ଭୁବନେଶ୍ବରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦୁଇଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ତାଙ୍କୁ ପାରମ୍ପରିକ ଗୀତ ଓ ନାଚର ତାଳେ ତାଳେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ବିଜେପିର ଅନ୍ୟ ନେତା ଓ ନେତ୍ରୀମାନେ ବିମାନବନ୍ଦରରେ ସ୍ୱାଗତ କରିଛନ୍ତି। ଦୁଇଦିନିଆ ଓଡିଶା ଗସ୍ତରେ ଆସିଥିବା ନଡ୍ଡାଙ୍କୁ ଏବେ ବାଇକ ଶୋଭାଯାତ୍ରାରେ ରାଜ୍ୟ ବିଜେପି ରାଜ୍ୟ ମୁଖ୍ୟାଳୟ ପର୍ଯ୍ୟନ୍ତ ନିଆଯିବ ଏଥିରେ ବହୁ ସଂଖ୍ୟାରେ କର୍ମୀ ସାମିଲ ହୋଇଛନ୍ତି ।

ସୂଚନା ଅନୁସାରେ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ଯେପରି ଓଡ଼ିଶାରେ ସରକାର ଗଠନ କରିବ ସେନେଇ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା ଦଳର ବରିଷ୍ଠ ନେତା, ପଦାଧିକାରୀଙ୍କ ସହ ଆଲୋଚନା କରିବେ ଏବଂ ବୁଥ୍ ସ୍ତରୀୟ ପ୍ରତିନିଧିଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ଏନେଇ ଆଜି ଜନତା ମଇଦାନରେ ଆୟୋଜନ ହେବାକୁ ଥିବା ଶକ୍ତି କେନ୍ଦ୍ର କାର୍ଯ୍ୟକର୍ତା ସମାବେଶରେ ପ୍ରାୟ ୨୫ହଜାର ବୁଥ୍‌ ସ୍ତରୀୟ ପ୍ରତିନିଧିଙ୍କୁ ନଡ୍ଡା ସମ୍ବୋଧନ କରିବାର କାର୍ଯ୍ୟକ୍ରମ ଥିବାବେଳେ ସମାବେଶ ପରେ ଦଳୀୟ କାର୍ଯ୍ୟାଳୟରେ ଓଡ଼ିଶାର ସମସ୍ତ ସାଂସଦ, ବିଧାୟକ ଏବଂ ବରିଷ୍ଠ ଅଧିକାରୀଙ୍କ ସହ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଦଳର ରଣନୀତି ବିଷୟରେ ଆଲୋଚନା କରିବେ।

ଏହାପରେ ତାଙ୍କର ଗସ୍ତ ସୂଚୀ ଅନୁସାରେ ସେ ରାତି ୮ଟାରେ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯିବେ। ପୁରୀରେ ଅଠରନଳା ଠାରେ ଜିଲ୍ଲା ବିଜେପି ପକ୍ଷରୁ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବ। ରାତିରେ ସେ ପୁରୀରେ ରହିବେ ଓ ସକାଳୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ପରେ ଦିବଙ୍ଗତ ବିଧାୟକ ବିଷ୍ଣୁଚରଣ ସେଠୀଙ୍କୁ ସମବେଦନା ଜଣାଇବା ପାଇଁ ହେଲିକପ୍ଟର ଯୋଗେ ଧାମନଗର ଅଭିମୁଖେ ଯିବେ। ଧାମନଗରରୁ ଫେରି ଅଡସପୁରସ୍ଥିତ ଏସ୍‌ଭିନିରତାର୍‌ରେ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେବେ। ଏଠାରୁ ଫେରି ଜନତା ମଇଦାନରେ ଆୟୋଜିତ ଦଳୀୟ ସଂ‌ଯୁକ୍ତ ମୋର୍ଚ୍ଚା କାର୍ଯ୍ୟକ୍ରମରେ ଯୋଗଦେବେ। ଆଗାମୀ ନିର୍ବାଚନରେ ଦଳର କେଉଁ ମୋର୍ଚ୍ଚାର କ’ଣ ଦାୟିତ୍ବ ରହିବ ସେନେଇ ୭ଟି ମୋର୍ଚ୍ଚାର ପଦାଧିକାରୀଙ୍କୁ ନଡ୍ଡା ଗୁରୁମନ୍ତ୍ର ଦେବେ ବୋଲି ଜଣାପଡ଼ିଛି।

Related Posts