ବର୍ଣ୍ଣ ଓ ଜାତି ବ୍ୟବସ୍ଥା ପୁରୁଣା ପ୍ରଥା ଅଟେ, ଏହାକୁ ପରିତ୍ୟାଗ କରିବା ଉଚିତ୍: ମୋହନ ଭାଗବତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ହିନ୍ଦୁ ସମାଜରେ ବହୁ ବର୍ଷ ପୂର୍ବରୁ ପ୍ରଚଳିତ ଥିବା ବର୍ଣ୍ଣ ଓ ଜାତି ବ୍ୟବସ୍ଥା ନେଇ ବଡ ବୟାନ ଦେଇଛନ୍ତି ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ ମୁଖ୍ୟ ମୋହନ ଭାଗବତ । ଶୁକ୍ରବାର ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ ଭାଗବତ କହିଛନ୍ତି ଯେ, ସମାଜରେ ଜାରି ରହିଥିବା ବର୍ଣ୍ଣ ଓ ଜାତି ପ୍ରଥା ଏକ ପୁରୁଣା ବ୍ୟବସ୍ଥା ଅଟେ । ଏହି ପ୍ରଥା ବର୍ତ୍ତମାନ ସମୟରେ କୌଣସି ପ୍ରାସଙ୍ଗିକତା ରଖେ ନାହିଁ । ତେଣୁ ଏହାକୁ ଏବେ ପରିତ୍ୟାଗ କରିବାର ଆବଶ୍ୟକତା ରହଛି। ସାମ୍ପ୍ରତିକ ସାମାଜିକ ବ୍ୟବସ୍ଥାରେ ଏକ ବିସ୍ତିର୍ଣ୍ଣ ଦୃଷ୍ଟିକୋଣ ନେଇ ସମସ୍ତେ ଚିନ୍ତା କରିବା ଉଚିତ୍‌ । ବର୍ଣ୍ଣ, ଜାତି ବ୍ୟବସ୍ଥା ବର୍ତ୍ତମାନର ପ୍ରାସଙ୍ଗିକତା ନୁହେଁ ବୋଲି ସେ କହିଛନ୍ତି। ଭାଗବତ ଆହୁରି କହିଛନ୍ତି ଯେ, ବର୍ତ୍ତମାନ ଏହି ବର୍ଣ୍ଣ, ଜାତି ବ୍ୟବସ୍ଥାକୁ ଭୁଲିଯିବା ଉଚିତ୍‌ । ବର୍ଣ୍ଣ, ଜାତି ବ୍ୟବସ୍ଥା ସଂଘ କିମ୍ବା ହିନ୍ଦୁତ୍ବର ସ୍ବଭାବ ନୁହେଁ ବୋଲି ଭାଗବତ କହିଛନ୍ତି ।

ଅନ୍ୟପଟେ ନିକଟରେ ମହାରାଷ୍ଟ୍ରର ନାଗପୁରରେ ସଂଘ ମୁଖ୍ୟାଳୟରେ ବିଜୟାଦଶମୀ ଉତ୍ସବ ପାଳନ କରାଯାଇଥିଲା । କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରି ସଂଘ ମୁଖ୍ୟ ମୋହନ ଭାଗବତ କହିଥିଲେ, ଭାରତରେ ସଂଖ୍ୟାଲଘୁଙ୍କ ମନରେ ସେମାନଙ୍କ ସୁରକ୍ଷା ନେଇ ଭ୍ରାନ୍ତ ଧାରଣା ସୃଷ୍ଟି କରାଯାଉଛି । ସେମାନଙ୍କୁ ସଂଖ୍ୟାବହୁଳ ସମ୍ପ୍ରଦାୟ ତଥା ହିନ୍ଦୁଙ୍କ ଠାରୁ ବିପଦ ଥିବା ନେଇ ମାନସିକତା ସୃଷ୍ଟି କରାଯାଉଛି । କିନ୍ତୁ ବାସ୍ତବରେ ଦେଶରେ ସେପରି କିଛି ସ୍ଥିତି ନାହିଁ । ଏପରି କିଛି ଘଟଣା ଅତୀତରେ ଘଟି ନାହିଁ କିମ୍ବା ଆଗକୁ ମଧ୍ୟ ଘଟିବାର ଆଶଙ୍କା ମଧ୍ୟ ଆଦୌ ନାହିଁ । ଏପରି କରିବା ହିନ୍ଦୁତ୍ବ କିମ୍ବା ସଂଘର ବିଚାର ବା ସ୍ବଭାବ ନୁହେଁ । ସଂଘ ତାର ବିଚାରଧାରାରେ ଭାଇଚାରାକୁ ଗୁରୁତ୍ବ ଦିଏ ବୋଲି ମଧ୍ୟ ଭାଗବତ କହିଥିଲେ ।

ତେବେ ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, କଂଗ୍ରେସ ସମେତ ଅନ୍ୟ କିଛି ବିରୋଧୀ ଦଳ ମଧ୍ୟ ସଂଘ ବିରୋଧରେ ସମାଜର ବିଭକ୍ତିକରଣ ଓ ପରସ୍ପର ମଧ୍ୟରେ ତିକ୍ତତା ସୃଷ୍ଟି କରିବା ନେଇ ଅଭିଯୋଗ ଲଗାଇ ଆସୁଛନ୍ତି। ଭାଗବତ ଏଭଳି ମନ୍ତବ୍ୟ ଦେଇ ବିରୋଧୀଙ୍କ ଏହି ଅଭିଯୋଗର କାଉଣ୍ଟର କରିଛନ୍ତି ବୋଲି ଚର୍ଚ୍ଚା ହେଉଛି ।

Related Posts