ଆନ୍ଦୋଳନ କରୁଥିବା ଚାଷୀଙ୍କୁ ଗୁଣ୍ଡା କହିଲେ ବିଜେପି ମନ୍ତ୍ରୀ ମୀନାକ୍ଷୀ ଲେଖି, କଡା ଜବାବ ଦେଲେ ରାକେଶ ଟିକାୟତ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ହଜାର ହଜାର ଚାଷୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ନୂଆ କରି କେନ୍ଦ୍ରମନ୍ତ୍ରୀ ହୋଇଥିବା ବିଜେପି ସାଂସଦ ମୀନାକ୍ଷୀ ଲେଖି। ସେ ଆନ୍ଦୋଳନ କରୁଥିବା ଚାଷୀମାନଙ୍କୁ ଗୁଣ୍ଡା ବୋଲି କହି ସମାଲୋଚନା କରିଛନ୍ତି। 

 ସେ କହିଛନ୍ତି ଯେ ଜନ୍ତର ମନ୍ତରରେ କୃଷି ଆଇନକୁ ବିରୋଧ କରୁଥିବା ଲୋକମାନେ କୃଷକ ନୁହଁନ୍ତି ବରଂ ମୱାଲୀ।  ସେ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ସେମାନେ ଏଭଳି ଲୋକଙ୍କୁ ପ୍ରୋତ୍ସାହିତ କରୁଛନ୍ତି। ତେବେ ବିଜେପି ମନ୍ତ୍ରୀଙ୍କ ଏଭଳି ବୟାନକୁ ନେଇ କଡା ଜବାବ ଦେଇଛନ୍ତି ଭାରତୀୟ କିସନ ୟୁନିଅନର ନେତା ରାକେଶ ଟିକାୟତ।  ସେ କହିଛନ୍ତି ଯେ ଚାଷୀଙ୍କ ବିଷୟରେ ଏପରି କହିବା ଉଚିତ ନୁହେଁ।

 ବାସ୍ତବରେ ଏଭଳି ଘଟଣା ପ୍ରଥମ ନୁହେଁ ଯେ ବିଜେପି ନେତାମାନେ ଚାଷୀଙ୍କ ବିଷୟରେ ପୂର୍ବରୁ ମଧ୍ୟ ବିବାଦୀୟ ବୟାନ ଦେଇଛନ୍ତି।  ଏହାପୂର୍ବରୁ ଆନ୍ଦୋଳନକାରୀ ଚାଷୀଙ୍କୁ ବିଜେପି ନେତା ମାନେ ଅନେକ ନାମରେ ଡାକିଛନ୍ତି। କେନ୍ଦ୍ର ମନ୍ତ୍ରୀ ମୀନାକ୍ଷୀ ଲେଖୀଙ୍କୁ କୃଷକଙ୍କ ଆନ୍ଦୋଳନ ବିଷୟରେ ଯେତେବେଳ ପଚରାଯାଇଥିଲା, ସେ ରାଗି ଯାଇ କହିଥିଲେ ,”  ତୁମେ ପ୍ରଥମେ ସେମାନଙ୍କୁ କୃଷକ ବୋଲି କହିବା ବନ୍ଦ କର, କାରଣ ସେମାନେ କୃଷକ ନୁହଁନ୍ତି।  ସେମାନେ ସମସ୍ତେ ଗୁଣ୍ଡା। ପୂରା ଦେଶ ଜାଣିଛି ଜାନୁଆରୀ ୨୬ରେ କ’ଣ ଘଟିଥିଲା। ସେସବୁ ଅପରାଧିକ କାର୍ଯ୍ୟ। ଜାନୁଆରୀ ୨୬ରେ ଘଟିଥିବା ଲଜ୍ଜାଜନକ ଘଟଣା ମଧ୍ୟ ଅପରାଧିକ କାର୍ଯ୍ୟକଳାପ। ବିରୋଧୀ ଦଳଗୁଡ଼ିକ ଗୁଣ୍ଡାମାନଙ୍କ ଏହି କାର୍ଯ୍ୟକଳାପକୁ ପ୍ରଚାର ଓ ପ୍ରସାର କରୁଛନ୍ତି।”

 ତେବେ ବିଜେପି ନେତାଙ୍କ ଏହି ବିବୃତ୍ତି ଉପରେ କୃଷକ ନେତା ରାକେଶ ଟିକାୟତ କହିଛନ୍ତି ଯେ ,” ମୱାଲୀ ସେମାନେ , ଯାହାର ଘର ନାହିଁ। କିନ୍ତୁ ଏଠାରେ କୃଷକ ଅଛନ୍ତି । ଚାଷୀଙ୍କ ବିଷୟରେ ଏପରି କଥା କହିବା ଉଚିତ୍ ନୁହେଁ । ସେ ହେଉଛନ୍ତି ଦେଶର ଅନ୍ନଦାତା ମୱାଲି ନୁହନ୍ତି । ସେମାନେ ବଡ ଲୋକ, ଆମେ ଏଠାରେ ଏକ ତମ୍ବୁରେ ୮ ମାସ ରହିଛୁ , ତେଣୁ ଆମକୁ ସେମାନେ ଗୁଣ୍ଡା ବୋଲି କହିଛନ୍ତି ।

 ବିରୋଧୀ ଦଳର ନେତାମାନେ ମଧ୍ୟ ଏହି ବିବୃତ୍ତି ପାଇଁ ମୀନାକ୍ଷୀ ଲେଖୀଙ୍କୁ ସମାଲୋଚନା କରିଛନ୍ତି।  କଂଗ୍ରେସ ନେତା ଅଲକା ଲାମ୍ବା ଏକ ଭିଡିଓ ସେୟାର କରି ବିଜେପି ଉପରେ ଜୋରଦାର ହମଲା କରିଛନ୍ତି । ସେ କହିଛନ୍ତି,  “ପ୍ରତ୍ୟେକ ବିଜେପି ନେତାଙ୍କୁ କୁହାଯାଇଛି ଯେ ସେମାନଙ୍କୁ ଚାଷୀଙ୍କୁ ବଦନାମ କରିବାକୁ ପଡିବ। କେତେ ବେଳେ ସେମାନଙ୍କୁ ଆତଙ୍କବାଦୀ, କେବେ ଖାଲିସ୍ତାନୀ କହୁଛନ୍ତି । ମୀନାକ୍ଷୀ ଲେଖୀଙ୍କୁ ମୱାଲି ଶବ୍ଦ ପ୍ରତ୍ୟାହାର କରିବାକୁ ପଡିବ। ଗୋଟିଏ ପଟେ ସରକାର ଚାଷୀଙ୍କ ସହ କଥା ହେବା କଥା କହୁଛନ୍ତି ଅନ୍ୟ ପକ୍ଷରେ ତାଙ୍କ ନେତାମାନେ ସେମାନଙ୍କୁ ବାରମ୍ବାର ଅପମାନିତ କରୁଛନ୍ତି ।

 କଂଗ୍ରେସ ବ୍ୟତୀତ ଆମ୍ ଆଦମୀ ପାର୍ଟିର ବିଧାୟକ ମଧ୍ୟ ମୀନାକ୍ଷୀ ଲେଖୀଙ୍କ ସମ୍ପର୍କରେ ସୋସିଆଲ ମିଡିଆରେ କଡ଼ା ନିନ୍ଦା କରିଥିଲେ। କୃଷକମାନଙ୍କୁ ଦିଆଯାଇଥିବା ଏହି ବିବୃତ୍ତିକୁ ସେ ନିନ୍ଦନୀୟ ବୋଲି କହିଛନ୍ତି।

ସୂଚନାଯୋଗ୍ୟ ଯେ, ଦୀର୍ଘ ମାସ ହେଲା ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା ଚାଷୀମାନଙ୍କ ମଧ୍ୟରୁ ଆଜି ୨୦୦ ଜଣଙ୍କୁ ଦିଲ୍ଲୀର ଯନ୍ତରମନ୍ତରରେ ବିକ୍ଷୋଭ କରିବାକୁ ଅନୁମତି ମିଳିଛି। ସେମାନେ ପୁଲିସ୍ ସୁରକ୍ଷା ବଳୟରେ ଦିଲ୍ଲୀର ସିଙ୍ଘୁ ସୀମାରୁ ଯନ୍ତରମନ୍ତର ଆସି କିଷାନ ସଂସଦ ନାଁରେ ବିକ୍ଷୋଭ ଆରମ୍ଭ କରିଛନ୍ତି।

Related Posts