ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଭୁବନେଶ୍ୱରରେ ୧୦ ଲକ୍ଷ ଟଙ୍କାର ଲାଞ୍ଚ କାରବାର ମାମଲାରେ ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ସିବିଆଇର ସମନ। ଏହି ସମନ ଏବେ ସାମ୍ନାକୁ ଆସିଥିବା ବେଳେ ଏହାକୁ ନେଇ ଚାରିଆଡେ ଆଲୋଡନ ସୃଷ୍ଟି ହୋଇଛି।

ଗତ ଡିସେମ୍ବର ୧୦ ତାରିଖରେ ସିବିଆଇ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କ ନିକଟକୁ ପଠାଇଥିଲା ସମନ। ଦିଲ୍ଲୀରୁ ତାଙ୍କୁ ଏହି ସମନ ପଠାଯାଇଥିବା ବେଳେ ଡିସେମ୍ବର ୧୧ ତାରିଖ ଦିନ ୧୦ଟା ବେଳେ ଭୁବନେଶ୍ୱର ସିବିଆଇ ଅଫିସରେ ହାଜର ହେବାକୁ କୁହାଯାଇଥିଲା। ତେବେ ଏନେଇ ବିଷ୍ଣୁପଦ ସେଠୀଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ |

ଏହି ଚିଠିରେ ଲେଖାଯାଇଛି, ଯେ ବ୍ରିଜ୍ ଆଣ୍ଡ ରୁଫ୍ କନଷ୍ଟ୍ରକ୍ସନ କୋ. (ଇଣ୍ଡିଆ) ଏଲ୍‌ଟିଡିର ଗ୍ରୁପ୍ ର ଜେନେରାଲ ମ୍ୟାନେଜର ଚଞ୍ଚଳ କୁମାର ମୂଖାର୍ଜୀ ଓ ଅନ୍ୟମାନଙ୍କ ନାଁରେ ନୂଆଦିଲ୍ଲୀରେ ସିବିଆଇର ଏସି-ଟୁରେ ମାମଲା ରୁଜୁ ହୋଇଛି। ଏହା ଜଣାପଡ଼ିଛି ଯେ ଆପଣଙ୍କ ପାଖରେ ଏ ମାମଲା ସଂକର୍ପିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି, ଯାହାକୁ ଆପଣଙ୍କଠାରୁ ନିଶ୍ଚିତ କରିବା ଜରୁରୀ। ତେଣୁ ଡିସେମ୍ବର ୧୧ ତାରିଖ ଦିନ ୧୦ଟା ବେଳେ ଭୁବନେଶ୍ୱର ସ୍ଥିତ ସିବିଆଇ ଅଫିସକୁ ଆସି ତଦନ୍ତରେ ଯୋଗ ଦେବାକୁ ଆପଣଙ୍କୁ ଅନୁରୋଧ କରାଯାଉଛି।

ଅନ୍ୟପକ୍ଷରେ ସିବିଆଇ ଗତକାଲି ବିଷ୍ଣୁପଦ ସେଠୀଙ୍କ ଡ୍ରାଇଭରମାନଙ୍କ ତାଲିକା ମାଗିଛି। ସେ ଯେଉଁସବୁ ବିଭାଗ ଦାୟିତ୍ୱରେ ରହିଛନ୍ତି ଓ ତାଙ୍କ ସହ ଯେଉଁ ଡ୍ରାଇଭରମାନେ ରହିଛନ୍ତି, ସେମାନଙ୍କର ସମସ୍ତଙ୍କର ନାମ, ଠିକଣା, ମୋବାଇଲ ନମ୍ବର ଆଦି ଦେବା ପାଇଁ ସିବିଆଇ ରାଜ୍ୟ ସରକାରଙ୍କୁ ମେଲ କରିଛି।

ସିବିଆଇ ଡିସିପି ଅଜିତ୍ କୁମାର ପାଣ୍ଡେ ଏନେଇ ରାଜ୍ୟ ସରକାରଙ୍କୁ ଇ-ମେଲ୍ ମାଧ୍ୟମରେ ଅବଗତ କରିବା ସହ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ ଏଥିପାଇଁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି।

ତେବେ ଏହି ମାମଲାରେ ସିବିଆଇ ବ୍ରିଜ୍ ଆଣ୍ଡ ରୁଫ୍ କନଷ୍ଟ୍ରକ୍ସନ କୋ. (ଇଣ୍ଡିଆ) ଏଲ୍‌ଟିଡିର ଗ୍ରୁପ୍ ଜେନେରାଲ ମ୍ୟାନେଜର ଚଞ୍ଚଳ କୁମାର ମୂଖାର୍ଜୀଙ୍କ ସହିତ ଠିକାଦାର ସନ୍ତୋଷ ମହାରଣା ଓ ସୁପର କ୍ଲାସ କଣ୍ଟ୍ରାକ୍ଟର ଦେବଦତ୍ତ ମହାପାତ୍ରଙ୍କୁ ଗିରଫ କରିଛି। ସେମାନଙ୍କୁ ଦ୍ୱିତୀୟ ଥର ରିମାଣ୍ଡରେ ଆଣି ଜେରା କରୁଛି ସିବିଆଇ।

Related Posts