ଭାରତୀୟ ମାନଚିତ୍ରରେ ମୁର୍ମୁଙ୍କ ଫଟୋ ଥିବା ଏକ ବିନ୍ଦି ଲଗାଇଲେ ବିଜେପି ମହିଳା ମୋର୍ଚ୍ଚା ସଭାପତି ଅଗ୍ନିମିତ୍ର ପଲ୍‌

କୋଲକାତା: ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ ରାଜନୈତିକ ବିବାଦ ଲାଗି ରହିଥିବାବେଳେ ବିଜେପି ଦଳର ବିଧାୟକ ତଥା ଏହାର ମହିଳା ମୋର୍ଚ୍ଚା ସଭାପତି ଅଗ୍ନିମିତ୍ର ପଲ୍‌ ସୋମବାର ଏକ ଭାରତୀୟ ମାନଚିତ୍ରରେ ମୁର୍ମୁଙ୍କ ଫଟୋ ଥିବା ଏକ ବିନ୍ଦି ଲଗାଇ ବିଧାନସଭାକୁ ଯାଇଥିଲେ। ଏଥିରେ ତାଙ୍କ ସହକର୍ମୀମାନେ ମଧ୍ୟ ଯୋଗ ଦେଇ ଏହି ବିନ୍ଦି ପିନ୍ଧିଥିଲେ ଯେଉଁଥିରେ ରାଷ୍ଟ୍ରପତିଙ୍କ ଫଟୋ ଥିଲା।

ଉଲ୍ଲେଖଯୋଗ୍ୟ, ନଭେମ୍ବର ୧୧ରେ ନନ୍ଦିିଗ୍ରାମରେ ଆୟୋଜିତ ଏକ ରାଜନୈତିକ ସମାବେଶରେ ତୃଣମୂଳ ବିଧାୟକ ତଥା ମନ୍ତ୍ରୀ ଅଖିଳ ଗିରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଚେହେରାକୁ ନେଇ ପରିହାସ କରିଥିଲେ। ଯାହାକୁ ନେଇ ତୀବ୍ର ପ୍ରତିବାଦ ହେବାପରେ ତୃଣମୂଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତାଙ୍କ ଦଳର ବିଧାୟକ ତଥା ମନ୍ତ୍ରୀଙ୍କ ଏତାଦୃଶ ଆଚରଣ ପାଇଁ ସର୍ବସାଧାରଣରେ କ୍ଷମା ମାଗିଥିଲେ।

ବିଜେପି ବିଧାୟକ ପାଲ ଗଣମାଧ୍ୟମକୁ କହିଛନ୍ତି: ରାଷ୍ଟ୍ରପତିଙ୍କୁ ଅପମାନିତ କରିବାର ଦୁଃସାହସ ତୃଣମୂଳର ମନ୍ତ୍ରୀ କରିଛନ୍ତି। କିନ୍ତୁ, ମୁଁ ତାଙ୍କ କାର୍ଯ୍ୟକୁ ନିନ୍ଦା କରିବା ସହ ଭାରତର ସମ୍ବିଧାନକୁ ସୁରକ୍ଷା ଦେବାକୁ ଚାହୁଁଛି। ସୋମବାର ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଥିବାରୁ ମୁଁ ଏହି ଘଟଣା ପ୍ରତି ଗୃହର ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛି। ଆଜି ବିଧାନସଭାରେ ବିଜେପି ବିଧାୟକମାନେ ମଧ୍ୟ ଗିରିଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ, ତାଙ୍କ ଇସ୍ତଫା ଦାବି କରିଥିଲେ। ଏ ପ୍ରସଙ୍ଗରେ ସେମାନେ ମନ୍ତ୍ରୀ ଗିରିଙ୍କ ମନ୍ତବ୍ୟ ଉପରେ ଏକ ମୁଲତବୀ ପ୍ରସ୍ତାବ ଆଗତ କରିବାକୁ ଚାହୁଁଥିଲେ, କିନ୍ତୁ ବାଚସ୍ପତି ବିମନ ବାନାର୍ଜୀ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ।

Related Posts