” ବିଏମସି କମିଶନର ସଂଜୟ ସିଂ ଗୋଟେ ଡକାୟତ, ସେ ଆମ ଅଞ୍ଚଳର ୧୦୦୦୦ କୋଟି ଟଙ୍କା ଖାଇଦେଇଛି ” : ସୁର ରାଉତରାୟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ବିଏମସି କମିଶନର ସଂଜୟ ସିଂଙ୍କ ଉପରେ ଜୋରଦାର ଆକ୍ରମଣ କଲେ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ। ସେ କହିଛନ୍ତି ଯେ ସଂଜୟ ସିଂଙ୍କୁ ବିଏମସି କମିଶନର କରିବା ଦ୍ୱାରା ରାଜଧାନୀ ଭୁବନେଶ୍ଵରର କୌଣସି ବିକାଶ କାର୍ଯ୍ୟ ହେଉନାହିଁ। ସହରରେ ଡେଙ୍ଗୁ ଆକ୍ରାନ୍ତ ବଢୁଛନ୍ତି। କିନ୍ତୁ ପରିମଳ କାର୍ଯ୍ୟ ଠିକ୍ ଠାକ୍ ହେଉନାହିଁ।
ନ୍ୟୁଜ ଏଜେନ୍ସି ANI କୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ” ଭୁବନେଶ୍ବର ହେଉଛି ଶିବଙ୍କ କ୍ଷେତ୍ର । ଏଠାକୁ ରାଜ୍ୟର କୋଣ ଅନୁକୋଣରୁ ଲୋକେ ବୁଲିବାକୁ ଆସିଥାନ୍ତି। ଏଠାରେ ପ୍ରଭୁ ଲିଙ୍ଗରାଜ ବିରାଜମାନ। ପାଖାପାଖି ଏକ ହଜାର ଶିବଲିଙ୍ଗ ରହିଛି। ଭୁବନେଶ୍ୱର ହେଉଛି ଏକାମ୍ର କ୍ଷେତ୍ର। ନବୀନ ସରକାର ଏହାକୁ ବଦନାମ କରୁଛନ୍ତି। ଆଉ ଏକ ଡକାୟତି ( ସଂଜୟ ସିଂ) କୁ ବିଏମସି କମିଶନର କରି ଦେଇଛନ୍ତି। “
ବରିଷ୍ଠ କଂଗ୍ରେସ ନେତା କହିଛନ୍ତି, ” ଇଡକୋରେ ସିଏମଡି ଥିବା ସମୟରେ ସଂଜୟ ସିଂ ଆମ (ଜଟଣୀ) ଅଞ୍ଚଳର ଷ୍ଟାଡ଼ିୟମ, ସ୍କୁଲ ଖେଳ ପଡ଼ିଆ ଏବଂ ଦେବା ଦେବୀଙ୍କ ମନ୍ଦିର ଜମିକୁ ବିକ୍ରି କରି ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସଂଜୟ ସିଂ ୧୦ ହଜାର କୋଟି ଟଙ୍କା ଦୁର୍ନୀତି କରି ଖାଇଯାଇଛନ୍ତି । ଏଥିପାଇଁ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ସିବିଆଇ ତଦନ୍ତ ଦାବି କରିଛନ୍ତି। ସେ କହିଛନ୍ତି, ” ସଂଜୟ ସିଂହ ହେଉଛନ୍ତି ଜଣେ ଦୁର୍ନୀତି ଗ୍ରସ୍ତ ଅଫିସର। ତାଙ୍କୁ ଏବେ ବିଏମସି କମିଶନର କରିଦେଇଛନ୍ତି । ସେ ଗୋଟିଏ ଡକାୟତ। ସେ ବିଏମସି କମିଶନର ହୋଇ କିଛି ବି କାମ କରୁ ନାହିଁ। ରାଜଧାନୀ ଭୁବନେଶ୍ୱରରେ ଦିନ କୁ ଦିନ ଡେଙ୍ଗୁ ବ୍ୟାପିବାରେ ଲାଗିଛି। କିନ୍ତୁ ପରିମଳ ବ୍ୟବସ୍ଥା ସୁଧାରିବା ପାଇଁ ବିଏମସି କିଛି ବି କରୁ ନାହିଁ। ତେଣୁ ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ ସହରରେ ସଫେଇ ଅଭିଯାନ ଜାରି ରଖିଛନ୍ତି ।

ସୂଚନାଯୋଗ୍ୟ ଯେ , ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆଜି ମିଳିଥିବା ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରେ ୪୬ଜଣ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହିତ ରାଜଧାନୀରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୮୭୭କୁ ବୃଦ୍ଧି ପାଇଛି। ଡେଙ୍ଗୁକୁ ନିୟନ୍ତ୍ରଣ କରିବାରେ ବିଏମସି ବିଫଳ ହୋଇଛି ବୋଲି କଂଗ୍ରେସ ନେତା ଅଭିଯୋଗ କରିଛନ୍ତି।

Related Posts