ସାମ୍ନାକୁ ଆସିଲା ଓଡ଼ିଶା ପୋଲିସ ଇତିହାସର କଳଙ୍କିତ ଅଧ୍ୟାୟ । ଏପଟେ ‘ମୋ ସରକାର’ ସେପଟେ ୨ ପୋଲିସ ଅଧିକାରୀଙ୍କ ନାଁରେ ଗଣଧର୍ଷଣ ଏତଲା । 5-Tକୁ ନେଇ ଟୋପି ବିକାଳିଙ୍କ ହାଟ ଚାଲିଥିବା ବେଳେ ସାମ୍ନାକୁ ଆସିଛି ପୋଲିସର ପାଖଣ୍ଡି ଚେହେରା । ରକ୍ଷକ କିଭଳି ରାକ୍ଷସ ସାଜେ ତାହା ବରଗଡ଼ ଜିଲ୍ଲା ଭେଡେନ ଥାନା ଅଞ୍ଚଳରେ 3 ଦଳିତ ମହିଳାଙ୍କୁ ଗଣଦୁଷ୍କର୍ମ ଓ 2 ଜଣଙ୍କୁ ହତ୍ୟା ମାମଲାରୁ ଜଣାଯାଏ ।
ଓଡ଼ିଶା ମାନବାଧିକାର କମିସନଙ୍କ ତାଗିଦ ପରେ ଆଖି ଦେଖାଣିଆ ମାମଲା ରୁଜୁ କରିଛି ପୋଲିସ । ଘଟଣାକୁ 3 ବର୍ଷ ବିତିଯାଇଥିଲେ ବି କାହାକୁ ସମନ କରାଯାଇନି । କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନି । ପୀଡ଼ିତାଙ୍କ ଏତଲାରେ ଥିବା ଅଭିଯୁକ୍ତଙ୍କ ନାଁରେ ବି FIR କରିନି ପୋଲିସ। ଏହି ଘଟଣା ‘ମୋ ସରକାର’ର କଳଙ୍କିତ ଖୁଲାସା କରିଛି । ଗୋଟିଏ ପଟେ କ୍ୟାମେରା ସାମ୍ନାରେ ‘ମୋ ସରକାର’ ଡ୍ରାମା ଜୋରସୋରେ ଚାଲିଛି । ଥାନା ଓ ପୋଲିସକୁ ଲୋକଙ୍କ ନିକଟତର କରିବା କଥା କୁହାଯାଉଛି । 5-Tକୁ ଗୁରୁତ୍ବ ଦେଇ ଥାନାରେ ଲୋକଙ୍କ ଅଭିଯୋଗ ଗ୍ରହଣ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା କଥା କୁହାଯାଉଛି । ଲୋକଙ୍କୁ ଭଲ ବ୍ୟବହାର କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଉଛନ୍ତି । ଲୋକଙ୍କୁ ଫୋନ କରି ସମସ୍ୟା ବୁଝିବା ସହ ଦୁର୍ନୀତିଖୋର ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା କଥା କୁହାଯାଉଛି । ଏଥିପାଇଁ 5-T ସଚିବ ମଧ୍ୟ ନିଯୁକ୍ତ ହୋଇଛନ୍ତି । 5-T ସଚିବ ଚାରିଆଡେ ବୁଲି ‘ମୋ ସରକାର’ର ପ୍ରଚାର କରୁଛନ୍ତି । କିନ୍ତୁ ଅନ୍ୟ ପଟେ ପୋଲିସ ମହିଳାଙ୍କୁ ଘରୁ ଡାକିଆଣି ଗଣଦୁଷ୍କର୍ମ କରୁଛି । ଏଭଳି କଳଙ୍କିତ ଓ ଛାତି ଥରେଇ ଦେଲା ଭଳି ଖବର ଯାହା ଓଡ଼ିଶା ପୋଲିସର ସୈତାନ ଚେହୋରକୁ ସାମ୍ନାକୁ ଆଣିଛି । ଏହି ଘଟଣା ବାବଦରେ କିମ୍ବା କାର୍ଯ୍ୟାନୁଷ୍ଠାନ ବାବଦରେ ‘ମୋ ସରକାର’ର ପ୍ରବକ୍ତା ବା 5-T ସଚିବ ନିରବ ରହିବା ସୂଚଉଛି ଯେ ‘ମୋ ସରକାର’ର ଡ୍ରାମାବାଜି ଟୋପି କିଭଳି ଲୋକଙ୍କୁ ବିକାଯାଉଛି ।
ଏପର୍ଯ୍ୟନ୍ତ 5-ଟି ସଚିବ ଓ ମୁଖ୍ୟମନ୍ତ୍ରୀ ଚୁପ୍ କାହିଁକି ?
ଭେଡେନ ଥାନା ଅଧିକାରୀ ଓ ବରଗଡ଼ ଏସ୍ପିଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନେବେ କି ?
ଭେଡେନ ଥାନା ଅଧିକାରୀ ଓ ବରଗଡ଼ ଏସ୍ପିଙ୍କଠାରୁ ଜବାବ ତଲବ କାହିଁକି କରିନାହାନ୍ତି ?
3 ବର୍ଷ ଧରି ଘଟଣାକୁ ଚାପି ଦେଲା ପୋଲିସ କାହିଁକି ?
ଗୃହମନ୍ତ୍ରୀ ଥିଲେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ବ୍ୟକ୍ତିଗତ ସଚିବ ଥିଲେ ପାଣ୍ଡିଆନ ଏହି ଘଟଣା ପାଇଁ ଗୃହ ବିଭାଗ ନିଜକୁ ଉତ୍ତରଦାୟୀ କରିବ କି ?
ଦଳିତଙ୍କ ପ୍ରତି ଅତ୍ୟାଚାର ଓ ଗଣବଳାତ୍କାର ଘଟଣାରେ ବରଗଡ଼ ଜିଲ୍ଲା ପୋଲିସ ଦୁଇ ପୋଲିସ ଅଧିକାରୀଙ୍କ ନାଁରେ FIR କରିଛି । ସେମାନେ ହେଲେ ଭେଡେନ ଥାନା ଅଧିକାରୀ ମମତା ନାୟକ ଓ ସବ୍ ଇନ୍ସପେକ୍ଟର ଦିଲୀପ ବେହେରା । ଏହି ମାମଲା ଆଇନର ସ୍ବାର୍ଥ ଦୃଷ୍ଟିରୁ କରାଯାଇନାହିଁ । ବାସ୍ତବରେ ମାନବାଧିକାର କମିସନଙ୍କ ତାଗିଦ ବାଧ୍ୟ ହୋଇ ପୋଲିସ ମାମଲା ରୁଜୁ କରିଛି । ହେଲେ ଅସଲ ଘଟଣା ହେଉଛି 3 ବର୍ଷ ତଳର ।
ପ୍ରଜାକୋର୍ଟରେ ବାସନ୍ଦ ହୋଇଥିବା ଭେଡେନ ଥାନା ଅଞ୍ଚଳର ଗୋଟିଏ ପରିବାରର 3 ଜଣ ମହିଳାଙ୍କୁ 23.09.2016ରେ ଭେଡେନ ଥାନାର କିଛି ପୋଲିସ କର୍ମଚାରୀ ମହିଳାଙ୍କୁ ଘରୁ ପୋଲିସ ଭ୍ୟାନରେ ଉଠାଇ ନେଇ ଗଣଦୁଷ୍କର୍ମ କରିଥିଲେ । ପରେ ଗାଁ ଲୋକଙ୍କ ନିକଟରେ ଉକ୍ତ ମହିଳାମାନଙ୍କୁ ଛାଡ଼ିଦେଇଥିଲେ । କିଛି ଗାଁ ଲୋକ ମଧ୍ୟ 10 ଦିନ ଯାଏ ଜଙ୍ଗଲରେ ରଖି ମହିଳାଙ୍କୁ ଦୁଷ୍କର୍ମ କରିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଖସିଆସିଥିବା ବେଳେ ଅନ୍ୟ 2 ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । କିନ୍ତୁ ପୋଲିସ କୌଣସି ପଦକ୍ଷେପ ନେଇନଥିଲା । ଏହା ପରେ ଖସି ଆସିଥିବା ମହିଳା ମାନବାଧିକାର କମିସନଙ୍କ ନିକଟରେ ଅଭିଯୋଗ କରିଥିଲେ । 2017 ମସିହାରେ ଉକ୍ତ ମହିଳାଙ୍କ ଭାଇ ବରଗଡ଼ ଏସ୍ପିଙ୍କୁ ଘଟଣା ସମ୍ପର୍କରେ ଲିଖିତ ଭାବେ ଜଣାଇଥିଲେ । କିନ୍ତୁ କାର୍ଯ୍ୟାନୁଷ୍ଠାନ ବଦଳରେ 19 ଜୁଲାଇ 2017ରେ ଅଭିଯୋଗ କରିଥିବା ଭାଇଙ୍କୁ ହତ୍ୟା କରାଯାଇଥିଲା ।
ଆଇନଜିବୀ ନିଶିକାନ୍ତ ମିଶ୍ରଙ୍କ ଜରିଆରେ ଅଭିଯୋଗକାରିଣୀ ମାନବାଧିକାର କମିସନଙ୍କ ନିକଟରେ ପହଞ୍ଚି ଘଟଣାରେ ପୋଲିସ ଓ କିଛି ଗାଁ ଲୋକଙ୍କ ହାତ ରହିଥିବା ଅଭିଯୋଗ କରିଥିଲେ । ବରଗଡ଼ ଏସ୍ପି ନିର୍ଦ୍ଦେଶ ଦେବା ପରେ ମାମଲା ରୁଜୁ କରିଛି ପୋଲିସ । ଏନେଇ ଗତମାସ 23 ତାରିଖରେ ପୀଡ଼ିତଙ୍କ ଏତଲା ଆଧାରରେ ମାମଲା ରୁଜୁ କରିବା ସହ ପୀଡ଼ିତାଙ୍କୁ କାହିଁକି କ୍ଷତିପୂରଣ ଦିଆ ନଯିବ ତାହା ଜଣାଇବାକୁ ବରଗଡ଼ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ OHRC ।
ଭେଡେନ ଗଣବଳାତ୍କାର ମାମଲାରେ ପୋଲିସ ମାନବାଧିକାର ଉଲ୍ଲଘଂନ କରିଛି ବୋଲି କହିଥିଲେ । ପୀଡ଼ିତଙ୍କ ଏତଲା ଆଧାରରେ ମାମଲା ରୁଜୁ କରିନଥିବାରୁ ପୋଲିସ ସେପ୍ଟେମ୍ବର 20ରେ ଦେଇଥିବା ରିପୋର୍ଟକୁ କମିସନ ଅଗ୍ରାହ୍ୟ କରିଥିଲେ । ପୋଲିସ ନିୟମ ଅନୁସାରେ କାମ କରିନଥିବାରୁ ପୀଡ଼ିତଙ୍କର ମାନାବଧିକାର କ୍ଷୁର୍ଣ୍ଣ ହୋଇଛି । ତେଣୁ ଅଭିଯୋଗକାରୀ 2017ରେ ଦେଇଥିବା ଏତଲା ଆଧାରରେ ମାମଲା ରୁଜୁ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ OHRC ।