(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ଏବେ ସୋସିଆଲ ମିଡିଆରେ ଏକ ଫେକ୍ ଭିଡିଓ ଘୁରି ବୁଲୁଛି । ଭାରତୀୟ ଜନତା ପାର୍ଟି (ବିଜେପି) ପଶ୍ଚିମବଙ୍ଗ ୟୁନିଟର ଅଫିସିଆଲ ଫେସବୁକ ପେଜ୍ ରେ 5 ମିନିଟର ଏକ ଭିଡିଓ ସେୟାର କରି ହିଂସା ପାଇଁ ତୃଣମୂଳ (ଟିଏମସି) କୁ ଦାୟୀ କରିଛି। ଏହି ଭିଡିଓରେ ବିଜେପି କର୍ମୀଙ୍କ ଚିତ୍ର ଦେଖାଯାଉଛି, ଯାହାକୁ ଗତ 72 ଘଣ୍ଟା ମଧ୍ୟରେ ଟିଏମସି କର୍ମୀମାନେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପ୍ରାୟ 2 ମିନିଟ୍ 35 ସେକେଣ୍ଡରେ, ଭିଡିଓରେ ଜଣେ ଯୁବକଙ୍କର ଫଟୋ ଦେଖାଯାଇଛି ଏବଂ ତାଙ୍କୁ ମାଣିକ ମୌତ୍ରୋ ବୋଲି କୁହାଯାଇଛି । ତେବେ ଉକ୍ତ ବ୍ୟକ୍ତି ଜଣେ ସାମ୍ବାଦିକ ଯାହାଙ୍କ ନାଁ ଅବହରୋ ବାନାର୍ଜୀ । ସେ ଜୀବିତ ଓ ସଂପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି। ଏହି ଫେକ୍ ଭିଡିଓ କୁ ନେଇ ବିଜେପିକୁ ଟ୍ରୋଲ୍ କରାଯିବା ପରେ ବିଜେପି ଏକ ବିବୃତ୍ତି ଜାରି କରି କହିଛି ଯେ ବାନାର୍ଜୀଙ୍କ ଫଟୋ ଭୁଲରେ ଭିଡିଓରେ ଦିଆଯାଇଛି।
ଅନ୍ୟପକ୍ଷରେ ଅବହରୋ ବାନାର୍ଜୀ ନିଜେ ଟୁଇଟ କରି ସ୍ପଷ୍ଟ କରିଛନ୍ତି ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ଏବଂ ସେ କୋଲକାତାରେ ନାହାଁନ୍ତି। ସେ ଲେଖିଛନ୍ତି, “ବିଜେପି ଆଇଟି ସେଲ୍ ବର୍ତ୍ତମାନ ଦାବି କରୁଛି ଯେ ମୁଁ ମାଣିକ ମୌତ୍ରୋ ଓ ସୀତଲକୁଚି ରେ ମୋର ମୃତ୍ୟୁ ହୋଇଛି । ଦୟାକରି ଏହି ନକଲି ପୋଷ୍ଟଗୁଡିକୁ ବିଶ୍ବାସ କରନ୍ତୁ ନାହିଁ ଏବଂ ଦୟାକରି ବ୍ୟସ୍ତ ହୁଅନ୍ତୁ ନାହିଁ । ମୁଁ ପୁନରାବୃତ୍ତି କରିବାକୁ ଚାହୁଁଛି , ମୁଁ ଜୀବିତ ଅଛି ବୋଲି ସେ ଲେଖିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ବର୍ତ୍ତମାନ ସୀତାଲୁଚି ଠାରୁ 1300 କିଲୋମିଟର ଦୂରରେ ଅଛନ୍ତି । ଏହି ଫଟୋ ଟି ୨୦୧୭ ର ବୋଲି ତାଙ୍କ ଫେସବୁକ ପେଜ୍ ରୁ ଜଣା ପଡ଼ିଛି। ଏହାର କିଛି ଘଣ୍ଟା ପରେ ବିଜେପି ଏକ ବିବୃତ୍ତି ଜାରି କରି କହିଛି ଯେ ବାନାର୍ଜୀଙ୍କ ଫଟୋ “ବିଷୟବସ୍ତୁ ପାଇଁ ଉତ୍ସ” ଭାବରେ ବ୍ୟବହାର କରିବାବେଳେ ଭୁଲ୍ ଭାବରେ ଅନ୍ତର୍ଭୂକ୍ତ କରାଯାଇଛି।
ମାଣିକ ମୌତ୍ରୋ କିଏ ?
ବିଜେପି ଦାବି କରିଛି ଯେ ମାଣିକ ମୌତ୍ରୋ ନାମକ ଜଣେ ଦଳୀୟ କର୍ମୀଙ୍କୁ ନିର୍ବାଚନ ପରବର୍ତ୍ତୀ ହିଂସାରେ ଟିଏମସି କର୍ମୀଙ୍କ ଦ୍ୱାରା ହତ୍ୟା କରାଯାଇଛି । ପବ୍ଲିକ ଡୋମେନରେ ଥିବା ତଥ୍ୟ ଅନୁଯାୟୀ, ମାଣିକ ମୌତ୍ରୋ ସୀତାଲୁଚିର (ଭିଡିଓରେ ଉଲ୍ଲେଖ କରାଯାଇଛି) । ତେବେ ନ୍ୟୁଜ୍ ଲଣ୍ଡ୍ରିରେ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ମୌତ୍ରୋଙ୍କର ପରିବାର ସଦସ୍ୟ କୌଣସି ରାଜନୈତିକ ସମ୍ପୃକ୍ତିକୁ ଅସ୍ୱୀକାର କରିଛନ୍ତି।
ବେଙ୍ଗଲରେ କ’ଣ ଘଟୁଛି?
୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ବିଜୟୀ ହେବା ପରେ, ବେଙ୍ଗଲ୍ ରୁ ନିର୍ବାଚନ ପରବର୍ତ୍ତୀ ହିଂସାର ବିଭିନ୍ନ ଘଟଣା ମଧ୍ୟ ରିପୋର୍ଟ ହୋଇଛି। ବିଜେପି ଅଭିଯୋଗ କରିଛି ଯେ ଟିଏମସି ସମର୍ଥିତ ଗୁଣ୍ଡା ମାନେ ବିଜେପି କର୍ମୀମାନଙ୍କୁ ହତ୍ୟା କରୁଛନ୍ତି। ବିଭିନ୍ନ ସ୍ଥାନରେ ଘର ଭଙ୍ଗାରୁଜା କରୁଛନ୍ତି , ଦୋକାନ ଲୁଟ୍ କରୁଛନ୍ତି , ମହିଳାଙ୍କ ଉପରେ ଆକ୍ରମଣ କରୁଛନ୍ତି। ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନାଡ୍ଡା 5 ମଇ ବୁଧବାର ଦିନ କହିଛନ୍ତି ଯେ ହିଂସା ଯୋଗୁଁ ଅତି କମରେ 14 ଜଣ ବିଜେପି କର୍ମୀଙ୍କ ମୃତ୍ୟୁ ଘଟିଛି ଏବଂ ପ୍ରାୟ ଏକ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ସେ ଏହି ଘଟଣାକୁ “ରାଜ୍ୟ ପ୍ରାୟୋଜିତ ହିଂସା” ବୋଲି ବର୍ଣ୍ଣନା କରିଛନ୍ତି । ସେପଟେ ମମତା ବାନାର୍ଜୀ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ମମତା କହିଛନ୍ତି ଯେ ଯେଉଁଠାରେ ବିଜେପି ଜିତିଛି ସେଠାରୁ ଏଭଳି ହିଂସାର ଘଟଣା ସାମ୍ନାକୁ ଆସିଛି । ଟିଏମସି ଏହା ମଧ୍ୟ ଦାବି କରିଛି ଯେ ଏହି ହିଂସାରେ ସେମାନଙ୍କ ଦଳର ପାଞ୍ଚ ଜଣ କର୍ମୀଙ୍କ ମୃତ୍ୟୁ ହୋଇଛି।
(Source credit – The Quint)