ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ନୀତିନ ଗଡକରୀ ତାଙ୍କର ନିର୍ଭୀକ ଓ ସ୍ପଷ୍ଟବାଦୀ ବୟାନ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ନିଜ ଦଳ ବିଜେପିକୁ ମଧ୍ୟ ସେ ସମାଲୋଚନା କରିବାକୁ କୁଣ୍ଠାବୋଧ କରନ୍ତି ନାହିଁ । ଏବେ ନିକଟରେ ନୀତିନ ଗଡକରୀ ବିଜେପିକୁ ନେଇ ଦେଇଥିବା ବୟାନ ଉପରେ ଚର୍ଚ୍ଚା ହେଉଛି । ଏକ ସାକ୍ଷାତକାରରେ ବିଜେପିର ସାମ୍ପ୍ରତିକ ସ୍ଥିତି ଓ ଅନେକ ପ୍ରସଙ୍ଗରେ ସେ ଆଲୋଚନା କହିଛନ୍ତି ।
ସେ କହିଛନ୍ତି, ବିଜେପିରେ ଅନ୍ୟ ଦଳ ନେତା ଏବଂ କାର୍ଯ୍ୟକର୍ତ୍ତାଙ୍କ ପାଇଁ କେବେ କେବେ ସମସ୍ୟା ଉପୁଜିଥାଏ । ଯେପରି ଫସଲ ବଢେ ସେଥିରେ ପୋକ ବି ଲାଗେ । ବିଜେପିର ରାଜନୈତିକ ଫସଲ ଅଧିକ ଅଛି ଯାହା ଭଲ ଉତ୍ପାଦନ ସହ ରୋଗ ମଧ୍ୟ ଆଣିଥାଏ । ତେଣୁ ଏପରି ରୋଗ ପାଇଁ କୀଟନାଶକ ସିଞ୍ଚନ ଦରକାର । ବିଜେପିରେ ଅଲଗା ଅଲଗା ଦଳର ନେତା ଓ କର୍ମକର୍ତ୍ତାଙ୍କ ଯିବା ଆସିବା ଜାରି ରହିଛି । ଅଲଗା ଅଲଗା ନୂଆ ଲୋକ ଦଳରେ ଯୋଗ ଦେଉଛନ୍ତି । ସେମାନଙ୍କୁ ପ୍ରଶିକ୍ଷଣ ଦେବା ଦରକାର ।
ସେ ଆହୁରି କହିଛନ୍ତି, ବିଚାରଧାରା ଶିଖେଇବା, ସେମାନଙ୍କୁ କାର୍ଯ୍ୟକର୍ତ୍ତା ଭାବେ ପ୍ରସ୍ତୁତ କରିବା ଆମର ଦାୟିତ୍ବ । ଏହି ଉଦ୍ୟମ ଜାରି ରହିଛି । ହଜାର ହଜାର ସଂଖ୍ୟକ କାର୍ଯ୍ୟକର୍ତ୍ତା ପ୍ରରିଶ୍ରମ କରୁଛନ୍ତି । ମାତ୍ର ଜଣଙ୍କ ଭୁଲ ପାଇଁ ହଜାର ସଂଖ୍ୟକ କାର୍ଯ୍ୟକର୍ତ୍ତାଙ୍କ ପରିଶ୍ରମ ବେକାର ହୋଇଯାଏ । ଆମ ଦେଶରେ ମତଭେଦର କୌଣସି ସମସ୍ୟା ନାହିଁ । ମାତ୍ର ଚିନ୍ତାଧାରାର ଅଭାବ ଏକ ବଡ ସମସ୍ୟା ଭାବେ ଉଭା ହୋଇଛି । ବିଚାରାଧାରା ସହିତ ରାଜନୀତି ଆଗକୁ ଯିବା ମହତ୍ତ୍ବପୂର୍ଣ୍ଣ ବୋଲି କହିଛନ୍ତି।
୨୦୨୪ ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରରେ ବିଜେପିର ପ୍ରଦର୍ଶନ ଉପରେ ନୀତିନ ଗଡ଼କରୀ କହିଛନ୍ତି ଯେ ଲୋକସଭା ନିର୍ବାଚନରେ ଦଳର ଆସନ ସଂଖ୍ୟା ହ୍ରାସ ପାଇଛି। ସାଂସଦ ସଂଖ୍ୟା ୨୩ରୁ ଆସି ୯କୁ ଖସିଛି। ସେ ସ୍ଥାନୀୟ ନେତୃତ୍ୱଙ୍କ ଦକ୍ଷତା ଉପରେ ଆସ୍ଥା ପ୍ରକଟ କରିଛନ୍ତି। ଯଦିଓ ରାଜ୍ୟରେ ତାଙ୍କର କୌଣସି ଆନୁଷ୍ଠାନିକ ପଦବୀ ନାହିଁ, ତଥାପି ଆବଶ୍ୟକ ପଡ଼ିଲେ ସେ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। ଏଠାକାର ନେତାମାନେ ସକ୍ଷମ, ସେମାନଙ୍କୁ ବର୍ତ୍ତମାନ ମୋର ଆବଶ୍ୟକତା ନାହିଁ ବୋଲି ଗଡ଼କରୀ କହିଛନ୍ତି।
ତେବେ ବର୍ତ୍ତମାନ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଚାଲିଥିବା ବେଳେ ଗଡକାରୀଙ୍କ ଏହି ପୋକ ଓ କୀଟନାଶକ ବୟାନ ରାଜନୈତିକ ମାହୋଲ କୁ ସରଗରମ କରିଛି।