ବିଜେପି କୃଷକଙ୍କ ସହ ବିଶ୍ୱାସଘାତକତା କରିଛି, ତାଙ୍କ ସହ ମୋର ଖୋଲା ଲଢେଇ ହେବ: ସତ୍ୟପାଲ ମଲ୍ଲିକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମୁଁ କୃଷକଙ୍କ ପାଇଁ ସ୍ୱର ଉତ୍ତୋଳନ କରିବି। ବିଜେପି କୃଷକମାନଙ୍କ ସହିତ ବିଶ୍ୱାସଘାତକତା କରିଛି। ମୁଁ ବିଜେପି ସହ ଖୋଲା ଲଢେଇ କରିବି ବୋଲି ଘୋଷଣା କରିଛନ୍ତି ମେଘାଳୟର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ। ସେ ଆହୁରି କହିଛନ୍ତି ଯେ, ମୁଁ ବର୍ତ୍ତମାନ ୨୦୨୪ ରେ କୌଣସି ରାଜନୈତିକ ଦଳକୁ ସମର୍ଥନ କରିବି ନାହିଁ କି ନିର୍ବାଚନ ଲଢ଼ିବି ନାହିଁ । ତେବେ ମେଘାଳୟର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଆସନ୍ତା ମାସରେ ଅବସର ନେବାକୁ ଯାଉଛନ୍ତି, କିନ୍ତୁ ଅବସର ନେବା ପରେ ସେ ଜୟନ୍ତ ଚୌଧୁରୀଙ୍କ ରାଷ୍ଟ୍ରୀୟ ଲୋକ ଦଳରେ ଯୋଗଦେବେ କି ନାହିଁ ସେନେଇ ଚର୍ଚ୍ଚା ଜୋର ଧରିଛି।

ଏକ ଜାତୀୟ ଗଣମାଧ୍ୟମ ସହିତ ଏକ ବିଶେଷ ବାର୍ତ୍ତାଳାପରେ ସତ୍ୟପାଲ ସ୍ପଷ୍ଟ କରିଛନ୍ତି ଯେ, ସେ ରାଷ୍ଟ୍ରୀୟ ଲୋକ ଦଳରେ ଯୋଗଦେବେ ନାହିଁ। ଏନେଇ ସେ କହିଛନ୍ତି ଯେ, ” ମୁଁ ନିର୍ବାଚନ ରାଜନୀତି ମଧ୍ୟ କରିବି ନାହିଁ କିନ୍ତୁ ମୁଁ ଶମଲିରେ କୃଷକ ସମାବେଶକୁ ଯାଉଛି। ସେଠାରେ ଜୟନ୍ତ ଚୌଧୁରୀ ମଧ୍ୟ ଏହି ରାଲିରେ ଯୋଗ ଦେଉଛନ୍ତି। ଏହା ଏକ ରାଜନୈତିକ ସମାବେଶ ନୁହେଁ।” ରାଜ୍ୟପାଳ କେଉଁ ଦଳକୁ ସମର୍ଥନ କରିବେ, ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇପାରି ନାହାଁନ୍ତି। ଅବସର ପରେ କାଶ୍ମୀର ଉପରେ ଏକ ପୁସ୍ତକ ଲେଖିବେ ବୋଲି ସେ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟପାଳ ଥିବା ସମୟରେ ମଧ୍ୟ ସତ୍ୟପାଲ ମଲ୍ଲିକ ଅନେକ ବିଷୟକୁ ନେଇ କେନ୍ଦ୍ର ସରକାରଙ୍କ ଉପରକୁ ଆଙ୍ଗୁଳି ଉଠାଇଛନ୍ତି। କୃଷି ଆଇନ ବିରୋଧରେ ହୋଇଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ କରି ସେ ଚର୍ଚ୍ଚାକୁ ଆସିଥିଲେ। ଏହାପରେ ସରକାରଙ୍କ ବହୁ ଚର୍ଚ୍ଚିତ ଅଗ୍ନିପଥ ଯୋଜନାକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଥିଲେ।

Related Posts