ସ୍ବାଧୀନତା ଦିବସ ଅବସରରେ ଆଗାମୀ ୨୫ ବର୍ଷର ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଦେଶ ପାଳନ କରୁଛି ୭୬ ତମ ସ୍ବାଧୀନତା ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ୍‌ କିଲ୍ଲାରୁ ଦେଶର ବିକାଶ ପାଇଁ ଆଗାମୀ ୨୫ ବର୍ଷର ବ୍ଲୁ ପ୍ରିଣ୍ଟ୍‌ ସମ୍ପର୍କରେ ଉଲ୍ଲେଖ କରିଛନ୍ତି।

ଭାରତକୁ ଏକ ବିକଶିତ ଦେଶ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ଏକ ଆତ୍ମନିର୍ଭରଶୀଳ ଭାରତ ଗଠନରେ ଘରୋଇ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ସେ କହିଛନ୍ତି ଯେ ଦେଶ ବିଶ୍ୱ ପାଇଁ ମଧ୍ୟ ଉତ୍ପାଦନ କରିପାରିବ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଗାମୀ ୨୫ ବର୍ଷର ଯାତ୍ରା ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆତ୍ମନିର୍ଭର ଭାରତ ଅଭିଯାନକୁ ଏକ ଜନ ଆନ୍ଦୋଳନ ଭାବରେ ଆଗକୁ ନେବାକୁ ସେ ଆହ୍ବାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଉତ୍ପାଦନ କ୍ଷେତ୍ରରେ ଭାରତ ଇତିହାସ ସୃଷ୍ଟି କରୁଛି। ମହାକାଶଠାରୁ ଆରମ୍ଭ କରି ଡ୍ରୋନ ଉତ୍ପାଦନ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଉତ୍ପାଦନ ଆଧାରିତ ପ୍ରୋତ୍ସାହନ (ପିଏଲଆଇ) ଯୋଜନା ସହିତ ଆମେ ଦୁନିଆର ଏକ ପ୍ରମୁଖ ଉତ୍ପାଦନ କେନ୍ଦ୍ରରେ ପରିଣତ ହୋଇଛୁ। ଲୋକେ ମେକ ଇନ ଇଣ୍ଡିଆ ପାଇଁ ଭାରତକୁ ଆସୁଛନ୍ତି। ସେ କହିଛନ୍ତି ଯେ କ୍ଷୁଦ୍ର କୃଷକ, କ୍ଷୁଦ୍ର ଶ୍ରମିକ ଏବଂ ବ୍ୟବସାୟୀଙ୍କ ସଶକ୍ତିକରଣ ହେଉଛି ଏକ ଦକ୍ଷ ଏବଂ ସକ୍ଷମ ଭାରତର ଗ୍ୟାରେଣ୍ଟି।

ପ୍ରାକୃତିକ ଚାଷ ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଭାରତକୁ ନୂତନ ଶକ୍ତି ଦେବ ଏବଂ ସବୁଜ ନିଯୁକ୍ତି ସୃଷ୍ଟି ସହିତ ଏକ୍ଷେତ୍ରରେ ବହୁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ, ଗଳି ବିକ୍ରେତା ଏବଂ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କୁ ମଜବୁତ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଏହା ଶିଳ୍ପ ଅଭିବୃଦ୍ଧିରେ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେମିକଣ୍ଡକ୍ଟର, ୫-ଜି ଏବଂ ଅପ୍ଟିକ ଫାଇବର ଉତ୍ପାଦନ ଶିକ୍ଷା, ସ୍ବାସ୍ଥ୍ୟ ପାଇଁ ଦେଶରେ ବିକାଶର ନୂତନ ଉତ୍ସାହ ଧାରା ଜାରି ରହିଛି। ଏସବୁ ସାଧାରଣ ଲୋକଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆଣିଛି। ସେ କହିଛନ୍ତି ଯେ ୫-ଜି, ଚିପ ଉତ୍ପାଦନ ସହିତ ଆମେ ଡିଜିଟାଲ ଇଣ୍ଡିଆ ମାଧ୍ୟମରେ ତୃଣମୂଳ ସ୍ତରରେ ଏକ ବୃହତ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛୁ।

Related Posts