(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ ସୃଷ୍ଟି ହେବ ୪୫୯ଟି ନୂଆ ଭେଟେନାରୀ ଡାକ୍ତର ପଦବୀ । ଏହାସହିତ ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା କ୍ୟାଡରକୁ ପୁର୍ନଗଠନ କରାଯାଇ କ୍ୟାଡ଼ର ପଦବୀ ସଂଖ୍ୟା ୧୪୮୧ରୁ ୧୯୪୦କୁ ବୃଦ୍ଧି କରାଯାଇଛି। ରାଜ୍ୟ କ୍ୟାବିନେଟ ମୋହର ମାରିଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର ଏହି ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା କ୍ୟାଡ଼ରର ପୁନର୍ଗଠନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିବା ସଙ୍ଗେ ସଙ୍ଗେ ୪୫୯ଟି ନୂଆ ଭେଟେନାରୀ ଡାକ୍ତର ପଦବୀ ସୃଷ୍ଟି କରାଯାଇଛି।
ତେବେ ଭେଟେନାରୀ ଡାକ୍ତରମାନେ ଏଣିକି ଗ୍ରୁପ-ବି ପରିବର୍ତ୍ତେ ଗ୍ରୁପ-ଏ ପାହ୍ୟାର ଅଧିକାରୀ ଭାବେ ପରିଗଣିତ ହେବେ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି । ଫଳରେ ପରବର୍ତ୍ତୀ ପଦୋନ୍ନତି ନିମିତ୍ତ ଉଦ୍ଦିଷ୍ଟ ପଦବୀଗୁଡ଼ିକର ପାହ୍ୟା ମଧ୍ୟ ବୃଦ୍ଧି ପାଇବ। ରାଜ୍ୟରେ କୃଷକମାନଙ୍କ ମଧ୍ୟରେ ପଶୁପାଳନ ଯୋଜନାକୁ ଅଧିକ ପ୍ରୋତ୍ସାହନ ସହ ରାଜ୍ୟରେ ପ୍ରାଣୀ ଚିକିିତ୍ସା ସେବା ପ୍ରଦାନକୁ ସଶକ୍ତ କରିବା ପାଇଁ ରାଜ୍ୟ କ୍ୟାବିନେଟ ଏହି ପଦକ୍ଷେପ ନେଇଛନ୍ତି ବୋଲି ମୁଖ୍ୟ ସଚିବ କହିଛନ୍ତି ।
ସେହିପରି ରାଜ୍ୟ କ୍ୟାବିନେଟ ‘ଓଡ଼ିଶା ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନଗୁଡ଼ିକର କର୍ମଚାରୀମାନଙ୍କ ଅବସରକାଳୀନ ସୁବିଧା ନିୟମାବଳୀ-୧୯୮୧ରେ ସଂଶୋଧନକୁ ମଞ୍ଜୁରୀ ଦେଇଛନ୍ତି। ପ୍ରସ୍ତାବିତ ସଂଶୋଧନ ପରେ କଲେଜର ପ୍ରିନ୍ସିପାଲ ଏଣିକି ସମସ୍ତ କର୍ମଚାରୀଙ୍କୁ ପ୍ରୋଭିଜିନାଲ ପେନସନ୍ ଜାରି ସହ ଅବସରକାଳୀନ ସୁବିଧା ଆଦି ପ୍ରଦାନ କରିବା ପାଇଁ କ୍ଷମତାପ୍ରାପ୍ତ ଅଧିକାରୀ ଭାବେ କାର୍ଯ୍ୟ କରିପାରିବେ। ସେହିପରି ପ୍ରିନ୍ସିପାଲ ଅବସର ନେବାର ଥିଲେ ଏହି ସମସ୍ତ କାର୍ଯ୍ୟ ଆଂଚଳିକ ଶିକ୍ଷା ନିର୍ଦ୍ଦେଶକ କରିବେ ବୋଲି ସଂଶୋଧନରେ ଉଲ୍ଲେଖ ରହିଛି।
ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ‘ଓଡ଼ିଶା ଆଦର୍ଶ ବିଦ୍ୟାଳୟ’ର ଆସବାବପତ୍ରକୁ ପଞ୍ଚାୟତ ସମିତିକୁ ରକ୍ଷଣାବେକ୍ଷଣ କରିବା ନିମନ୍ତେ ହସ୍ତାନ୍ତର କରିବା ପାଇଁ କ୍ୟାବିନେଟ୍ରେ ନିଷ୍ପତ୍ତି ହୋଇଛି। ରାଜ୍ୟର ଜିଲ୍ଲା ଓ ଅଧସ୍ତନ ନ୍ୟାୟାଳୟଗୁଡ଼ିକରେ ଗ୍ରୁପ୍-ଡି ବର୍ଗର କର୍ମଚାରୀଙ୍କ ନିଯୁକ୍ତି ପ୍ରକ୍ରିୟା ଓ ସେବା ସର୍ତ୍ତାବଳିକୁ ଅଧିକ ଫଳପ୍ରଦ ଭାବେ ବିନିୟମିତ କରିବା ସକାଶେ ଏକ ପୃଥକ ନିୟମାବଳି ମଧ୍ୟ ପ୍ରଣୟନ କରାଯାଇଛି।