ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଲାଞ୍ଚ ନେବାବେଳେ ରେଲୱେ DRMଙ୍କୁ ଧରିଲା CBI | ପୂର୍ବତଟ ରେଳବାଇର ୱାଲଟେୟାର ଡିଭିଜନର DRM ସୌରଭ ପ୍ରସାଦଙ୍କୁ ଆଜି ବିଶାଖାପାଟଣାରୁ ଗିରଫ କରିଛି CBI | ମୁମ୍ବାଇର ଏକ ବେସରକାରୀ ଫାର୍ମର ମାଲିକ ସାନିଲ ରାଥୋଡଙ୍କ ଠାରୁ 25 ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ସୌରଭ ପ୍ରସାଦଙ୍କୁ ଧରିଥିଲା CBI | ଆଜି CBI ସୌରଭ ପ୍ରସାଦଙ୍କ ସମେତ ସାନିଲ ରାଥୋଡ ଓ ପୁନେର ଆନନ୍ଦ ଭଗତଙ୍କୁ ମଧ୍ୟ ଗିରଫ କରିଛି |
ସୂଚନା ଅନୁସାରେ, ମୁମ୍ବାଇର ସାନିଲ ରାଥୋଡ ଓ ପୁନେର ଆନନ୍ଦ ଭଗତଙ୍କ ଫାର୍ମର ପୂର୍ବତଟ ରେଳବାଇ ଠାରୁ ଏକ 3.17 କୋଟି ଟଙ୍କାର ବିଲ୍ ପାସ ହେବାର ବାକିଥିଲା | ହେଲେ ଚୁକ୍ତିନାମାରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାମ ସାରିନଥିବାରୁ ଏମାନଙ୍କ ଉପରେ ବଡ଼ ପରିମାଣର ଫାଇନ ପଡିବାର ଥିଲା | ହେଲେ ଏହି ଫାଇନ କମାଇବାକୁ ପୂର୍ବତଟ ରେଳବାଇର ୱାଲଟେୟାର ଡିଭିଜନର DRM ସୌରଭ ପ୍ରସାଦଙ୍କୁ ଉଭୟ କହିଥିଲେ | ହେଲେ ଏଥିପାଇଁ ସୌରଭ 25 ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ | ଏହି ଲାଞ୍ଚ ଟଙ୍କା ନେବାବେଳେ ସୌରଭଙ୍କୁ ଧରିଥିଲା CBI |
ଏହାପରେ ସୌରଭଙ୍କ ଠିକଣାରେ ରେଡ୍ କରିଥିଲା CBI | ରେଡ୍ ସମୟରେ ସୌରଭଙ୍କ ଘରୁ 87.6 ଲକ୍ଷ ନଗଦ ଟଙ୍କା, ପାଖାପାଖି 72 ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଓ କିଛି ଗୁରୁତ୍ୱପୂର୍ଣ କାଗଜପତ୍ର ଜବତ କରିଛି CBI |
ଏହାସହିତ ପୂର୍ବତଟ ରେଳବାଇର ୱାଲଟେୟାର ଡିଭିଜନର DRM ସୌରଭ ପ୍ରସାଦ, ମୁମ୍ବାଇର ସାନିଲ ରାଥୋଡ ଓ ପୁନେର ଆନନ୍ଦ ଭଗତଙ୍କୁ ଗିରଫ କରାଯାଇଥିବା ବେଳେ ମାମଲାର ଅଧିକ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି |