅନ୍ୟ ଶେଲ କମ୍ପାନୀ ଜରିଆରେ ଡିଏଲଏଫ ହୋମ ଡେଭଲପର୍ସ ଏଥିପାଇଁ ଅର୍ଥ ଦେଇଥିବା ଅଭିଯୋଗ ହୋଇଥିଲା। ସେହି ସମୟରେ ଜମିର ମୂଲ୍ୟ ୩୦ କୋଟି ଟଙ୍କା ହୋଇଥିବା ବେଳେ ୫ କୋଟି ଟଙ୍କାରେ କିପରି କିଣାଯାଇଥିଲା ତା’କୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ୨୦୧୧ରେ ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବ, ଚନ୍ଦା ଯାଦବ ଓ ରାଙ୍ଗିନି ଟ୍ରାନ୍ସଫର ଅଫ ଶେୟାର ଜରିଆରେ ୪ ଲକ୍ଷ ଟଙ୍କାରେ ଏବି ଏକ୍ସପର୍ଟ ପ୍ରାଇଭେଟ ଲିଃ କିଣିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ସିବିଆଇ ଲାଲୁଙ୍କ ଉପରେ ୨ ବର୍ଷ କାଳ ତଦନ୍ତ କରିଥିଲା। କିନ୍ତୁ ମାମଲାର ଯାଞ୍ଚ ପରେ ଯେତେବେଳେ କୌଣସି ଠୋସ୍ ପ୍ରମାଣ ନମିଳିବାରୁ ଏହାର ଫାଇଲ୍ ବନ୍ଦ କରିବା ସହ କ୍ଲିନ୍ ଚିଟ୍ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ପ୍ରାୟ ୩ ବର୍ଷ ଜେଲରେ ରହିବା ପରେ ଏପ୍ରିଲ ମାସରେ ଜାମିନ ପାଇଥିଲେ।