ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବୁଧବାର ଲୋକସଭା କାର୍ଯ୍ୟ ଚାଲିଥିବା ବେଳେ ବୁଧବାର ଦୁଇ ଜଣ ବ୍ୟକ୍ତି ଭିଜିଟର୍ସ ଗ୍ୟାଲେରିକୁ ଡେଇଁ ଧୂଆଁ ସ୍ପ୍ରେ କରିବା ଘଟଣାକୁ ନେଇ ସାରା ଦେଶରେ ଚିନ୍ତା ପ୍ରକାଶ ପାଇଛି । ତେବେ ଏତେ କଡ଼ା ସୁରକ୍ଷାକୁ ଡେଇଁ ସେମାନେ କିପରି ଗୃହ ମଧ୍ୟରେ ପ୍ରବେଶ କଲେ ତାହାକୁ ସମସ୍ତେ ସହଜରେ ହଜମ କରିପାରୁନାହାନ୍ତି । ତେବେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତଠାରୁ ମିଳିଥିବା ଭିଜିଟର ପାସରୁ ଜଣାପଡ଼ିଛି ଯେ ସେ ଜଣେ ବିଜେପି ସାଂସଦଙ୍କ ପାସ ମାଧ୍ୟମରେ ପ୍ରବେଶ କରିଥିଲେ । ଏହି ଘଟଣାର ତଦନ୍ତ ଜାରି ରହିଛି ଓ ଗିରଫ ଅଭିଯୁକ୍ତମାନଙ୍କୁ ପଚରାଉଚୁରା ଚାଲିଛି ।
ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ସାଗର ମହୀଶୂରର ବିଜେପି ସାଂସଦ ପ୍ରତାପ ସିହ୍ନାଙ୍କ ନାମରେ ଜାରି ହୋଇଥିବା ଭିଜିଟର୍ ପାସ୍ ବ୍ୟବହାର କରି ସଂସଦରେ ପ୍ରବେଶ କରିଥିଲେ। ଏହି ଘଟଣା ପରେ ସାଂସଦ ପ୍ରତାପ ସିହ୍ନା ଅଡ଼ୁଆରେ ପଡ଼ିଯାଇଛନ୍ତି । ପ୍ରତାପ ସିହ୍ନା ଲଗାତାର ୨ ଥର ବିଜେପି ଟିକେଟରେ ନିର୍ବାଚନ ଲଢି ବିଜୟୀ ହୋଇଛନ୍ତି । ଜଣେ ସାମ୍ବାଦିକଭାବ ନିଜର କ୍ୟାରିୟର ଆରମ୍ଭ କରିଥିବା ପ୍ରତାପ ୨୦୧୪ରେ ପ୍ରଥମ ଥର ପାଇଁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ ଓ ପରେ ୨୦୧୯ ବି ବିଜୟୀ ହୋଇଥିଲେ । ସେ ୨୦୦୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ ଲେଖିଥିଲେ ।
ଜଣେ ବିଜେପି ସାଂସଦଙ୍କ ପାସ ବ୍ୟବହାର କରି ସଂସଦରେ ଅନୁପ୍ରବେଶ କରାଯାଇଥିବାରୁ ତାହାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ ।