ଭୁବନେଶ୍ୱର,୨୦/୧(ସତ୍ୟପାଠ ବ୍ୟୁରୋ): କଂଗ୍ରେସ ସାଂସଦ ଜୟରାମ ରମେଶ ଶୁକ୍ରବାର ଭାରତୀୟ ଜନତା ପାର୍ଟି(ବିଜେପି) ଓ ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘ(ଆରଏସଏସ)କୁ କଡ଼ା ସମାଲୋଚନା କରିଛନ୍ତି। ରମେଶ କହିଛନ୍ତି ଯେ, ‘ଏ ଦୁହିଁଙ୍କ ବିଚାରଧାରାରେ ଭାରତ ନଷ୍ଟ ହେଉଛି।’ ଏହି ପରିପ୍ରେକ୍ଷୀରେ ଆମେ ଏହି ଘୃଣ୍ୟ ବିଚାରଧାରା ବିରୁଦ୍ଧରେ ଅର୍ଥାତ୍ ଲଢ଼େଇ କରିବାକୁ ଲୋକଙ୍କ ସହିତ ସାକ୍ଷାତ କରିବୁ। ଏଣୁ ଖୁବଶୀଘ ଭାରତୀୟ ଜାତୀୟ କଂଗ୍ରେସ ‘ହାଥ୍ ସେ ହାଥ୍ ଯୋଡ଼ୋ’ ଅଭିଯାନ ଆରମ୍ଭ କରିବାକୁ ଯାଉଛି ବୋଲି ଜୟରାମ ରମେଶ କହିଛନ୍ତି।
ସୂଚନାଯୋଗ୍ୟ ଯେ, ରାହୁଲ ଗାନ୍ଧୀଙ୍କ ନେତୃତ୍ବାଧିନ କଂଗ୍ରେସର ‘ଭାରତ ଯୋଡ଼ୋ’ ଯାତ୍ରା ଗୁରୁବାର ଜମ୍ମୁ-କଶ୍ମୀରରେ ପ୍ରବେଶ କରିଛି। ମାତ୍ରାଧିକ ଶୀତ ଓ ତୁଷାରପାତରେ କଡ଼ା ସୁରକ୍ଷାବଳୟ ସହିତ ରାହୁଲ ଗାନ୍ଧୀ ଶୁକ୍ରବାର ସକାଳୁ ଜାମ୍ମୁ କାଶ୍ମୀରର ସୀମାନ୍ତ ଜିଲ୍ଲା କାଥୁଆ ଅନ୍ତର୍ଗତ ହାଟଲି ମୋହରରୁ ତାଙ୍କର ପଦଯାତ୍ରା ଆରମ୍ଭ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ଜାନୁଆରୀ ୩୦ ତାରିଖରେ ଶ୍ରୀନଗରେ ହେବାକୁ ଥିବା ଭାରତ ଯୋଡ଼ ଯାତ୍ରାର ଅନ୍ତିମ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ୨୩ଟି ଦଳର ମୁଖ୍ୟଙ୍କୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଚିଠି ଲେଖିଥିବା ସୂଚନା ଦେଇଛନ୍ତି ଜୟରାମ ରମେଶ।
କାଶ୍ମୀରରେ ଶେଷ ହେବାକୁ ଯାଉଥିବା କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ସମ୍ପର୍କିତ ସମସ୍ତ ତଥ୍ୟ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ। ସେ କହିଛନ୍ତି ଯେ, ପଦଯାତ୍ରାର ଅନ୍ତିମ ଦିନରେ ରାହୁଲ ଗାନ୍ଧୀ କାଶ୍ମୀର ପଣ୍ଡିତ, ଦୈନିକ ଶ୍ରମିକ ଓ କୃଷକଙ୍କ ସହିତ ସାକ୍ଷାତ କରିବେ। କେବଳ ଏତିକି ନୁହେଁ, ଶନିବାର ବିଶ୍ରାମ ପାଇଁ ପଦଯାତ୍ରାକୁ ବନ୍ଦ ରଖାଯିବ। ତେବେ ରବିବାର ପୁଣିଥରେ ପଦଯାତ୍ରା ଆରମ୍ଭ ହୋଇ ଆଗାମୀ ୧୦ ଦିନ ମଧ୍ୟରେ ସରିବ ବୋଲି ସୂଚନା ମିଳିଛି।