ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): କେନ୍ଦ୍ର ସରକାର ନିଶ୍ଚିତ ନାଗରିକ ସଂଶୋଧନ ଆଇନ(ସିଏଏ) ଲାଗୁ କରିବେ। ଏହାକୁ କେହି ଅଟକାଇ ପାରିବେ ନାହିଁ। ବୁଧବାର କୋଲକାତାରେ ଏକା ରାଲିକୁ ସମ୍ବୋଧନ କରି ଏପରି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏହି ରାଲିକୁ ସମ୍ବୋଧନ କରି ଶାହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଶାଣିତ ଆକ୍ରମଣ କରିଛନ୍ତି।ମମତା ସରକାରରେ ଅନୁପ୍ରବେଶ ହେଉଛି। ମମତା ତୁଷ୍ଟିକରଣ ରାଜନୀତି କରୁଛନ୍ତି। ଯେଉଁଥିରେ ରାଜନୈତିକ ହିଂସା ଓ ଦୁର୍ନୀତି ମଧ୍ୟ ରହିଛି। ତେଣୁ ମମତା ସରକାର ମୂଳୋତ୍ପାଟନ କରି ବିଜେପିକୁ ଜିତାଇବାକୁ ଶାହ କହିଛନ୍ତି।
ରାଲିରେ ଜନସମାଗମକୁ ପ୍ରଶଂସା କରି ଶାହ କହିଛନ୍ତି ଯେ ଏହି ଜନସମୁଦ୍ରକୁ ଦେଖିଲା ପରେ ଲାଗୁଛି ଯେ ୨୦୨୬ ବିଧାନସଭା ନିର୍ବାଚନରେ ବିଜେପି ଦୁଇ ତୃତୀୟାଂଶ ମେଜୋରୋଟି ସହ କ୍ଷମତାକୁ ଆସିବ। ଲୋକ ମନ ବଳାଇ ସାରିଲେଣି ବୋଲି ଶାହ କହିଛନ୍ତି। ରାଜ୍ୟରେ ୨୦୨୪ ଲୋକସଭା ନିର୍ବାଚନରେ ବିଜେପିର ପ୍ରଦର୍ଶନ ଯେଉଁଭଳି ହେବ ତାହା ବିଧାନସଭା ନିର୍ବାଚନ ବିଜୟର ମୂଳଦୁଆ ସୃଷ୍ଟି କରିବ ବୋଲି ଶାହ କହିଛନ୍ତି।
ବିବାଦୀୟ CAA ପ୍ରସଙ୍ଗକୁ ନେଇ ଶାହ କହିଛନ୍ତି ଯେ ମମତା ବାନାର୍ଜୀ ଏହାକୁ ବିରୋଧ କରୁଛନ୍ତି। କିନ୍ତୁ ଏହାର କାର୍ଯ୍ୟକାରିତାକୁ କେହି ଅଟକାଇ ପାରିବେ ନାହିଁ ବୋଲି ଗୃହମନ୍ତ୍ରୀ କହିଛନ୍ତି। ଏହାଦ୍ୱାରା ଅନେକ ଲୋକ ଭାରତୀୟ ନାଗରିକତ୍ୱ ପାଇବେ। ସେମାନଙ୍କର ବି ଏହା ହକ୍ ବୋଲି ଶାହ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଆଗାମୀ ଲୋକସଭା ନିର୍ବାଚନ ନେଇ ବିଜେପି ନେତାମାନେ ଘନ ଘନ କୋଲକାତା ଗ୍ରସ୍ତ କରୁଛନ୍ତି। ଗତ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଏଠି ୪୨ ଆସନରୁ ୧୮ଟି ଆସନ ଜିତିଥିଲା। ପ୍ରଥମ ଥର ପାଇଁ ବିଜେପି ପଶ୍ଚିମବଙ୍ଗରେ ଏତେ ସଂଖ୍ୟକ ଆସନ ଜିତିଥିଲା ତେଣୁ ଏଥର ମଧ୍ୟ ଦଳ ଭଲ ପ୍ରଦର୍ଶନ କରିବ ବୋଲି ବିଜେପି ଆଶା କରୁଛି।